କେନ୍ଦ୍ରାପଡା ୦୪/୧୦/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ଉନ୍ନୟନ କାର୍ଯ୍ୟ ତଦାରଖ ଦାଇତ୍ୱରେ ଥିବା ରାଜ୍ୟ ସରକାରଙ୍କ ବୟନ,ହସ୍ତଶିଳ୍ପ ଓ କୁଟୀରଶିଳ୍ପ ବିଭାଗ ଶାସନ ସଚିବ ଶୁଭା ଶର୍ମା ଏକ ଦିନିକିଆ କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଆସି ଏଠାରେ ପହଁଚିବା ପରେ ପୂର୍ବାହ୍ନରେ ଜଝାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ମଧ୍ୟାହ୍ନ ଭୋଜନ ରୋଷେଇ ନିମନ୍ତେ କାଠଚୁଲା ପରିବର୍ତେ ଗ୍ୟାସ ଚୁଲା ବ୍ୟବହାର ପାଇଁ ପରାମର୍ଶ ଦେଇଥିଲେ । ସେହିପରି ଜଝାଙ୍ଗ ସ୍ୱୟଂ ସହାୟିକା ଗୋଷ୍ଠି, ଗୋଗୁଆରେ ସୁଷମ ବଂଟନ ବ୍ୟବସ୍ଥା, ପଟ୍ଟାମୁଣ୍ଡାଇ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, କରୁଣା ଗ୍ରାମପଂଚାୟତରେ ଜଳଶକ୍ତି ମିଶନ, ପ୍ରଧାନମନ୍ତ୍ରୀ ଆବାସ ଗୃହ, ଆଳି ବ୍ଲକର କଳସପୁର ଠାରେ ଓଭରହେଡ ପାଣି ଟ୍ୟାଙ୍କ ପରିଦର୍ଶନ କରି ବିଭାଗୀୟ ଅଧିକାରୀଙ୍କ ଠାରୁ ତଥ୍ୟ ସଂଗ୍ରହ କରିଥିଲେ । ଅପରାହ୍ନ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ବିଭାଗୀୟ ଅଧିକାରୀମାନଙ୍କ ସହ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ । ଶାସନ ସଚିବ ଶ୍ରୀମତୀ ଶର୍ମା ଗ୍ରାମୀଣ ଗୃହ ଯୋଗାଣ,ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ,ଓଡିଶା ଜୀବିକା ମିଶନ,ବିଦ୍ୟାଳୟ ଓ ଗଣଶିକ୍ଷା,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତି କରଣ,ବେସାମରିକ ଯୋଗାଣ ବିଭାଗର ସୁଷମ ବଂଟନ ପ୍ରଭୃତି ସମ୍ପର୍କରେ ଏବଂ ଉନ୍ନୟନ ଯୋଜନାରେ ଜିଲ୍ଲାରେ କାର୍ଯ୍ୟକାରି ହେଉଥିବା ବିଭିନ୍ନ ପ୍ରକଳ୍ପ ଗୁଡିକର ଅଗ୍ରଗତି ଓ ହିତାଧିକାରୀଙ୍କ ସଫଳତା ବିଷୟରେ ବିଭାଗୀୟ ଅଧିକାରୀମାନଙ୍କ ଠାରୁ ପଚାରି ବୁଝିଥିଲେ । ମହାକାଳପଡା,ରାଜନଗର ଓ ପଟ୍ଟାମୁଣ୍ଡାଇ ବ୍ଲକରେ ଚାଲୁଥିବା ପ୍ରକଳ୍ପ ଗୁଡିକୁ ତ୍ୱରାନ୍ୱିତ କରି ପ୍ରଗତୀର ଧାରାକୁ ଆଗକୁ ନେବା ସହ ମୁଖ୍ୟମନ୍ତ୍ରୀଙ୍କ ୫-ଟି ଯୋଜନାକୁ କାର୍ଯ୍ୟକାରୀତା ଦିଗରେ ଗୁରୁତ୍ୱ ଦେବାକୁ ନିର୍ଦେଶ ଦେଇଥିଲେ । ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଅକ୍ଟୋବରମାସ ୩୦ସୁଧା ସମସ୍ତ ପ୍ରକଳ୍ପକାର୍ଯ୍ୟ ଶେଷ କରିବାକୁ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକଙ୍କୁ ନିର୍ଦେଶ ଦେଇଥିଲେ । ସେହିଭଳି ବିଜୁ ପକ୍କାଘର ଯୋଜନାରେ ଥିବା ସମସ୍ତ ପ୍ରକଳ୍ପକୁ ୨ସପ୍ତାହ ମଧ୍ୟରେ ଅନୁମୋଦନ କରି କାର୍ଯ୍ୟାଦେଶ ଦେବାକୁ ନିର୍ଦେଶ ଦେଇଥିଲେ । ଜିଲ୍ଲାରେ ମମତା ଯୋଜନାରେ ୨୧ଟି କେଶ ପେଣ୍ଡିଂ ଥିବା ବେଳେ ସେପ୍ଟେମ୍ବରମାସ ସୁଦ୍ଧା ୪୧ହଜାର ୮୭୨ ପଇଠ କରାଯାଇଛି । ମିଶନଶକ୍ତି ଯୋଜନାରେ ଜିଲ୍ଲାରେ ଗଠିତ ହୋଇଥିବା ୯୨୬୫ଟି ସ୍ୱୟଂ ସହାୟିକା ଗୋଷ୍ଠିର କାର୍ଯ୍ୟଧାରାକୁ ସମୀକ୍ଷା କରିଥିଲେ । ଜିଲ୍ଲାରେ ୧୨୭ଟି ଅନୁମୋଦିତ ମିଶନଶକ୍ତି ଗୃହ ମଧ୍ୟରୁ ୬ଟି ଗୃହର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ୧୯୨୧ ଅଙ୍ଗନୱାଡି ଗୃହ ମଧ୍ୟରୁ ୮୨୫ଟିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ୩୫୮ଟିର ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ୭୩୮ଟିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନଥିବା ଜଣାପଡିଛି । ମଧ୍ୟାହ୍ନ ଭୋଜନ ଯୋଜନାରେ ଜିଲ୍ଲାରେ ଥିବା ୧୯୪୫ଟି କେନ୍ଦ୍ର ସମ୍ପର୍କରେ ଶାସନ ସଚିବ ଶ୍ରୀମତୀ ଶର୍ମା ସମୀକ୍ଷା କରିବା ସହ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ଆଇ.ଜି.ଏନ.ଡି.ପି., ଆଇ.ଜି.ଏନ.ଡ ବ୍ଲୁ୍ୟ.ପି., ସୁଷମ ବଂଟନ ବ୍ୟବସ୍ଥାରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ଆଧାର ସିଡିଂ ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ଯୋଜନାରେ ଶତକଡା ୯୫ଭାଗ ସଫଳତା ମିଳିଥିବାରୁ ଶାସନ ସଚିବ ସନ୍ତୋଷ ବ୍ୟକ୍ତ କରିଥିଲେ । ସମୀକ୍ଷା ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଉର୍ମିଳା ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନା ବେହେରା, ଜାତୀୟ ସ୍ୱାସ୍ଥ୍ୟ ମିଶନର ଡିପିଏମ ପ୍ରକାଶ ବାନାର୍ଜୀ, ବେଷାମରିକ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସ,ଜିଲ୍ଲା ସମାଜମଙ୍ଗଳ ଅଧିକାରେୀ ଚିନ୍ମୟୀ ରଥ, ଜିଲ୍ଲା ମିଶନଶକ୍ତି ପ୍ରକଳ୍ପ ପରିଚାଳକ କୈଳାସ ସେନାପତି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଉଦୟନାଥ ଜେନା, ସେସୁର ଏଜିଏମ ଅମରଜୀତ ପଟ୍ଟନାୟକ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର