ମାଲକାନଗିରି, ୧୦/୧୦/୨୦୧୯ ( ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋ ସରକାର କାର୍ଯ୍ୟକ୍ରମ ଅନ୍ତର୍ଗତ ୫ଟି କାର୍ଯ୍ୟକାରିତାର ତଦାରଖ ନେଇ ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ସାଳିନୀ ପଣ୍ଡିତ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଏଫ୍.ଟି. ସଚିବ ଭି. କାର୍ତିକେୟନ ପାଣ୍ଡିଆନ୍ ଏବଂ ଅର୍ଥ ସଚିବ ଏ.କେ.କେ. ମୀନା ମାଲକାନଗିରି ଗସ୍ତ କରିଥିଲେ । ସଚିବଙ୍କ ଗସ୍ତ ପୂର୍ବରୁ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ସୁନ୍ଦର ଓ ବିବାଦମୁକ୍ତ କରିବା ପାଇଁ ପୂର୍ବ ଦିନ ଠାରୁ ସବୁ ପ୍ରକାର କସରତ ଆରମ୍ଭ କରି ଦେଇଥିଲେ । ପରିସର ସଫା ସହ ରୋଗୀମାନେ ଯେଭଳି ସଚିବଙ୍କ ନିକଟରେ ସ୍ୱାସ୍ଥ୍ୟ ସେବା ସମ୍ବନ୍ଧରେ କୌଣସି ଅଭିଯୋଗ କରିପାରିବେ ନାହିଁ । ସେଥିପାଇଁ ସବୁ ୱାର୍ଡରେ ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ରୋଗୀଙ୍କୁ ବୁଝାଇବା ନେଇ ଚର୍ଚ୍ଚା ହୋଇଥିଲା । ବୁଧବାର ଏହି ତିନି ଜଣ ଉଚ୍ଚପଦସ୍ତ ଅଧିକାରୀଙ୍କ ଗସ୍ତକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି । ଏକ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ଏମ୍.ଭି. ୩ ବି.ଏସ୍.ଏଫ୍. କ୍ୟାମ୍ପରେ ଅବତରଣ କରି ସେଠାରୁ ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । ତାଙ୍କ ସହ ଜିଲାପାଳ ମନିଷ ଅଗ୍ରବାଲ, ଏସ୍.ପି. ହୃଷିକେଶ ଡି ଖିଲାରି, ମୁଖ୍ୟ ଚିକିତ୍ସାଧିକାରୀ ଅଜୟ କୁମାର ବୈଠାରୁ, ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଅନିଲ କୁମାର ମିଶ୍ର, ଡାକ୍ତର ଖାନାର
ବିଭିନ୍ନ ୱାର୍ଡ ପରିଦର୍ଶନ କରି ଏକ କୋଠରିରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏବଂ ମାଲକାନଗିରି ଜିଲାରେ ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ସମସ୍ୟା, ରୋଗୀ ସେବା ସମ୍ବନ୍ଧରେ ଆଲୋଚନା କରିଥିଲେ । ବିଶେଷ କରି ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଥିବା ମୋ ସରକାର କାର୍ଯ୍ୟକ୍ରମରେ ମାଲକାନଗିରି ଜିଲାରେ ରୋଗୀ ସେବା ଏବଂ ଡାକ୍ତରଖାନା ପରିଚାଳନା ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରି ମାଲକାନଗିରି ଜିଲା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିବ ବୋଲି ପଣ୍ଡିତ ପ୍ରକାଶ କରିଥିଲେ । ଉଭୟ ଭି. କାର୍ତିକେୟନ ପାଣ୍ଡିଆନ୍ ଏବଂ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଏ.କେ.କେ. ମୀନା ଡାକ୍ତରଖାନା ପରିଦର୍ଶନ କରି ସ୍ୱାସ୍ଥ୍ୟ ସେବା ଠିକ୍ ଥିବା ପ୍ରକାଶ କରିଛନ୍ତି । ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ବୈଠାରୁ ପ୍ରକାଶ କରିଛନ୍ତି ଯେ, ମାଲକାନଗିରି ଡାକ୍ତରଖାନାରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ରହିବା ସୁବିଧା, କ୍ୟାନଟିନ୍ ବ୍ୟବସ୍ଥା, ଖାଲି ପଡିଥିବା ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ନିଯୁକ୍ତି, ପ୍ରତି ସପ୍ତାହରେ ବାହାର ଜିଲା ଏବଂ ରାଜ୍ୟରୁ ସ୍ପେସାଲିଷ୍ଟମାନେ ଦୁଇଥର
ମାଲକାନଗିରି ଆସି ରୋଗୀଙ୍କ ପରୀକ୍ଷା କରିବା ସହ ରୋଗୀମାନଙ୍କ ସମସ୍ତ ଔଷଧ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସେ ପ୍ରକାଶ କରିଛନ୍ତି । ଏହି ସଭାରେ ଗଣମାଧ୍ୟମକୁ ବାରଣ କରାଯାଇଥିଲା । ପଦୁଟିଏ ମଧ୍ୟ କୌଣସି ସଚିବ କିମ୍ବା ଜିଲାପାଳ ଗଣମାଧ୍ୟମ ସହିତ ଗସ୍ତ ସମ୍ପର୍କରେ ସୂଚନା ଦେଇ ନଥିବା ବେଳେ କାର୍ଯ୍ୟକ୍ରମ ଆରମ୍ଭଠାରୁ ଗଣମାଧ୍ୟମକୁ ଦୂରେଇ ରଖାଯାଇଥିଲା । ସରକାର ଓ ପ୍ରଶାସନ ଯଦି ସ୍ୱଚ୍ଛ ଏବଂ ନିରପେକ୍ଷ ତେବେ ଗଣମାଧ୍ୟମକୁ ସାମ୍ନା କରିବାକୁ ଡର କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଓଡ଼ିଶା ସମାଚାର