କଟକ,୧୯/୧୦/୨୦୧୯(ଓଡ଼ିଶା ସମାଚାର)- ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ଗୁଳିକରି ହତ୍ୟା କରାଯାଇଛି । ମିଳିଥିବା ତାଜା ସୂଚନା ଅନୁସାରେ ବୈଦେଶ୍ୱର ଥାନା ଅନ୍ତର୍ଗତ ମଧୁଆପଲୀ ମଠ ନିକଟରେ ଏହି ଗୁଳିକାଣ୍ଡ ଘଟିଛି । ମୃତ ଯୁବକ ହେଉଛନ୍ତି ନୟାଗଡ଼ ଜିଲା ଫତେଗଡ଼ ଥାନା ଅନ୍ତର୍ଗତ ମଣିପୁର ଗାଁ ର ଅର୍ଜୁନ ଖଟେଇ । ୨ ଜଣ ଯୁବକ ବାଇକ୍ ରେ ତାଙ୍କୁ ନିଜ ଗାଁ ରୁ ଉଠାଇଆଣି ଘର ଠାରୁ ପ୍ରାୟ ୨ କିମି ଦୂର ମଧୁଆପଲୀ ମଠ ପଛପଟେ ଗୁଳିକରି ହତ୍ୟା କରିଛନ୍ତି । ପ୍ରଥମେ ତା ଉପରକୁ ବୋମା ମାଡ଼ କରିଥିଲେ ଓ ତା ପରେ ଗୁଳି କରି ହତ୍ୟା କରିଥିଲେ । ଫତେଗଡ଼ ପୋଲିସ୍ କୌଣସି ସୂତ୍ରରୁ ଖବର ପାଇ ରକ୍ତ ଜଡ଼ୁବୁଡ଼ୁ ଅବସ୍ଥାରେ ଅର୍ଜୁନଙ୍କୁ ଉଦ୍ଧାର କରି ପ୍ରଥମେ କଳାପଥର ହସପିଟାଲରେ ଭର୍ତି କରିଥିଲେ ଓ ପରେ ତାଙ୍କୁ ଖୋର୍ଦ୍ଧା ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ୍ ନୟାଗଡ଼ – କଟକ ରାସ୍ତାରେ ଛାନଭିନ୍ ଚଳାଇଛି । ପୂର୍ବ ଶତୃତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ୍ ଅନୁମାନ କରୁଛି । ତେବେ ଗାଁ ର ଶଙ୍କର ଦଳେଇ ଓ ଖଗେଶ୍ୱର ଦଳେଇ ଏହି ହତ୍ୟା କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ଗାଁ ରେ ଉତେଜନା ପ୍ରକାଶ ପାଇଛି । ଦୁଇ ଅଭିଯୁକ୍ତ ଙ୍କ ଘରକୁ ଉତ୍ୟକ୍ତ ଲୋକେ ଭଙ୍ଗାରୁଜା କରିଛନ୍ତି । ଆଇନ ଶୃଙ୍ଖଳା ଦୃଷ୍ଟିରୁ ଗ୍ରାମରେ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ଓଡ଼ିଶା ସମାଚାର