ପାଟକୁରା, ୧୦/୧୦/୨୦୧୯ ( ଓଡ଼ିଶା ସମାଚାର)- ନିଜ ଦୋକାନ ଘର ଆଗରେ ବାଇକ୍ ରଖି ଠାକୁର ପୂଜା ପାଇଁ ପାଣି ଆଣିବାକୁ ଯାଇଥିବା ଅବସ୍ଥାରେ ଦୁବୃର୍ତମାନେ ବାଇକ୍ ଡିକିରୁ ୧୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ରୂପା ଅଳଙ୍କାର ଲୁଟ୍ କରି ନେଇ ଫେରାର ହୋଇଯାଇଥିବା ପାଟକୁରା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ,ପାଟକୁରା ଥାନା ଅନ୍ତର୍ଗତ ପାଖଡ ଗ୍ରାମର ନୃସିଂହ ଚରଣ ସାହୁ ଙ୍କର ନିକଟସ୍ଥ ଶୀତଳପାଟଣା ଛକରେ ସାହୁ ଆଣ୍ଡ ସନସ୍ ଜୁଏଲର୍ସ ଓ କଂସା ବାସନ ଷ୍ଟୋର ରହିଛି । ନୃସିଂହ ବୁଧବାର ସକାଳ ପ୍ରାୟ ସାଢେ୧୦ଟା ସମୟରେ ନିଜ ଘରୁ ଏକ ବାଇକ୍ ରେ ଦୋକାନ ପର୍ଯ୍ୟନ୍ତ ଯାଇଥିଲା । ଦୋକାନ ଘର ଆଗରେ ବାଇକ୍ ରଖି ଦୋକାନ ଖୋଲିବା ପରେ ନିକଟସ୍ଥ ଏକ ନଳକୂପରୁ ପାଣି ଆଣି ଠାକୁର ପୂଜା କରିବା ପାଇଁ ଯାଇଥିବାବେଳେ, ସେହି ସମୟରେ ବାଇକ୍ ଡିକିକୁ ଖୋଲି ଦୁର୍ବୃତ ଡିକିରେ ରହିଥିବା ପ୍ରାୟ୧୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଓ ରୂପା ଅଳଙ୍କାରମାନ ଲୁଟି ନେଇ ଫେରାର ହୋଇଯାଇଛନ୍ତି । ବାଇକ୍ ଡିକି ଖୋଲା ଥିବାର ଦେଖି ନୃସିଂହ ହତବାକ୍ ହୋଇଯାଇଥିଲା । ପରେ ନୃସିଂହ ପାଟକୁରା ଥାନାକୁ ଆସି ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲା । ପାଟକୁରା ଥାନା ଅଧିକାରୀ ସୁଜିତ୍ କୁମାର ପ୍ରଧାନ ନୃସିଂହଙ୍କଠାରୁ ସମସ୍ତ କଥା ଅବଗତ ହେବା ପରେ ପାଟକୁରା ଥାନା ଏଏସଆଇ ଦେବେନ୍ଦ୍ରନାଥ ବେହରୋଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ । ଶ୍ରୀ ବେହେରା ଘଟଣାସ୍ଥଳରେ ପହଂଚି ସମସ୍ତ ପ୍ରକାର ଚୋରୀ ସମ୍ପର୍କରେ ଅନୁସନ୍ଧାନ କରିିଛନ୍ତି । ଏ ସମ୍ପର୍କରେ ପାଟକୁରା ଥାନାରେ ଏକ ଚୋରୀ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଛି । ଓଡ଼ିଶା ସମାଚାର