ଭୁବନେଶ୍ୱର,୧୧/୧୦/୨୦୧୯ ( ଓଡ଼ିଶା ସମାଚାର)- ଏନ୍.ଆର୍.ସି.ଡବ୍ଲ୍ୟୁ.ଡି ଦ୍ୱାରା ପରିଚାଳିତ ଆର୍.ଆର୍.ଟି.ସି ତରଫରୁ ସାମାଜିକ ନ୍ୟାୟ ଓ ଅଧିକାରିତା ମନ୍ତ୍ରାଳୟ,ଭାରତ ସରକାରଙ୍କ ସହଯୋଗରେ ଭୂବନେଶ୍ୱରସ୍ଥ ରେଳ ଅଡିଟୋରିୟମ୍ ଠାରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆର୍.ଆର୍.ଟି.ସି ତରଫରୁ ୱାକାଥନ୍ (ବିଶାଳ ର୍ୟାଲି),ସ୍ୱାସ୍ଥ୍ୟ ଶିବିର,ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇଥିଲା । ଅନ୍ୟୁନ ୧୨୦୦ ଲୋକ ଯଥା ବ୍ୟୟୋଜ୍ୟେଷ୍ଠ ବ୍ୟକ୍ତି, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ(ବାଳିକା ବିଭାଗ), ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତା, ବରିଷ୍ଠ ନାଗରିକ ବାସସ୍ଥାନର ଅନ୍ତେବାସୀଗଣ, ସାମାଜିକ କର୍ମୀ, ଗଣମାଧ୍ୟମ ପ୍ରତିନିଧିବୃନ୍ଦ, ସରକାରୀ କର୍ମଚାରୀ ବୃନ୍ଦ, ସ୍ୱେଚ୍ଛାସେବୀଗଣଙ୍କୁ ନେଇ ପ୍ରେସ୍ ଛକଠାରୁ ଏକ ୱାକାଥନ୍ ରାର୍ଲିର ଶୁଭାରମ୍ଭ କରାଯାଇଥିଲା । ଏହି ଗଣଦୌଡ (ର୍ୟାଲିକୁ) ରାଷ୍ଟ୍ରୀୟ ସାମାଜିକ ପ୍ରତିରକ୍ଷା ସଂସ୍ଥାନର ଡେପୁଟି ଡାଇରେକ୍ଟର ଡକ୍ଟର ଏଚ୍.ସି ଶ୍ରୀଧରା ଚନ୍ନାକେଶବା ରଙ୍ଗା ରେଡ୍ଡୀ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡିଶା ସରକାରଙ୍କ ଡେପୁଟି ସେକ୍ରେଟାରୀ ଶ୍ରୀ ଅମ୍ବିକା ପ୍ରସାଦ ପଟ୍ଟନାୟକ ସକାଳ ୮ଟାରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରାର୍ଲିରରେ ବରିଷ୍ଠ ନାଗରିକ ଓ ଅନ୍ୟାନ୍ୟ ଅଂଶଗ୍ରହଣକାରୀମାନେ ବିଭିନ୍ନ ପ୍ଲାକାର୍ଡ ଧରି ଏହି ଦିବସ ପାଳନର ତାତ୍ପର୍ଯ୍ୟ ଜଣାଇ ବିଭିନ୍ନ ସ୍ଲୋଗାନ ଦେଇ ଲୋକମାନଙ୍କ ମଧ୍ୟରେ ସଚେଚନତା ସୃଷ୍ଟି କରି ସକାଳ ୯ଟାରେ ରେଳ ଅଡିଟୋରିୟମ୍ ଠାରେ ପହଁଚିଥିଲା ।
ଏହାପରେ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷାର ଆୟୋଜନ କରାଯିବା ସହ ମାଗଣାରେ ଔଷଧ ବଂଟନ କରାଯାଇଥିଲା । ଆୟୋଜିତ ହୋଇଥିବା ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଯୋଗ ଦେଇ ଏହି ସମାରୋହକୁ ଉଦଘାଟନ କରିବା ସହ ପ୍ରତ୍ୟେକ ସନ୍ତାନ ସନ୍ତନ୍ତି ତାଙ୍କର ପିତାମାତାଙ୍କ ଇଚ୍ଛା ଓ ତାଙ୍କର ଯତ୍ନ ନେବା ପାଇଁ ଆହ୍ୱାନ କରିଥିଲେ । ଏତଦ୍ ବ୍ୟତୀତ ଶ୍ରୀଯୁକ୍ତ ପାତ୍ର ବୟସ୍କ ଲୋକମାନେ ଚଳଚଂଚଳ ରହିବା ଉପରେ ଗୁରୁତ୍ୱାରୋପ ମଧ୍ୟ କରିଥିଲେ । ଏହି ଅବସରରେ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ପଦ୍ମଶ୍ରୀ ଡଃ ପ୍ରଫୁଲ୍ଲ କୁମାର ଜେନା କହିଲେ ଯେ, ସେ ୯୦ ବର୍ଷରେ ପହଂଚିଥିଲେ ମଧ୍ୟ ଏବେ ବୈଦିକ କାର୍ଯ୍ୟକ୍ରମରେ ଅଭ୍ୟାସ ରଖିପାରିଛନ୍ତି । ଉପସ୍ଥିତ ଥିବା ବୟସ୍କ ନାଗରିକମାନଙ୍କୁ ଡ଼ାକ୍ତର ପରାମର୍ଶ କରି କର୍ମଜୀବି ହୋଇ ରହିବା ପାଇଁ ପରାମର୍ଶ ଦେଇଥିଲେ ।
ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ଅଧିକାରିତା ମନ୍ତ୍ରାଳୟର ଅତିରିକ୍ତ ସଚିବ ଶ୍ରୀମତୀ ଉପମା ଶ୍ରୀବାସ୍ତବ ସମ୍ମାନୀତ ଅତିଥିଭାବେ ଯୋଗ ଦେଇ କହିଲେ ଯେ, ଭାରତ ସରକାର ତରଫରୁ ବୟସ୍କ ଲୋକଙ୍କ ପାଇଁ ଏକ ନୀତି ଖୁବ୍ ଶୀଘ୍ର ପ୍ରଣୟନ କରାଯିବ । ଏନଆଇଏସଡ଼ିର ଉପ ନିର୍ଦ୍ଧେଶକ ଡଃ ଏସ୍.ସି. ଶ୍ରୀଧରା ଚନ୍ନାକେଶବା ରଙ୍ଗା ରେଡ୍ଡୀ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ ନାଗରିକମାନଙ୍କ ପାଇଁ ପ୍ରଣୟନ ହୋଇଥିବା ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡିଶା ସରକାରଙ୍କ ସଚିବ ଶ୍ରୀଯୁକ୍ତ ଭାସ୍କର ଶର୍ମା, ଆଇ.ଏ.ଏସ୍, ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଏନଆରସିଡବ୍ଲୁର ସମ୍ପାଦକ ଶ୍ରୀଯୁକ୍ତ ସୁକାନ୍ତ କୁମାର ପରିଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ନାଗେଶ୍ୱର ପଟ୍ଟନାୟକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ଏହି ଅବସରରେ ଆର୍ ଆର୍ ଟି ସି ତରଫରୁ ଆଇ.ଇ.ସି ମ୍ୟାଟେରିଆଲ୍ ବଂଟନ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା ଅଂଶଗ୍ରହଣକାରୀମାନଙ୍କୁ ସାର୍ଟିଫିକେଟ୍ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ଲେଫଟନାଂଟ୍ କର୍ଣ୍ଣେଲ୍ ଆଲୋକ ପଲେଇ, ଏନ.ସି ସି ଡାଇରେକ୍ଟୋରେଟ୍ ଓଡିଶା, ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ରାଉତରାୟ, ଉପ ସଚିବ, ଓଡିଶା ସରକାର, ଭାରତୀ ଚକ୍ର, ଓଡିଶା ରାଜ୍ୟ ମୁଖ୍ୟ , ହେଲପ୍ ଏଜ୍ ଇଣ୍ଡିଆ, ଝରଣା ସ୍ୱାଇଁ, ଲିତା ପ୍ରହରାଜ ପ୍ରମୁଖ ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ବାସନ୍ତୀ ବେହେରା, ଆକାଶ ପରିଡା, ପ୍ରଭାତୀ ମାଝି, ସତୀଶ କୁମାର ସେନାପତି, ଦୁଷ୍ମନ୍ତ ମେହେର, ଯଜ୍ଞଜ୍ୟୋତି ବେହେରା, ପ୍ରେରଣା ଦାସ, ରୁଚି ଏମ୍ ସିଂ, ଗୀତା ପ୍ରହରାଜ, ଭରତ କୁମାର ଜିସି ପ୍ରମୁଖ ସୁଚାରୁରୂପେ ପରିଚାଳନା କରିଥିଲେ । ଶେଷରେ ଏନ୍.ଆର୍.ସି ଡବ୍ଲ୍ୟୁ.ଡିର ଯୁଗ୍ମ ସମ୍ପାଦିକା ଶ୍ରୀମତୀ ଶର୍ମିଲୀ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର
