ବରୀ, ୧୨/୧୦/୨୦୧୯ (ଓଡ଼ିଶା ସମାଚାର)- ନେପାଳର ରାଜଧାନୀ କାଠମାଣ୍ଡୁଠାରେ ଅନୁଷ୍ଠିତ ହୋଇଯାଇଥିବା ୩ ଦିନିଆ ଅର୍ନ୍ତଜାତୀୟ ଗାନ୍ଧୀ ପିସ୍ ଆମ୍ବାସଡ଼ର ସମିଟରେ ଯୋଗ ଦେଇ ଆଜି ଓଡ଼ିଶା ଫେରିଛନ୍ତି ଗାନ୍ଧୀ ସଂଗ୍ରାହକ ଅଶୋକ କୁମାର ସାହୁ ଓ ପେପରମ୍ୟାନ ତଥା ପିସ୍ ଆମ୍ବାସଡ଼ର ଶଶାଙ୍କ ଶେଖର ଦାଶ । ଦୁଇ ଓଡ଼ିଆ ଯୁବକ ରାଜ୍ୟକୁ ଫେରିବା ପରେ ତାଙ୍କୁ ନିଜ ଅଂଚଳ ବରୀରେ ଭବ୍ୟ ସମ୍ବର୍ନ୍ଧନା ଦିଆଯାଇଥିଲା । ବିନା କୌଣସି ସରକାରୀ ସହାୟତାରେ ନେପାଳର ଗାନ୍ଧୀ ପିସ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଭୟ ଯୋଗଦେଇ ରାଜ୍ୟରେ ମହାତ୍ମା ଗାନ୍ଧୀଙ୍କ ପଦଯାତ୍ରା ଓ ତାଙ୍କ କାର୍ଯ୍ୟକ୍ରମ ସଂପର୍କରେ ସେଠାରେ ବିଷଦ ଆଲୋଚନା କରିଥିଲେ । ଉଭୟଙ୍କ ଆଲୋଚନାରେ ଅନ୍ୟଦେଶରୁ ଭାଗ ନେଇଥିବା ପିସ୍ ଆମ୍ବାସଡ଼ରମାନେ ଓଡ଼ିଶା ଓ ଗାନ୍ଧୀଙ୍କ ସଂପର୍କରେ ଅନେକ ତଥ୍ୟ ଜାଣିପାରିଲେ ବୋଲି ପ୍ରକାଶ କରିଥିଲେ । ଏହି ସମିଟ ଅକ୍ଟୋବର ୭ରୁ ୯ ତିନି ଦିନ ହୋଇଥିଲା ।
ଗାନ୍ଧୀ ସଂଗ୍ରାହକ ଅଶୋକ କୁମାର ସାହୁ ତାଙ୍କ ସଂଗ୍ରହ ଆମ୍ବାସଡ଼ରଙ୍କ ନିମନ୍ତେ ପ୍ରଦର୍ଶନ କରିଥିଲେ । ଗାନ୍ଧୀଙ୍କ ଉପରେ ଡ଼ାକଟିକଟ, ପ୍ରଥମ ଦିବସ ଲଫାପା, ବହି, ଖବରକାଗଜ କଟିଙ୍ଗ ଇତ୍ୟାଦି ଦେଖି ଆମ୍ବାସଡ଼ରମାନେ କେତେକ ନୂଆ କଥା ଜାଣିବାକୁ ପାଇଲେ ବୋଲି ପ୍ରକାଶ କରିଥିଲେ । ପେପରମ୍ୟାନ ଶଶାଙ୍କ ଶେଖର ଦାଶ ଗାନ୍ଧୀ ଜଣେ ସାମ୍ବାଦିକ ପ୍ରବନ୍ଧ ପାଠ କରିଥିଲେ । ପ୍ରବନ୍ଧରେ ଗାନ୍ଧୀଙ୍କ ପ୍ରକାଶିତ ଖବରକାଗଜ ଓ ପତ୍ରିକା ସଂପର୍କରେ ଏକ ସଂକ୍ଷିପ୍ତ ଧାରଣା ଦେଇଥିଲେ । ଆମ୍ବାସଡ଼ରମାନେ ଏଥିରୁ ଅନେକ କଥା ଜାଣିପାରିଥିଲେ ବୋଲି କହିଥିଲେ । ଏହି ସମିଟରେ ୯ଟି ଦେଶରୁ ୬୨ ଜଣ ଆମ୍ବାସଡ଼ର ଓ ତାଙ୍କର ସହଯୋଗୀମାନେ ଯୋଗ ଦେଇଥିଲେ ।
ସୂଚନାଯୋଗ୍ୟ ଅର୍ନ୍ତଜାତୀୟ ଗାନ୍ଧୀ ପିସ୍ ଆମ୍ବାସଡ଼ର ସମିଟରେ ଯୋଗ ଦେବାପାଇଁ ନିମନ୍ତ୍ରଣ ପାଇବା ପରେ ଉଭୟ ଅଶୋକ ଓ ଶଶାଙ୍କ ସେମାନଙ୍କର ଯାତାୟତ ଓ ଅନ୍ୟାନ୍ୟ ଖର୍ଚ୍ଚ ସରକାର କରିବାକୁ ଅନୁରୋଧ କରିଥିଲେ । ଅଶୋକ ଯାଜପୁର ଜିଲ୍ଲାପାଳଙ୍କୁ ଏଥିନିମନ୍ତେ ଭେଟିବା ସହ ଶଶାଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଧେଶକଙ୍କୁ ଏକ ପତ୍ର ପ୍ରଦାନ କରିଥିଲେ । ମାତ୍ର ଦୁଃଖର କଥା ଅବଶୋଷକ କଥା ଉଭୟ ସରକାରୀ ଅଧିକାରୀ କୌଣସି ଉତର ପ୍ରଦାନ କରିନଥିଲେ । ଗାନ୍ଧୀଙ୍କ ବାର୍ତା ପ୍ରଚାର ଓ ପ୍ରସାର କରିବା ପାଇଁ ପ୍ରତିଜ୍ଞାବଦ୍ଧ ଦୁଇ ଯୁବକ ନିଜ ଖର୍ଚ୍ଚରେ ଯାଇ କାଠମାଣ୍ଡୁରୁ ଫେରିଛନ୍ତି । ସରକାରଙ୍କ ଏତାଦୃଶ କାର୍ଯ୍ୟକୁ ବୁଦ୍ଧିଜୀବୀମାନେ ଘୋର ନିନ୍ଦା କରିଛନ୍ତି । ଓଡ଼ିଶା ସମାଚାର