କେନ୍ଦ୍ରାପଡା,୦୯/୧୦/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଟାଉନ ଥାନାରେ ଜଣେ ସବଇନିସପେକ୍ଟରଙ୍କ ସହିତ ନିଜର ସମ୍ପର୍କୀୟଙ୍କ କେଶ ବିଷୟରେ କଥାବାର୍ତା କରୁଥିବା ବେଳେ ସଂପୃକ୍ତ ଏସ.ଆଇ.ଙ୍କ ଅଗୋଚରରେ କଥାବାର୍ତାକୁ ଷ୍ଟିଙ୍ଗ ଭିଡିଓ ବନେଇ ବ୍ଲାକ ମେଲିଂ କରିବା ଅଭିଯୋଗରେ ଜଣେ ଗିରଫ ହୋଇ କୋର୍ଟଚାଲାଣ ହୋଇଥିବା ଥାନା ପକ୍ଷରୁ ସୂଚନା ମିଳିଛି । ଖବରରୁ ପ୍ରକାଶ ଯେ ଟାଉନ ଥାନା ଅନ୍ତର୍ଗତ ବଡହାଟ ଗ୍ରାମର ଅକ୍ଷୟ କୁମାର ସାହୁଙ୍କ ପୁଅ ଅନନ୍ତ ଗୋପାଳ ସାହୁ(୩୮) ବୁଧବାର ସକାଳେ ଥାନାରେ ପହଁଚି ସବଇନିସପେକ୍ଟର ସୈାମ୍ୟରଞ୍ଜନ ଜାଲିଙ୍କ ସହିତ ନିଜର ଜଣେ ସମ୍ପର୍କୀୟଙ୍କ କେଶ ସମ୍ପର୍କରେ କଥାବାର୍ତା କରିଥିଲେ । ସେହି ସମୟରେ ସଂପୃକ୍ତ ସବଇନିସପେକ୍ଟରଙ୍କ ଅଗୋଚରରେ ସେହିକଥାବାର୍ତାକୁ ଷ୍ଟିଙ୍ଗ ଭିଡିଓ ବନାଉଥିବା ଅନ୍ୟଜଣେ ଏସ.ଆଇ.ଅନ୍ତର୍ୟ୍ୟାମୀ ବିଶ୍ୱାଳ ଦେଖି ପଚାରିବାରେ ପ୍ରଥମେ ଅଭିଯୁକ୍ତ ଶ୍ରୀ ସାହୁ ମାନିନଥିଲେ । ପରେ ପଚରାଉଚୁରା କରାଯିବାରେ ଏସ.ଆଇ ଜାଲିଙ୍କୁ ପରବର୍ତି ସମୟରେ ବ୍ଲାକମେଲିଂ କରିବା ଉଦେଶ୍ୟରେ ସେ ଏପରି କରୁଥିବା ସ୍ୱୀକାର କରିଥିଲେ । ଅଭିଯୁକ୍ତ ଅନନ୍ତ ଗୋପାଳ ସାହୁଙ୍କ ନାମରେ ଆଇ.ପି.ସି.ର ଧାରା ୪୧୯, ୪୨୦,୪୪୮, ୩୮୫, ୫୦୬ଦଫାରେ ଥାନା କେଶ ନମ୍ବର ୧୯୫/୨୦୧୯ରେ ମାମଲା ରୁଜୁ କରାଯିବା ସହ ତାଙ୍କୁ କୋର୍ଟଚାଲାଣ କରାଯାଇଥିବା ଏସ.ଆଇ.ଅନ୍ତର୍ୟ୍ୟାମୀ ବିଶ୍ୱାଳ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଅନନ୍ତ ଗୋପାଳ ସାହୁ ଓଡିଶା ନୁ୍ୟଜ ସର୍ଭିସ୍ ର ଭୂବନେଶ୍ୱରର(ସିନେମା ଓ ସଂସ୍କୃତି)ର ରିପୋର୍ଟର ବୋଲି ଏକ କାର୍ଡ ତାଙ୍କ ନିକଟରୁ ମିଳିଛି । ଓଡ଼ିଶା ସମାଚାର