Sunday , October 1 2023
Home / ବିଶେଷ / କଟକ ବାଲିଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ – ପଲିଥିନ୍ ମୁକ୍ତ ଓ ସ୍ୱଚ୍ଛତାକୁ ଗୁରୁତ୍ୱ

କଟକ ବାଲିଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ – ପଲିଥିନ୍ ମୁକ୍ତ ଓ ସ୍ୱଚ୍ଛତାକୁ ଗୁରୁତ୍ୱ

କଟକ, ୧୮/୧୦/୨୦୧୯(ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ ନୂତନ ସଦ୍ଭାବନା ସଭାଗୃହରେ ଚଳିତବର୍ଷ ଐତିହାସିକ ବାଲିଯାତ୍ରା କଟକ ଉତ୍ସବ ପାଳନ ନିମନ୍ତେ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ, ଜିଲ୍ଲା ସଂସ୍କୃତି ପରିଷଦ ତଥା କଟକ ମହାନଗର ନିଗମର ମିଳିତ ଆୟୋଜନରେ ଅନୁଷ୍ଠିତ ହୋଇଆସୁଥିବା ଏହି ଉତ୍ସବ ଚଳିତବର୍ଷ ନଭେମ୍ବର ୧୨ରୁ ୧୯ ତାରିଖ ୮ଦିନ ଧରି ଅନୁଷ୍ଠିତ ହେବାକୁ ପ୍ରସ୍ତାବ ରଖାଯାଇଛି । ରାଜ୍ୟ ସରକାରଙ୍କ ମୋ ସରକାର ଓ ୫-ଟି ଆଧାରରେ ଜିଲ୍ଲାରେ ସମ୍ପୃକ୍ତ ସମସ୍ତ ବିଭାଗ ସହିତ ସମନ୍ୱୟ ରକ୍ଷାକରି ଏକ ନୂଆ ରୂପରେଖରେ ବାଲିଯାତ୍ରାକୁ ଶାନ୍ତିଶୃଙ୍ଖଳା ଓ ସରସ ସୁନ୍ଦର ଭାବେ କରାଯିବା ନେଇ ଜିଲ୍ଲାପାଳ ପ୍ରକାଶ କରିଥିଲେ । ମୁଖ୍ୟତଃ ଆଇନଶୃଙ୍ଖଳା ବ୍ୟବସ୍ଥା, ପାନୀୟଜଳ ଯୋଗାଣ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପ୍ରଦର୍ଶନୀ ଆୟୋଜନ ସମ୍ପର୍କରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା । ବାଲିଯାତ୍ରା ପଡ଼ିଆକୁ ଚତୁଃପାଶ୍ୱର୍ରୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକର ମରାମତି ପାଇଁ ପୂର୍ତ ବିଭାଗକୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେବା ସହ ସିଏମସି ଅସ୍ଥାୟୀ ରାସ୍ତାଗୁଡିକ ସମତଳ କରିବା ପାଇଁ ପଦକ୍ଷେପ ନେବାକୁ ସ୍ଥିର କରାଯାଇଥିଲା । ବାଲିଯାତ୍ରା ପଡ଼ିଆ ଭିତରେ ଯାତାୟାତ ସୁବିଧା ନିମନ୍ତେ ବ୍ୟାଟେରୀ ଚାଳିତ ଯାନ ବ୍ୟବହାର ପାଇଁ ପର୍ଯ୍ୟଟନ ଓ ଜଙ୍ଗଲ ବିଭାଗ ସହାୟତା ନିଆଯିବ ବୋଲି ଜିଲ୍ଲାପାଳ କହିଥିଲେ । ପ୍ରତ୍ୟେକ ଷ୍ଟଲ, କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯିବା