ବାଲିକୁଦା, ୧୭/୧୦/୨୦୧୯ (ଓଡ଼ିଶା ସମାଚାର)-ବାଲିକୁଦା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ବୁଧବାର ଦିନିକିଆ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସଂକ୍ରାନ୍ତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବ୍ଲକର ବିଭିନ୍ନ ପଞ୍ଚାୟତର ସରପଂଚ, କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂସ୍ୱଚ୍ଛତାଗ୍ରାହୀମାନେ ଆଲୋଚନାରେ ଅଂଶଗ୍ରହଣ କରିବା ସହ ବର୍ଜ୍ୟବସ୍ତୁ ପରିଚାଳନା ସମ୍ବନ୍ଧୀୟ ପ୍ରଶିକ୍ଷଣ ନେଇଥିଲେ । ପ୍ରଶିକ୍ଷକ ଗଣେଶରାମ ପଣ୍ଡା ଏବଂ ନିମାଇଁ ସାସମଲ ପ୍ରଶିକ୍ଷଣ ଦେଇଥିଲେ । ଏହି ଅବସରରେ ବିଡିଓ କଲ୍ୟାଣୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଅତିରିକ୍ତ ବିଡିଓ ଅଜୟକୁମାର ବେହେରା, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ କୈଳାସଚନ୍ଦ୍ର ବେହେରା ପ୍ରମୁଖ ଅତିଥି ଭାବେ ପଂଚାୟତ ସ୍ତରରେ କିପରି କଠିନ ବର୍ଜ୍ୟବସ୍ତୁର ସୁପରିଚାଳନା କରାଯାଇ ପାରିବ ଏବଂ ଜନସାଧାରଣ ପ୍ଲାଷ୍ଟିକ ବ୍ୟବହାର ନ କରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିସହ ପଂଚାୟତ ସ୍ତରରେ ଗଠନ କରାଯାଇ ଥିବା ଉପଦେଷ୍ଟା କମିଟିର ସଦସ୍ୟଙ୍କୁ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ଏବଂ ପଂଚାୟତ ସ୍ତରରେ ସର୍ଭେ କରାଯାଇ ପ୍ରତି ପରିବାରରୁ କେତେ ବର୍ଜ୍ୟବସ୍ତୁ ବାହାରୁଛି ତାହାର ଆକଳନ କରାଯିବ । ଜନସାଧାରଣ କିପରି ପ୍ଲାଷ୍ଟିକ ଗ୍ଲାସ, ପଲିଥିନ, ପ୍ଲାଷ୍ଟିକ ବଟଲ ଆଦି ବ୍ୟବହାର ଠାରୁ ଦୂରରେ ରହିବେ ସେନେଇ ସଚେତନତା ସୃଷ୍ଟି କରାଯିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଓଡ଼ିଶା ସମାଚାର