କଟକ, ୧୪/୧୦/୨୦୧୯ (ଓଡ଼ିଶା ସମାଚାର)- କଟକ ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ଅଂଚଳ ସହିତ ସପିଂ ମଲ୍ ରେ ଭିଡର ସୁଯୋଗ ନେଇ ଲୋକମାନଙ୍କଠାରୁ ମନିପର୍ସ, ମୋବାଇଲ ଫୋନ ଏପରିକି ମଲ୍ର ସାମଗ୍ରୀ ଲୁଟୁଥିବା ଜଣେ ମହିଳାକୁ ମଙ୍ଗଳାବାଗ ଥାନା ପୁଲିସ ଗିରଫ କରିଛନ୍ତି । ଗିରଫ ମହିଳା ଜଣକ ହେଲେ ଯାଜପୁର ରୋଡ ଜନାଗ୍ରାମର ନିରୂପମା ବଳ(୫୨) । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗିରଫ ମହିଳା ଜଣକ ବଜ୍ରକବାଟି ରୋଡସ୍ଥିତ ବିଶାଲ ମେଗା ମାର୍ଟରେ ପହଂଚି ଲୁଗାପଟା କିଣିବା ବାହାନାରେ ପ୍ରାୟ ୩ ହଜାର ୫୦୦ ଟଙ୍କାର ବସ୍ତ୍ରକୁ ନିଜ ବ୍ୟାଗ ଭିତରେ ରଖି କୌଶଳ କ୍ରମେ ବାହାରକୁ ପଳାଇଆସୁଥିବା ବେଳେ ସେଠାରେ ନିୟୋଜିତ ସୁରକ୍ଷାକର୍ମୀ ତାଙ୍କୁ ଅଟକାଇଥିଲେ । ତଲାସୀ ପରେ ତାଙ୍କ ପାଖରୁ ଲୁଗାପଟା ସହିତ ଏକ ମୋବାଇଲ ଫୋନ ଜବତ କରାଯାଇଥିଲା । ଏ ସମ୍ପର୍କରେ ମଲ୍ ର ମ୍ୟାନେଜରଙ୍କ ଅଭିଯୋଗ କ୍ରମେ ଥାନାରେ ଏକ ୨୫୪/୧୯ରେ ଆଇପିସି ୩୮୦/୩୪ରେ ଏକ ମାମଲା ରୁଜୁ କରାଯାଇ ସମ୍ପୃକ୍ତ ମହିଳାଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ତେବେ ତଦନ୍ତକାରୀ ଅଧିକାରୀ ଏସଆଇ ମନ୍ଦାକିନୀ ଗୁରୁ ଉକ୍ତ ମହିଳାଙ୍କ ଅପରାଧିକ କାର୍ଯ୍ୟକଳାପର ଛାନଭିନ୍ ଜାରି ରଖିଥିବା ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର