Monday , October 18 2021
Breaking News
Home / ବିଶେଷ / ‘ଫନି’ ଘର ଭଙ୍ଗା ସହାୟତା ତାଲିକା ପ୍ରସ୍ତୁତିରେ ଅନିୟମିତତା ଅଭିଯୋଗ

‘ଫନି’ ଘର ଭଙ୍ଗା ସହାୟତା ତାଲିକା ପ୍ରସ୍ତୁତିରେ ଅନିୟମିତତା ଅଭିଯୋଗ

  ଗରଦପୁର, ୧୫/୧୦/୨୦୧୯ (ଓଡ଼ିଶା ସମାଚାର)-ଗରଦପୁର ତହସିଲ ଅଧିନରେ ଥିବା ମୋଟ ୧୪୦ ଗୋଟି ରାଜସ୍ୱ ଗ୍ରାମରେ ଗତ ‘ଫନି’ ବାତ୍ୟାରେ ମୋଟ ୬ ହଜାର ୫୪୨ଗୋଟି ଘର କ୍ଷତିଗ୍ରସ୍ତ ହୋଇଥିବା  ପ୍ରଶାସନିକ ପକ୍ଷରୁ ଘରଭଙ୍ଗା ଆକଳନ କରାଯାଇ ତଦନ୍ତ କରାଯାଇଛି । ଏଥି ପାଇଁ ସରକାରଙ୍କ ପକ୍ଷରୁ ଘରଭଙ୍ଗା ସହାୟତା ରାଶି ବାବଦରେ ମୋଟ ୧କୋଟି ୯୬ଲକ୍ଷ ଟଙ୍କା କ୍ଷତି ପୂରଣ ବାବଦରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରମାନଙ୍କୁ ବଂଟନ କରାଯିବା ପାଇଁ ଆର୍ଥିକ ଅନୁଦାନ ଗରଦପୁର ତହସିଲ ପ୍ରଶାସନଙ୍କୁ ଯୋଗାଇ ଦିଆଯାଇଛି । ଗରଦପୁର ତହସିଲ ପ୍ରଶାସନଙ୍କ ପକ୍ଷରୁ ଆଜି ସୁଦ୍ଧା ମୋଟ ୫ ହଜାର୨ଶହ ୫ ଜଣ ଘରଭଙ୍ଗା କ୍ଷତିଗ୍ରସ୍ତ ପରିବାର ମାନଙ୍କୁ ମୋଟ ୧ କୋଟି ୩୫ ଲକ୍ଷ ୭୮ହଜାର୪ଶହ ଟଙ୍କା ବ୍ୟାଙ୍କ ଆକାଉଂଟ ମାଧ୍ୟମରେ ବଂଟନ କରିଥିବା ଗରଦପୁର ତହସିଲଦାର ଉମାକାନ୍ତ ବିଶ୍ୱାଳ ପ୍ରକାଶ କରିଛନ୍ତି । ଚଳିତ ସପ୍ତାହ ସୁଦ୍ଧା ଅବଶିଷ୍ଟ କ୍ଷତିଗ୍ରସ୍ତ ପରିବାରମାନଙ୍କୁ ସେମାନଙ୍କର ପ୍ରାପ୍ୟ ସହାୟତା ରାଶି ପ୍ରଦାନ କରାଯିବାର ଲକ୍ଷ୍ୟ ରହିଥିବା ତହସିଲଦାର ଶ୍ରୀ ବିଶ୍ୱାଳ ପ୍ରକାଶ କରିଛନ୍ତି । ତେବେ ଏହି ଫନି ବାତ୍ୟାରେ କେନ୍ଦ୍ରାପଡ଼ା ଜିଲାର ଗରଦପୁର ବ୍ଲକ୍  ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ଖରାଟିଆ ଚାଷ ଉଜୁଡ଼ିଯିବା ସହିତ  ଶହ ଶହ ଚାଳ ଛପର ଘର ଭାଙ୍ଗି ରୁଜି ନଷ୍ଟ ହୋଇଥିଲା । ଏବେ ରାଜ୍ୟ ସରକାରଙ୍କ ତରଫରୁ କ୍ଷତିଗ୍ରସ୍ତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ବ୍ୟବସ୍ଥା କରାଯାଇଥିବାବେଳେ  ପ୍ରକୃତ ପକ୍ଷେ ତହସିଲ ପ୍ରସ୍ତୁତ କରିଥିବା କ୍ଷତିଗ୍ରସ୍ତ ତାଲିକାରେ ବହୁତ ଗ୍ରାମର ପ୍ରକୃତ ହିତାଧିକାରୀଙ୍କ ନାମ ବାଦ ପଡ଼ିଥିବା ଅଭିଯୋଗ ହୋଇଛି ।  ଅଯୋଗ୍ୟ ହିତାଧିକାରୀମାନେ  ରାଜସ୍ୱ ନିରୀକ୍ଷକ ମାନଙ୍କୁ ହାତ ବାରିସି କରି  ତାଲିକାଭୁକ୍ତ ହୋଇଥିବା ଜଣାପଡ଼ିଛି ।  ଏପରିକି ତିନିତାଲା କୋଠା ବିଶିଷ୍ଟ ଲୋକଙ୍କ ନାମ  ତାଲିକାରେ ଥିବାବେଳେ ଚାଳ ଛପର ଓ ଭଙ୍ଗା ଘରେ ରହୁଥିବା କ୍ଷତିଗ୍ରସ୍ତ ପରିବାର ତାଲିକାରେ ସାମିଲ ହୋଇନଥିବା ଦେଖାଯାଉଛି ।  ସେଥିପାଇଁ ପ୍ରତ୍ୟେକ ଦିନ ବିଭିନ୍ନ ଗ୍ରାମରୁ  କ୍ଷତିଗ୍ରସ୍ତ ମାନେ  ତହସିଲରେ ପହଂଚି ଅଭିଯୋଗ କରୁଥିବା ଦେଖାଯାଇଛି । ପ୍ରଶାସନଙ୍କ ପକ୍ଷରୁ ବାତ୍ୟା କ୍ଷତିଗ୍ରସ୍ତମାନଙ୍କର ସଠିକ୍ ଆକଳନ କରାଯାଇ ନ ଥିବାରୁ ଏବେ ଘରଭଙ୍ଗା ସହାୟତା ରାଶି  ମିଳିବାରେ ଅନିୟମିତତା ହୋଇଥିବାର ନେଇ ଏଥିରୁ ବଂଚିତ ହୋଇଥିବା କ୍ଷତିଗ୍ରସ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଏହି ପରିପ୍ରେକ୍ଷିରେ ଜିଲାପରିଷଦ ସଦସ୍ୟ ସନ୍ତୋଷ ଜେନା ଙ୍କ ନେତୃତ୍ୱରେ ଗତକାଲି ଶତାଧିକ କ୍ଷତିଗ୍ରସ୍ତ  ଓ ସାଧାରଣ ନାଗରିକ ଏହାର ପ୍ରତିବାଦ କରି ଓ ଆଶୁ ସମାଧାନ ଦାବି କରି  ତହସିଲ ସମ୍ମୁଖରେ ଗଣ ଧାରଣା ଦେଇଥିଲେ । ମଧ୍ୟାହ୍ନ ବିରତି ସମୟରେ ତହସିଲଦାର ଉମାକାନ୍ତ ବିଶ୍ୱାଳ (ତହସିଲଦାର ଇନ ଚାର୍ଯ) ଧାରଣାସ୍ଥଳକୁ ଆସି ଅଭିଯୋଗକାରୀଙ୍କ ସହିତ  ଆଲୋଚନା କରିବା ସହିତ ଲିଖିତ ଅଭିଯୋଗ ଗ୍ରହଣ କରିଥିଲେ ।  ଏଥିସହିତ ତହସିଲଦାରଙ୍କ ସମେତ  ଜିଲାପରିଷଦ ସଦସ୍ୟ ଙ୍କ ସହିତ ଏକ ପ୍ରତିନିଧି ମଣ୍ଡଳୀ   କେନ୍ଦ୍ରାପଡ଼ା ଯାଇ ଜିଲାପାଳ ସମର୍ଥ ବର୍ମା ଙ୍କ ସହିତ ଆଲୋଚନା କରିବାକୁ ସ୍ଥିର ହୋଇଥିବା ଜଣାପଡ଼ିଛି ।

ଏହି ତହସିଲ ଅନ୍ତର୍ଗତ ପଦ୍ମପୁର ପଂଚାୟତରେ କରାଯାଇଥିବା ଘରଭଙ୍ଗା ଆକଳନରେ ବ୍ୟାପକ ଭାବରେ ଦୁର୍ନୀତି ହୋଇଥିବା ନେଇ ଆକଳନରୁ ବାଦ୍ ପଡିଥିବା ବାତ୍ୟା କ୍ଷତିଗ୍ରସ୍ତ ଲୋକମାନେ ଗରଦପୁର ତହସିଲଦାରଙ୍କୁ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି । ସେହିପରି ଘର ଭଙ୍ଗା ଆକଳନରେ ତୃଟି ହୋଇଥିବାର ଦର୍ଶାଯାଇ ଅନେକ କ୍ଷତିଗ୍ରସ୍ତମାନଙ୍କ ପକ୍ଷରୁ ଗରଦପୁର ତହସିଲଦାର ଓ କେନ୍ଦ୍ରାପଡା ଜିଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି । ନିକଟରେ ରାମଚନ୍ଦ୍ରପୁର ପଂଚାୟତର ଅଟାବୁହା,ନଡିଆବରାଇ ପଂଚାୟତର ଉଦୟଗିରି ଗ୍ରାମର ବାତ୍ୟା କ୍ଷତିଗ୍ରସ୍ତ ହୋଇ ଥିବା ପରିବାରର ସଦସ୍ୟମାନେ ଏହାର ପ୍ରତିବାଦ କରିବା ସହିତ ତୁରନ୍ତ କ୍ଷତିଗ୍ରସ୍ତ ହୋଇଥିବା ପରିବାରଗୁଡିକୁ ସହାୟତା ରାଶି ପ୍ରଦାନ ପାଇଁ ଦାବି କରିଛନ୍ତି । ସେହିପରି ତଳକୁସୁମା ପଂଚାୟତର ବଙ୍ଗରାୀ ଗ୍ରାମର ସଂଖ୍ୟାଧିକ ଲୋକ ଘରଭଙ୍ଗର ସହାୟତା ରେ ଅସନ୍ତୋଷ ପ୍ରକାଶ କରି ଆଜି ତହସିଲ ଅଫିସ ଆସି ତହସିଲଦାରଙ୍କୁ ଅଭିଯୋଗ କରିଥିଲେ । କେବଳ ସେତିକି ନୁହେଁ ପାଟକୁରା, ସାନ ଅଢ଼ଙ୍ଗା, ତିକକନପୁର ଓ ବେଡାରୀ ପଂଚାୟତମାନଙ୍କରେ ଘର ଭଙ୍ଗା ଆକଳରେ ମଧ୍ୟ ବହୁ ତୃଟି ହୋଇଥିବାର ଅଭିଯୋଗ ହୋଇଆସୁଛି । ବାତ୍ୟା କ୍ଷତିଗ୍ରସ୍ତମାନଙ୍କର କ୍ଷୟକ୍ଷତି ଆକଳନକରିବା ସହିତ ତାଲିକା ପ୍ରସ୍ତୁତି କରାଯିବା ପାଇଁ ଗୋଟିଏ ରାଜସ୍ୱ ସର୍କଲର   ନିରିକ୍ଷକମାନଙ୍କୁ ଅନ୍ୟ ରାଜସ୍ୱ ସର୍କଲମାନଙ୍କୁ ପଠାଯାଇ ଆକଳନ କରାଯାଇଥିଲା । ଗୋଟିଏ ତହସିଲର ସୁପରଭାଇଜର ମାନଙ୍କୁ ମଧ୍ୟ ଅନ୍ୟ ଏକ ତହସିଲ ଓ ଅନ୍ୟ ତହସିଲର  ସୁପରଭାଇଜର ମାନଙ୍କୁ ଅନ୍ୟ ତହସିଲ ଗୁଡିକୁ ଘରଭଙ୍ଗା ଓ କ୍ଷୟକ୍ଷତି ଆକଳନରେ ତଦାରଖ କରିବା ପାଇଁ ପଠାଯାଇଥିଲା । ମାତ୍ର ଏହା ସତ୍ୱେ କିପରି ଭରଭଙ୍ଗା କ୍ଷତିଗ୍ରସ୍ତଙ୍କ ଆକଳନରେ ବ୍ୟାପକ ଭାବରେ ତୃଟି ରହିଲା ତାହା ବୁଦ୍ଧିଜିବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଓଡ଼ିଶା ସମାଚାର

About admin

Check Also

ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଜରୁରୀ ବୈଠକ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ରବିବାର ଦିନ ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଏକ ଜରୁରୀ ବୈଠକ ନାଗଭୂଷଣ ଭବନ, …

Leave a Reply

Your email address will not be published. Required fields are marked *