ସାଲେପୁର,୦୨/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)- ସାଲେପୁର ବ୍ଲକ୍ ଉପାଧ୍ୟକ୍ଷ ଜଣେ ରାଜସ୍ୱ ନିରୀକ୍ଷକଙ୍କୁ ଗାଳିଗୁଲଜ କରିଥିବା ନେଇ ରାଜସ୍ୱ ନିରୀକ୍ଷକ ଜଣକ ସାଲେପୁର ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ଅଭିଯୋଗରୁ ପ୍ରକାଶ ଯେ ଗତ ୨୬ତାରିଖ ଦିବା ୧ଘଟିକା ସମୟରେ ମାଳଶାସନ ରାଜସ୍ୱ ନିରୀକ୍ଷକ ରତ୍ନାକର ଦେହୁରୀ ନରଦା ଗ୍ରାମକୁ ଭତା ଫର୍ମ ତଦନ୍ତ କରିବାକୁ ଯାଉଥିବାବେଳେ ସାଲେପୁର ବ୍ଲକ୍ର ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଜେନା ଭତା ଫର୍ମ ତଦନ୍ତକୁ ନେଇ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ୫ମିନିଟ୍ ମଧ୍ୟରେ ଭତା ଫର୍ମଗୁଡ଼ିକୁ ଦସ୍ତଖତ କରିବାକୁ ଧମକ ଦେଇଥିଲେ । ଏବଂ ସଂପୃକ୍ତ ସର୍କଲର ପିଅନ ବିଶ୍ୱଜିତ୍ ଶତପଥୀଙ୍କ ସାର୍ଟ କଲର ଧରି ଅଫିସ ବାହାରକୁ ଟାଣି ଆଣିବା ସହ ଉଭୟ ପିଅନ ଓ ରାଜସ୍ୱ ନିରୀକ୍ଷକଙ୍କୁ ସର୍କଲ ଏରିଆକୁ ନପଶିବାକୁ ଧମକ ଦେଇଥିଲେ । ଯଦି ସେହି ଏରିଆକୁ ତଦନ୍ତ କରିବାକୁ ଯାଆନ୍ତି, ମାଡ଼ ମରାଯିବ ବୋଲି ଧମକ ଦେଇଥିବା ରାଜସ୍ୱ ନିରୀକ୍ଷକ ରତ୍ନାକର ଦେହୁରୀ ଓ ପିଅନ ବିଶ୍ୱଜିତ୍ ଶତପଥୀ ଲିଖିତ ଭାବେ ସାଲେପୁର ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ଆମ ପ୍ରତିନିଧି ସାଲେପୁର ପଂଚାୟତ ସମିତି ଉପାଧ୍ୟକ୍ଷ ରମେଶ ଜେନାଙ୍କୁ ପଚାରିବାରୁ ସେ କହିଲେ ଯେ ମାଳଶାସନ ସର୍କଲର ରାଜସ୍ୱ ନିରୀକ୍ଷକ ଶ୍ରୀ ଦେହୁରୀ ଓ ପିଅନ ଶ୍ରୀ ଶତପଥୀ ଏହି କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟ ନେଇ ଆସୁଥିବା ଜନସାଧାରଣଙ୍କୁ ଦୁର୍ବବ୍ୟବହାର କରୁଥିବାବେଳେ ବିଭିନ୍ନ ତଦନ୍ତ ରିପୋର୍ଟ ଦେବାରେ ହଇରାଣ ହରକତ କରୁଛନ୍ତି । ମୁଁ ଏ ସଂପର୍କରେ ତାଙ୍କୁ ପଚାରିବାରୁ ସେ ମିଥ୍ୟାରେ ମୋ ନାମରେ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିବା ସେ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର