ଗରଦପୁର, ୧୫/୧୦/୨୦୧୯ (ଓଡ଼ିଶା ସମାଚାର)-ଏକ ଦଳିତ ସାହିରେ ପାନୀୟ ଜଳ ଅଭାବ ସୃଷ୍ଟି ହୋଇଥିବାରୁ ଏହି ସାହିରେ ନୂତନ ଭାବରେ ଏକ ନଳକୂପ ସ୍ଥାପନା କରାଯିବା ନେଇ ସମ୍ପୃକ୍ତ ଜିଲା ପରିଷଦ ସଦସ୍ୟାଙ୍କ ଅନୁଦାନରୁ ନୂତନ ଭାବରେ ନଳକୂପ ସ୍ଥାପନା କରାଯିବା ନେଇ ବିଭାଗୀୟ ମଞ୍ଜୁରୀ କରାଯାଇଥିଲେ ମଧ୍ୟ ଦୀର୍ଘ ମାସ ହେଲା ଏହି ନଳକୂପ ସ୍ଥାପନାକୁ ନେଇ ଟାଳଟୁଳ ନିତୀ ଅବଲମ୍ବନ କରି ସମୟ ଗଡି ଗଡି ଯାଇଛି ବୋଲି ସଂମ୍ପୃକ୍ତ ସାହିର ଲୋକମାନେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ସ୍ଥାନୀୟ ସାହିରେ ଅସନ୍ତୋଷ ପ୍ରକାଶ ପାଉଛି । ପ୍ରକାଶ ଯେ, ଗରଦପୁର ବ୍ଲକ ଅନ୍ତର୍ଗତ ବେଡାରୀ ପଂଚାୟତର ହରିଦାସପୁର ଗ୍ରାମର ଦଳିତ ଜେନା ସାହିରେ ଥିବା ୧୦ ଗୋଟି ପରିବାରମାନଙ୍କ ପାଇଁ ନଳକୂପ ସ୍ଥାପନା କରାଯାଇ ନ ଥିବାରୁ ଏହି ପରିବାରମାନେ ଗ୍ରାମର ନିକଟସ୍ଥ କ୍ଷେତ୍ରପାଳ ଠାକୁରାଣୀ ମନ୍ଦିର ନିକଟରେ ଥିବା ନଳକୂରୁ ପାନୀୟଜଳ ସଂଗ୍ରହ କରୁଛନ୍ତି । ଏହି ସାହିରେ ଏକ ନୂତନ ନଳକୂପ ସ୍ଥାପନା କରାଯିବା ପାଇଁ ପାଟକୁରାର ଜିଲା ପରିଷଦ ସଦସ୍ୟା ଅହଲ୍ୟା ଲେଙ୍କାଙ୍କ ଅନୁଦାନରୁ ବିଭାଗୀୟ ମଞ୍ଜୁରୀ ମିଳିଛି । ମାତ୍ର ବିଭାଗୀୟ କର୍ତୃପକ୍ଷଙ୍କ ଅବହେଳା ଓ ଟାଳଟୁଳ ନିତୀ କାରଣରୁ ଏହି ସାହିରେ ଆଜି ପର୍ଯ୍ୟନ୍ତ ନଳକୂପ ସ୍ଥାପନା କରାଯାଇ ପାରି ନାହିଁ । ଫଳରେ ଏହି ସାହିରେ ଥିବା ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଜିଲା ପ୍ରଶାସନ ଦୃଷ୍ଟି ଦେଇ ଏହି ସ୍ଥାନରେ ତୁରନ୍ତ ନଳକୂପ ସ୍ଥାପନା କରାଯିବା ପାଇଁ ଦଳିତ ସାହିର କୌଳାଶ ଚନ୍ଦ୍ର ଜେନା,ଦିବାକର ଜେନା,ଶାନ୍ତିଲତା ଜେନା,ରଥ ଜେନା,ଶିବ ଜେନା ଓ ରତ୍ନାକର ଜେନା ପ୍ରମୁଖ ଦାବି ଜଣାଇଛନ୍ତି । ଏହି ସ୍ଥାନରେ ନୂତନ ନଳକୂପ ଖୋଳାଯିବା ପାଇଁ ଦୀର୍ଘ ଦେଢ ବର୍ଷ ହେଲା ଅନୁଦାନ ଯୋଗାଇ ଦିଆଯାଇଛି, ମାତ୍ର ବିଭାଗୀୟ ଅବହେଳା କାରଣରୁ ଏହା ଖୋଳାଯାଇ ପାରୁ ନ ଥିବାବେଳେ,ଏ ସମ୍ପର୍କରେ ସମ୍ପୃକ୍ତ ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରେ ସେ ସମୟ ଗଡାଇ ଚାଲିଥିବା ସମ୍ପୃକ୍ତ ଜିଲା ପରିଷଦ ସଦସ୍ୟା ଶ୍ରୀମତୀ ଲେଙ୍କା ଅଭିଯୋଗ କରିଛନ୍ତି । ଜିଲାପାଳ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି । ଓଡ଼ିଶା ସମାଚାର