ସହ ଲାଇସେନ୍ସ ଥିବା ପ୍ରତି ଷ୍ଟଲ ରେ ନିଜସ୍ୱ ଖର୍ଚ୍ଚରେ ଡଷ୍ଟବିନ୍ ରଖିବା ବ୍ୟବସ୍ଥା କରିବାକୁ ବୈଠକରେ ନିଷ୍ପତି ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ବାଲିଯାତ୍ରାରେ ବସୁଥିବା ଛୋଟ ଛୋଟ ଦୋକାନୀ ଓ ବୁଲା ବିକାଳୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଭେଣ୍ଡିଂ ଜୋନ୍ କରାଯିବ । ଭେଣ୍ଡିଂ ଜୋନ୍ ବାହାରେ ବ୍ୟବସାୟୀଙ୍କୁ ବସିବା ପାଇଁ ଅନୁମତି ଦିଆନଯିବା ସହିତ ସେମାନଙ୍କଠାରୁ କୌଣସି ମାହାସୁଲ ନିଆଯିବ ନାହିଁ ବୋଲି ବୈଠକରେ ନିଷ୍ପତିି ହୋଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଂଚକାରୀ ଦଳ ସହ ପୁଲିସ୍ ସ୍କ୍ୱାଡ୍ ପକ୍ଷରୁ ଏକ ଟିମ୍ ନିୟୋଜିତ ରହିବେ । ଚଳିତବର୍ଷ ସିଏମସିରୁ ବାଲିଯାତ୍ରାରେ ପରିମଳ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ବୈଠକରେ ଯୋଗଦେଇ ସିଏମସି କମିଶନର ଅନନ୍ୟା ଦାସ ପ୍ରକାଶ କରିଛନ୍ତି । ବାଲି ଯାତ୍ରା ସମୟରେ ଖାଦ୍ୟର ମାନ ଯାଂଚ କରିବା ପାଇଁ ସିଏମସି ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ୱାବଧାନରେ ୪ଟି ଯାଂଚ ଦଳ ରହିବେ ବୋଲି କମିଶନର ପ୍ରକାଶ କରିଥିଲେ । ଏତଦ୍ବ୍ୟତୀତ, ସିଏମସି ପକ୍ଷରୁ ବାଲିଯାତ୍ରା ପାଇଁ କରାଯାଉଥିବା ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସହିତ ବାଲିଯାତ୍ରାରେ ନିୟମିତ ସଫେଇ ଓ ବାଲିଯାତ୍ରା ପରେ ବାଲିଯାତ୍ରା ପଡ଼ିଆରେ ଜମି ରହୁଥିବା ବର୍ଜ୍ୟବସ୍ତୁ ନଦୀ ପଠାରେ ନିକ୍ଷେପ ନକରାଯାଇ ନଦୀ ବାହାରେ ସିଏମସି ପକ୍ଷରୁ ଚିହ୍ନଟ ସ୍ଥାନରେ ପକାଯିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ । ବାଲିଯାତ୍ରାରେ ତଳପଡ଼ିଆ ଓ ଉପରପଡ଼ିଆରେ ଆବଶ୍ୟକ ସଂଖ୍ୟକ ସିସିଟିଭି କ୍ୟାମେରା ଲଗାଯିବା, ପୋଲିସ୍ ପ୍ରଶାସନ, ଓରମାସ ପକ୍ଷରୁ ଆବଶ୍ୟକ ୱାଚ୍ ଟାୱାର ବ୍ୟବସ୍ଥା, ସାମୟିକ ଭାବେ ବାଲିଯାତ୍ରାରେ ପିଲାମାନେ ହଜିଗଲେ ଶିଶୁ ପ୍ରଯନ୍ନ ଅନୁଷ୍ଠାନରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ତତ୍ୱାବଧାନରେ ରଖାଯିବା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଅସ୍ଥାୟୀ ସୂଚନାକେନ୍ଦ୍ର ଖୋଲାଯିବା, ପ୍ରତି ଷ୍ଟଲରେ ଅଗ୍ନି ନିର୍ବାପକ ଯନ୍ତ୍ର ରଖାଯିବା, ଆମ୍ବୁଲାନ୍ସ ଓ ଅଗ୍ନିଶମ ସେବା ବିଭାଗୀୟ ଗାଡ଼ି ସୁବିଧାରେ ଯାତ୍ରାସ୍ଥଳକୁ ଯିବା ପାଇଁ ଯାତାୟାତ ନିମନ୍ତେ ପ୍ରଶସ୍ତ ରାସ୍ତାର ସୁବିଧା କରାଯିବା ସମ୍ପର୍କରେ ବୈଠକରେ ନିଷ୍ପତି ହୋଇଥିଲା । ଏଥି ସହିତ ଚଳିତବର୍ଷ ବାଲିଯାତ୍ରାରେ ବୃହତ୍ ଷ୍ଟଲ ପାଇଁ ଆବେଦନକାରୀ ନିର୍ଦ୍ଧାରିତ ସମୟରେ ଜିଲ୍ଲାପାଳଙ୍କ ବାଲିଯାତ୍ରା କାର୍ଯ୍ୟାଳୟରେ ଏବଂ ଛୋଟ ଛୋଟ ଷ୍ଟଲ୍ ପାଇଁ ଗଡ଼ଗଡ଼ିଆ ମନ୍ଦିର ନିକଟ ଅସ୍ଥାୟୀ କ୍ୟାମ୍ପରେ ଆବେଦନ କରିବା ପାଇଁ ବ୍ୟବସ୍ଥା କରାଯିବ । ବାଲିଯାତ୍ରାରେ ସ୍ୱତନ୍ତ୍ର ଟ୍ରାଫିକ୍ ଆଉଟ୍ ପୋଷ୍ଟ ବ୍ୟବସ୍ଥା ଏବଂ ଉପର ଓ ତଳ ପଡ଼ିଆରେ ଟଏଲଟ୍ ବ୍ୟବସ୍ଥା କରାଯିବ ବୋଲି ବୈଠକରେ ନିଷ୍ପତିି ହୋଇଛି । ବିନା ଲାଇସେନ୍ସ ଷ୍ଟଲ୍ ଓ ବୁଲା ବିକାଳୀ ବା ଅନ୍ୟ କାହାରିକୁ ଚୋରାରେ ବିଦୁ୍ୟତ୍ ଯୋଗାଇଲେ ସେଥିପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ନିଷ୍ପତି ନିଆଯାଇଛି ।
ସେହିପରି ପୂର୍ତ ବିଭାଗ, ଜିଇଡି ପକ୍ଷରୁ ପ୍ରତିଦିନ ଷ୍ଟଲ ଗୁଡ଼ିକର ନିରାପତା ସମ୍ପର୍କରେ ଯାଂଚକରାଯାଇ ଜିଲ୍ଲାପାଳଙ୍କୁ ବିବରଣୀ ପ୍ରଦାନ କରାଯିବ । ବାଲିଯାତ୍ରାରେ ଦର୍ଶକମାନଙ୍କୁ ଆକର୍ଷଣ କରିବା ପାଇଁ ଉନ୍ନତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହିତ ସ୍ଥାନୀୟ କଳା ଅନୁଷ୍ଠାନମାନଙ୍କୁ ସୁଯୋଗ ଦିଆଯିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଏହା ସହିତ ଶାନ୍ତିଶୃଙ୍ଖଳାର ସହିତ ବାଲିଯାତ୍ରା କାର୍ଯ୍ୟକ୍ରମ ସମ୍ପନ୍ନ ଦିଗରେ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ଶ୍ରୀକାନ୍ତ ତରାଇ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସତ୍ୟବ୍ରତ ଛୋଟରାୟ, କଟକ ସଦର ଉପଜିଲ୍ଲାପାଳ ଶୁଭ୍ରାଂଶୁ ମିଶ୍ରଙ୍କ ସମେତ ସଦର ତହସିଲଦାର, ଜିଲ୍ଲା ସଂସ୍କୃତି ଅଧିକାରୀ ଓ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *