ବିରିଡି, ୦୧/୧୦/୨୦୧୯ (ଓଡ଼ିଶା ସମାଚାର)-ବିରିଡ଼ି ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଜିଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଜଗତସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗ ଦେଇ ବ୍ଲକର ବିଭିନ୍ନ ଅଂଚଳରୁ ଆସିଥିବା ୪୬୮ ଜଣଙ୍କ ବିଭିନ୍ନ ସମସ୍ୟା ଉପରେ ଅଭିଯୋଗ ଶୁଣି ଏହାର ତ୍ୱରିତ ସମାଧାନ ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ନିକଟକୁ ପଠାଇଛନ୍ତି । ଅଭିଯୋଗଗୁଡିକ ମଧ୍ୟରେ ବିଜୁ ପକ୍କାଘର ୪୮, ଖାଉଟି କାର୍ଡ ୩, ଆଇନ ସହାୟତା ୩, ଭତା ୬, କାଳିଆ ଯୋଜନା ୧, ଫନି ବାତ୍ୟା ସହାୟତା ସମ୍ବନ୍ଧୀୟ ୩୭୭, ଗ୍ରାମ୍ୟ ସମସ୍ୟା ୨୧, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ୨, ରେଡକ୍ରସ ୩ଟି ଅନ୍ତର୍ଭୁକ୍ତ । ସେଥିମଧ୍ୟରୁ ୪ଟି ତ୍ୱରିତ ଫଏସଲା କରାଯାଇଛି । ବାଲିକୁଦା ବ୍ଲକର ବ୍ରାହ୍ମଣ୍ଡୀ ଗ୍ରାମର ଲିଜାଲିନ ସାହୁ (୨୪) କର୍କଟରେ ପୀଡିତ ଥିବାରୁ ତାଙ୍କ ଚିକିତ୍ସା ପାଇଁ ଜିଲାପାଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ଦିଆଯିବା ପାଇଁ ସୁପାରିଶ କରିଥିଲେ । ଜିଲାପାଳ ବାଲିକୁଦା ବ୍ଲକ ୧୦ ବାଟିଆ ବାଲିପାଟଣା ଗ୍ରାମର କ୍ଷେତ୍ରମୋହନ ସେଠୀ ନାମକ ଜଣେ ବ୍ୟକ୍ତିଙ୍କୁ ତାଙ୍କର ଆଙ୍ଗୁଠି ପ୍ଲାଷ୍ଟିକ ସର୍ଜରୀ ପାଇଁ ତାଙ୍କୁ ସେଙ୍ଗ ସେଙ୍ଗ ରେଡକ୍ରସ ପାଣ୍ଠିରୁ ୨ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ । ବିରିଡ଼ି ବ୍ଲକ ଚାଷୀଖଣ୍ଡ ଗ୍ରାମର ସେବତୀ ମଲ୍ଲିକ କର୍ଳଟ ରୋଗରେ ପୀଡିତ ଥିବାରୁ ତାଙ୍କର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଅର୍ଥ ପ୍ରଦାନ ପାଇଁ ସୁପାରିଶ କରିଥିଲେ । ଅପଣ୍ଡରା ବାଲିକୁଦର ସରସ୍ୱତୀ ନାୟକଙ୍କୁ ଚିକିତ୍ସା ପାଇଁ ରେଡକ୍ରସରୁ ମେଡିସିନ ଯୋଗାଇ ଦେବା ପାଇଁ ସୁପାରିଶ କରିଥିଲେ ଏବଂ ବିରିଡ଼ି ବ୍ଲକ ଗୋଠପଦା ତେନ୍ତୁଳିଆ ଗ୍ରାମର ଜ୍ଞାନରଞ୍ଜନ ଭୂୟାଁଙ୍କୁ ଚିକିତ୍ସା ପାଇଁ ରେଡକ୍ରସରୁ ମେଡିସିନ ଦିଆଯିବା ପାଇଁ ମଧ୍ୟ ଜିଲାପାଳ ସୁପାରିଶ କରିଥିଲେ । ହାଜିପୁର ପଂଚାୟତର କଂଟାପଡା ଓ କମାଶାସନ ଗ୍ରାମରେ ପାନୀୟଜଳ ପାଇଁ ବସୁଧା ଯୋଜନାରେ ସୁବିଧା ଯୋଗାଇ ଦେବା ଓ ସୌରଚାଳିତ ମେସିନ ବସାଇବା ପାଇଁ ସରପଂଚ ବିମଳ ପ୍ରସାଦ ସେଠୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ବତିମୀର ପଂଚାୟତର ପୂର୍ବତନ ୱାର୍ଡମେମ୍ବରମାନେ ୪ମାସର ପ୍ରାପ୍ୟ ପାଇନଥିବା ଅଜୟ କୁମାର ମଲ୍ଲ, ବିଜୟ କୁମାର ସ୍ୱାଇଁ ପ୍ରମୁଖ ୱାର୍ଡ ସଭ୍ୟାସଭ୍ୟମାନେ ଅଭିଯୋଗ କରିଥିଲେ । ଶଙ୍ଖପୁର ଉପସ୍ୱାସ୍ଥ୍ୟ କେନ୍ଦ୍ର ଦୀର୍ଘ ବର୍ଷ ଧରି କାର୍ଯ୍ୟକ୍ଷମ ନ ହୋଇ ପଡିରହିଥିବା କଳନ୍ତିରା ଗ୍ରାମର ପ୍ରଭାତ ପରିଡା ଓ କିଛି ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ସେହିପରି ଗେୀନାଥପୁର ସରପଂଚ ସ୍ୱର୍ଣ୍ଣପ୍ରଭା ଭୋଇଙ୍କ ସହ ଜଗନ୍ନାଥ ସାହୁ ଓ ଲକ୍ଷ୍ମୀଧର ସାହୁ ଉଭୟ ବାଲିଆଛକଠାରୁ ବାଲିଆ ମାର୍କେଟ ପର୍ଯ୍ୟନ୍ତ ଯାଇଥିବା ପୂର୍ତ ବିଭାଗ ରାସ୍ତାର ଧୋବା ସାହିଠାରୁ ବାଲିଆ ମାର୍କେଟ ପର୍ଯ୍ୟନ୍ତ ଯାଇଥିବା କଂକ୍ରିଟ ରାସ୍ତାର ଦୁଇପାଶ୍ୱର୍ ଖାଲଖମା ହୋଇପଡିଥିବାରୁ ଚଳିତ ବର୍ଷ ଭସାଣୀ ଉସôବରେ ମେଢଗୁଡିକ ଯିବା ପାଇଁ ବହୁ ଅସୁବିଧା ହେବ । ଏଣୁ ଢଳେଇ ରାସ୍ତାର ଦୁଇପାଶ୍ୱର୍ ମାଟି ପକାଇ ମରାମତି କରିବା ପାଇଁ ଅଭିଯୋଗ କରିଥିଲେ । ବିଜେପି ନେତା ରମାକାନ୍ତ ଭୋଇଙ୍କ ନେତୃତ୍ୱରେ ଦଳୀୟ ର୍କମୀମାନେ ବାଲିଆଷ୍ଟୋରଠାରୁ ମାଛଗାଁ ପୋଲ ପର୍ଯ୍ୟନ୍ତ ରାସ୍ତାଟିକୁ ସମ୍ପୂର୍ଣ୍ଣ ମରାମତି କରିବା, ହାଜିପୁର ଠାରୁ ଧ୍ୟାନକୁଦ ପର୍ଯ୍ୟନ୍ତ ରାସ୍ତାକୁ ତୁରନ୍ତ ମରାମତି କରିବା ସହ ଗତ ଫଣି ବାତ୍ୟାରେ ପ୍ରକୃତ ହିତାଧିକାରୀଙ୍କୁ ଘରଭଙ୍ଗା ସହାୟତା, ବିଜୁପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦେବା ପାଇଁ ଜିଲାପାଳ ନିକଟରେ ଦାବି କରିଥିଲେ । ଜଗତସିଂହପୁର ଜିଲ୍ଲାପାଳ ତାଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୋଟ ୧୭୫୭ଟି ଅଭିଯୋଗ ମଧ୍ୟରୁ ୯ ଶହ ୯୯ ଅଭିଯୋଗ ଫଏସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ଜିଲାପାଳଙ୍କୁ ପୁରସ୍କୃତ କରିବେ ବୋଲି ଏକ ବାର୍ତାକୁ ଜିଲ୍ଲାପାଳ ପଢି ଶୁଣାଇଥିଲେ । ଏହି ସଫଳତା ପାଇଁ ଜିଲାର ସମସ୍ତ ଅଧିକାରୀମାନଙ୍କର ସହଯୋଗ ରହିଛି ବୋଲି କହିବା ସହିତ ସମସ୍ତଙ୍କୁ ଶାରଦୀୟ ଅଭିନନ୍ଦନ ଜଣାଇଥିଲେ । ଏହି ଶିବିରରେ ଜିଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ ରଙ୍ଗରାଜନ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକ ସରୋଜ କୁମାର ମହାନ୍ତି, ଉପଜିଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ଜିଲା ଶିକ୍ଷାଧିକାରୀ ପ୍ରତିଭା ମଞ୍ଜରୀ ଦାସ, ଅତିରିକ୍ତ ଜିଲା ସ୍ୱାସ୍ଥ୍ୟାଧିକାରୀ ଡା. ବସନ୍ତ ବାରିକ, ଜିଲା ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜକ ସପନୀ ଜେନା, ଜିଲା ଯୋଗାଣ ଅଧିକାରୀ ଦିଲ୍ଲୀପ କୁମାର ପାତ୍ର, ଜିଲା ପରିଷଦ ସଭ୍ୟ ପ୍ରତାପ ବେହେରା, ବ୍ଲକ ଅଧ୍ୟକ୍ଷ ପଦ୍ମନାଭ ଭୋଇ, ବିଡ଼ିଓ ଜୀବନ ଚନ୍ଦ୍ର ମଲ୍ଲିକ, ତହସିଲଦାର ସାଗରିକା ପ୍ରିୟଦର୍ଶିନୀ, ଏବିଡ଼ିଓ ଗିରିଜା ପ୍ରସାଦ ବାରିକ, ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳି ସାହୁଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର
