ଜଗତସିଂହପୁର,୧୯/୧୦/୨୦୧୯(ଓଡ଼ିଶା ସମାଚାର)- ଶନିବାର ମଧ୍ୟାହ୍ନରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ଠାରେ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ ଅକ୍ଟୋବର ୨୯ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଅଧ୍ୟକ୍ଷତା କରି ଉପ-ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ପ୍ରସାଦ ମହାନ୍ତି କହିଲେ ଜଗତସିଂହପୁର ଏକ ଉପକୂଳବର୍ତୀ ଜିଲ୍ଲା ହୋଇଥିବାରୁ ସର୍ବଦା ବାତ୍ୟା ପ୍ରବଣ ହୋଇଥାଏ । ଜିଲ୍ଲାରେ ୧୯୯୯ ମହାବାତ୍ୟା, ଫାଇଲିନ୍, ତିତିଲି ଓ ଫନୀ ଭଳି ବାତ୍ୟା ଜିଲ୍ଲାବାସୀଙ୍କୁ ଅନେକ ଶିକ୍ଷା ଦେଇଛି । ବାତ୍ୟାକୁ କିଭଳି ମୁକାବିଲା କରାଯିବ ଜିଲ୍ଲା ପ୍ରଶାସନ ସମସ୍ତଙ୍କର ସହେଯାଗରେ ବିପର୍ଯ୍ୟୟ ପ୍ରସ୍ତୁତି କରିଥାଏ । ୧୯୯୯ ମହାବାତ୍ୟା ଜଗତସିଂହପୁର ଜିଲ୍ଲାକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଥିଲା । ଏହି ବାତ୍ୟା ଦିବସକୁ ମନେ ପକାଇବା ଓ ଯେ କୈାଣସି ପ୍ରାକୃତିକ ବିପର୍ଯ୍ୟୟକୁ ସାମନା କରିବା ପାଇଁ ପ୍ରସ୍ତୁତ ରହିବା,ସଚେତନ ହେବା ପାଇଁ ପାଳନ କରାଯାଉଛି । ଅକ୍ଟୋବର ୨୯ ତାରିଖ ସକାଳ ୮ଟାରେ ସ୍ଥାନୀୟ କଲେଜ ଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେବ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଆ ଠାରେ ସକାଳ ୧୦ ଘଟିକାରେ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଅନୁଷ୍ଠିତ ହେବ । ମହାବାତ୍ୟାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନିମନ୍ତେ ନୀରବ ପ୍ରାର୍ଥନା କରାଯିବ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଆ ଠାରେ ଅଗ୍ନିଶମ ବିଭାଗ ଏବଂ ସ୍ୱେଛାସେବୀ ସଂଗଠନ ଦ୍ୱାରା ବିପର୍ଯ୍ୟୟ ପ୍ରସ୍ତୁତି ସଂପର୍କୀୟ ଏକ ମକ୍ ଏକ୍ସରସାଇଜ୍ ପ୍ରଦର୍ଶନ କରାଯିବ । ଏହି ଦିବସରେ ବୃକ୍ଷ ରୋପଣ କରାଯିବ । ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ ଅବସରରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍ଖାର ଓ ମାନପତ୍ର ପ୍ରଦାନ କରାଯିବ । ଅପରାହ୍ନ ୫ଟା ୩୦ମିନିଟ୍ ସମୟରେ ମହାବାତ୍ୟାରେ ମୃତୁ୍ୟବରଣ କରିଥିବା ବ୍ୟକ୍ତିଙ୍କ ଶ୍ରଦ୍ଧାଞଳୀ ନିମନ୍ତେ ଏକ ସମୁହ ଦୀପଦାନ ଅନୁଷ୍ଠିତ ହେବ । ଏହି ସମୂହ ଦୀପଦାନ କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଦଳର ସଦସ୍ୟମାନେ ଅଂଶ ଗ୍ରହଣ କରିବେ । ଏହି ବୈଠକରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରକାଶ ଚନ୍ଦ୍ର ପାଲ୍, ଜିଲ୍ଲା ପ୍ରୋଗ୍ରାମ ଅଫିସର ଶ୍ରୀ ଜ୍ଞାନେନ୍ଦ୍ର କୁମାର ସାହୁ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଗୁଂଜର ଚରଣ ମହନ୍ତ,ଜିଲ୍ଲା ପଂଚାୟତ ଅଧିକାରୀ ଶ୍ରୀ ପାଲେଶ୍ୱର କୁମ୍ଭାର, ଗ୍ରାମ୍ୟ ଜଳ ଯୋଗାଣ ପରିମଳ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଚିତରଂଜନ ଜେନା, ତହସିଲଦାର ଶ୍ରୀ ମାନସ ରଂଜନ ଭୋଇ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ କାମିନୀ ରଂଜନ ପଟ୍ଟନାୟକ, ଜିଲ୍ଲା ଯୋଗାଣ ଅଧିକାରୀ,ଜିଲ୍ଲା କ୍ରୀଡା ଅଧିକାରିଣୀ, ସ୍ୱେଛାସେବୀ ସଂଗଠନର କର୍ମକର୍ତା ମାନେ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ପ୍ରୋଗ୍ରାମ ଅଧିକାରୀ ଶ୍ରୀ ଜ୍ଞାନେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର