ବୌଦ୍ଧିକ କବିତା ଆମ ଜୀବନ ପଥକୁ ଆଲୋକିତ କରିଥାଏ
ଭୁବନେଶ୍ୱର,୦୫/୧୦/୨୦୧୯ ( ଓଡ଼ିଶା ସମାଚାର)- ବୌଦ୍ଧିକ କବିତା ଆମ ଜୀବନ ପଥକୁ ଆଲୋକିତ କରିଥାଏ ବୋଲି ବିଜେପି ରାଷ୍ଟ୍ରୀୟ ଉପସଭାପତି ଶ୍ୟାମ୍ ଜାଜୁ ପ୍ରକାଶ କରିଛନ୍ତି । ୩୯ତମ ବିଶ୍ୱ କବି ସମ୍ମିଳନୀର ଦ୍ୱିତୀୟ ଦିବସରେ ବୌଦ୍ଧିକ କବିତା ଅଧିବେଶନକୁ ଉଦଘାଟନ କରି ଶ୍ରୀ ଜାଜୁ କହିଲେ, କବିତା ଆମକୁ ଯୋଡ଼ିଥାଏ । ବୌଦ୍ଧିକ କବିତା ଅନ୍ୟକୁ ବୁଝିବାରେ ସାହାଯ୍ୟ କରିଥାଏ । ଏହା ଆମକୁ ଘୃଣାରୁ ଭଲ ପାଇବା, ହିଂସାରୁ କ୍ଷମା ଆଡ଼କୁ ବଢ଼ାଇ ନେଇଥାଏ । ଏହା ଆମର ଜୀବନ ପଥକୁ ଆଲୋକିତ କରିଥାଏ । ବୌଦ୍ଧିକ କବିତା ଗୋଟିଏ ବୁଝାମଣାକୁ ପ୍ରକାଶିତ କରିଥାଏ । ଏହାକୁ ଆମେ ଅନୁଭବ କରିଥାଉ । ମହାକବି କାଳିଦାସ, ରବୀନ୍ଦ୍ରନାଥ ଟାଗୋର, ସରୋଜିନୀ ନାଇଡୁ, ଶ୍ରୀ ଅରବିନ୍ଦ ଏବଂ ଅଟଳ ବିହାରୀ ବାଜପେୟୀ ହେଉଛନ୍ତି ଭାରତର ମହାନ ବୌଦ୍ଧିକ କବି । ମହାନ କବି କାଳିଦାସଙ୍କ କବିତାରେ ପ୍ରେମ, ଘୃଣା, ବିଶ୍ୱାସଘାତକତା, ସମ୍ବେଦନଶୀଳତା ଏବଂ କର୍ତବ୍ୟ ଆଦି ମାନବିକ ଅନୁଭବ ସବୁ ପ୍ରତିଫଳିତ ହୋଇଥିବା ଦେଖିବାକୁ ମିଳେ । ନୈତିକତା ଆଧାରରେ ଆତ୍ମା ଓ ଦୟାକୁ କବିତା ହିଁ ଖୋରାକ ଯୋଗାଇଥାଏ । ବର୍ତମାନ ସମୟରେ ସମାଜ ଦୟାଠାରୁ ବଳି ଅନ୍ୟ କିଛି ଆଶା କରେନାହିଁ । ଏଥିପାଇଁ ଆମକୁ ଦୟାଶୀଳ ଏବଂ ଭଲ ମଣିଷ ହେବାକୁ ପଡ଼ିବ । ସମାଜରେ ଦୟାକୁ ସୁନିଶ୍ଚିତ କରିବାରେ ସବୁଠୁ ବଡ଼ ମାଧ୍ୟମ ହେଉଛି କବିତା । ୱାର୍ଲଡ ଆକାଡେମୀ ଅଫ ଆର୍ଟସ ଆଣ୍ଡ କଲଚର (ୱାକ)ର ପ୍ରଥମ ଉପସଭାପତି ପ୍ରଫେସର ଅର୍ନେଷ୍ଟୋ କାହାନ କହିଲେ, ଆମର ସଭ୍ୟତା ହେଉଛି ୨ହଜାର ବର୍ଷ ପୁରୁଣା । ଏହି ୨ହଜାର ବର୍ଷରେ ୩ଶହ ପିଢ଼ି ଅତିକ୍ରମ କରିସାରିଛି । ବର୍ତମାନ ପିଢ଼ି ନିକଟରେ ବିଶେଷ ଅଧିକାର ରହିଛି । ଆମ ନିକଟରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଶିକ୍ଷା ଓ ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର ସମ୍ବଳ ରହିଛି । ଏସବୁ ସତ୍ୱେ ଆଣବିକ ଶକ୍ତି ଦ୍ୱାରା ମାନବ ଜାତି ଧ୍ୱଂସ ପାଇଯିବା ସହ ଆମର ବିଶ୍ୱ ଧ୍ୱଂସ ପାଇଯିବାର ସମ୍ଭବନା ମଧ୍ୟ ରହିଛି । ଏହି ପରିପ୍ରେକ୍ଷୀରେ କବିତା ହେଉଛି ଉଭୟ ସୌନ୍ଦର୍ଯ୍ୟ ଓ ପ୍ରେମ । ଆମେ ଆମ ନିକଟରେ ଥିବା ବିଧ୍ୱଂସୀ କ୍ଷମତାକୁ କବିତା ମାଧ୍ୟମରେ ଦୂର କରି ଆମେ ବିଶ୍ୱରେ ଶାନ୍ତି ଓ ଭ୍ରାତୃଭାବ ସ୍ଥାପନ କରିପାରିବା ବୋଲି ପ୍ରଫେସର କାହାନ କହିଥିଲେ । କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷିକେଶ ମହାନ୍ତି କହିଲେ, ଓଡ଼ିଶା ହେଉଛି ବେଦ୍ଧିକ କବିତାର ଭୂମି । ପ୍ରକୃତରେ କବିତା ହେଉଛି ପ୍ରେମ ଓ ଦୟା । ଅତିବଡ଼ି ଜଗନ୍ନାଥ ଦାଶଙ୍କ ଦ୍ୱାରା ଲିଖିତ ଓଡ଼ିଆ ଭାଗବତ ହେଉଛି ସର୍ବପୁରାତନ ବୌଦ୍ଧିକ କବିତା ବୋଲି ସେ କହିଥିଲେ । ୩୯ତମ ବିଶ୍ୱ କବି ସମ୍ମିଳନୀର ସଭାପତି ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ୱାକ୍ ର ସାଧାରଣ ସଂପାଦିକା ଡ. ମାରିଆ ଇଉଜେନିଆ ସୋବେରନିସ୍ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଶିଷ୍ଟ କବୟିତ୍ରୀ ଓ ଲେଖିବା ପ୍ରବାସିନୀ ମହାକୁଡ଼, ମେଁ ଫେୟାର ହୋଟେଲ ଆଣ୍ଡ ରିସର୍ଟ କାର୍ଯ୍ୟନିର୍ବାହୀ ନିର୍ଦ୍ଧେଶକ ସୌଭାଗ୍ୟ କୁମାର ମହାପାତ୍ର, ପୋଏଟ୍ରି ଆକ୍ରସ କଲଚରର ସଭାପତି ଡ. ରିତା ମାଲହୋତ୍ରା ଏବଂ ଅଲିମ୍ପିଆନ ଦୂତୀ ଚାନ୍ଦଙ୍କୁ ବିଶ୍ୱ କବି ସମ୍ମିଳନୀ ପକ୍ଷରୁ ସମ୍ମାନସୂଚକ ଡିପ୍ଲୋମା ପ୍ରଦାନ କରାଯାଇଥିଲା । ଦିନ ତମାମ କବିତା ମାଧ୍ୟମରେ ଦୟା ଉପରେ ଇଂରାଜୀ, ସ୍ପେନ, ଚୀନ, ହିନ୍ଦୀ ଓ ଓଡ଼ିଆ ଭାଷାରେ ସମାନ୍ତରାଳ କବିତା ପାଠ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହା ବ୍ୟତୀତ ବିଶ୍ୱର ବିଭିନ୍ନ ଭାଷାରେ ୬୭ ଜଣ ଲେଖକଙ୍କ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଓଡ଼ିଶା ସମାଚାର