ପାଟକୁରା,୦୧/୧୦/୨୦୧୯ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ଆଜି ଆନ୍ତର୍ଜାତିୟ ବରିଷ୍ଠ ନାଗରିକ ଦିବସ ପାଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ବିଡ଼ିଓ ଧରଣୀଧର ବେହେରା ସଭାପତିତ୍ୱ କରିଥିବାବେଳେ ସମ୍ମାନୀତ ଅତିଥି ଭାବେ ପାଟକୁରା ଥାନା ଆଇଆଇସି ସୁଜିତ କୁମାର ପ୍ରଧାନ , ଡ଼ଃ ମନୋଜ କୁମାର ଜେନା, ବ୍ଲକ୍ ଅଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ସେଠୀ ,ଜିଲାପରିଷଦ ସଦସ୍ୟ ସନ୍ତୋଷ କୁମାର ଜେନା, ବ୍ରହ୍ମାକୁମାରୀ ସରୋଜିନୀ ଭଉଣୀ, ଜିଲାପରିଷଦ ସଦସ୍ୟା ଅହଲ୍ୟା ଲେଙ୍କା, ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇଥିଲେ । ଉତ୍ସବର ଆବାହକ ବ୍ଲକ୍ ସାମାଜୀକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀ ଦିବସ ପାଳନର ତାପôର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲାବେଳେ ଶୁଭଶ୍ରୀ ନାୟକ ଏହାକୁ ପରିଚାଳନା କରିଥିଲେ । ଆଜି ବ୍ଲକ୍ ପକ୍ଷରୁୁ ବିଭିନ୍ନ ପଂଚାୟତରୁ ଶତାଧିକ ବରିଷ୍ଠ ନାଗରିକଙ୍କୁ ଏହି ଉତ୍ସବରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲା । ବରିଷ୍ଠ ନାଗରିକମାନେ ଉତ୍ସବ ସ୍ଥଳରେ ପହଂଚିବା ମାତ୍ରେ ପ୍ରଥମେ ସ୍ୱେଛାସେବୀ ମହିଳା ମାନଙ୍କ ଦ୍ୱାରା ସେମାନଙ୍କ ପାଦ ପ୍ରକ୍ଷାଳନ କରାଯାଇଥିଲା । ସେମାନଙ୍କ ମସ୍ତକରେ ଫୁଲ, ଚନ୍ଦନ ସିନ୍ଦୁର ଓ ଅରୁଆ ଚାଉଳ ଆଦି ଦିଆଯାଇ ସେମାନଙ୍କୁ ବରଣ କରାଯାଇଥିଲା । ପରେ ପରେ ଅତିଥି ମାନଙ୍କ ଦ୍ୱାରା ସେମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରାଯାଇଥିଲା । ବରିଷ୍ଠ ନାଗରିକମାନେ ସମାଜରେ ଅଲୋଡ଼ା ନୁହନ୍ତି ବରଂ ସେମାନେ ଅମୂଲ୍ୟ ସମ୍ପଦ ଓ ସମାଜର ପଥ ପ୍ରଦର୍ଶକ । ସେମାନଙ୍କୁ ସମାଜରେ ତଥା ନିଜ ପରିବାରରେ ସେମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରାନଯାଇ ବରଂ ସେମାନଙ୍କୁ ସ୍ନେହ , ଆଦର ଓ ପ୍ରେମ ରଜୁରେ ବାନ୍ଧି ରଖିଲେ ପରିବାର ସୁଖୀ ହେବା ସହିତ ଉତମ ସମାଜ ଗଠନ ହୋଇ ପାରିବ ବୋଲି ଉପସ୍ଥିତ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ବରିଷ୍ଠ ନାଗରିକଙ୍କ ପାଇଁ ଥିବା ଆଇନଗତ ସାହାଯ୍ୟ ସମ୍ପର୍କରେ ଆଇଆଇସି ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ । ଥାନାରେ ବରିଷ୍ଠ ନାଗରିକଙ୍କ ପାଇଁ ଏକ ସୁରକ୍ଷା ସେଲ , ବରିଷ୍ଠ ନାଗରିକଙ୍କ ନାମ ପଂଜିକରଣ କରାଯାଇ ପରିଚୟ ପତ୍ର ପ୍ରଦାନ , ଉପଜିଲାପାଳ ଙ୍କ ସ୍ତରରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଟ୍ରିବୁନାଲ ଗଠନ ଆଦି ବିଭିନ୍ନ ସୁବିଧା ସମ୍ପର୍କରେ ଆଲୋାଚନା କରିଥିଲେ । ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଡ଼ଃ ସାହୁ ଆଲୋଚନା କରିଥିଲେ । ସବୁଜ ପନି ପରିବା ଖାଇବା , ପ୍ରୋଟିନ , ଆଇରନ , କାଲସିଅମ ଯୁକ୍ତ ଖାଦ୍ୟ ଗ୍ରହଣ କରିବା , ଡ଼ାଇବେଟିସ, ରକ୍ତ ଚାପ , ଚକ୍ଷୁ, ଦନ୍ତ ଆଦି ନିୟମିତ ଭାବେ ସରକାରୀ ହସପିଟାଲ ରେ ଚେକଅପ୍ କରାଇବା ପାଇଁ ପରାମର୍ଶ ଦେଇଥିଲେ । ଅଧିକ ଚିନି, ଲୁଣ ନଖାଇବା ପାଇଁ ପରାମର୍ଶ ଦେଇଥିଲେ ଓ ଦିନରେ ୨ ଲିଟର ପାଣି ପିଇବା ପାଇଁ ପରାମର୍ଶ ଦେଇଥିଲେ । ସକାରାତ୍ମକ ଚିନ୍ତାଧାରାରେ ରହିବା, ଇଶ୍ୱର ବିଶ୍ୱାସି ହେବା, ବୃକ୍ଷ ରୋପଣ କରିବା , ଦାନ ଧର୍ମ କରି ସଫଳ ଜୀବନ ବିତାଇବା ପାଇଁ ଜିଲା ପରିଷଦ ସଦସ୍ୟ ଶ୍ରୀ ଜେନା ପ୍ରେରଣା ଦେଇଥିଲେ । ଭଉଣୀ ସରୋଜିନୀ ନିଜର ବକ୍ତବ୍ୟରେ ନିଯେ ନିଜର ଶତୃ , ନିଯେ ନିଜର ମିତ୍ର , ତେଣୁ ଅବୋଧ ମଣିଷ ଧନ ପଛରେ ନଦୌଡ଼ି ଇଶ୍ୱର ବିଶ୍ୱାସୀ ହେଲେ ପରମାତ୍ମାଙ୍କୁ ଲାଭ କରି ପ୍ରକୃତ ଶାନ୍ତି ପାଇ ପାରିବେ ବୋଲି କହିଥିଲେ । ପରେ ପରେ ଶତାଧିକ ବରିଷ୍ଠ ନାଗରିକ ମାନଙ୍କୁ ଉତ୍ସବ ସ୍ଥଳରେ ଉତରିୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନାର ଉତରରେ ବରିଷ୍ଠ ନାଗରିକ ସର୍ବଶ୍ରୀ ନୀରଂଜନ ପ୍ରଧାନ, ପ୍ରକୃତି ବନ୍ଧୁ ଦ୍ୱାରିକା ନାଥ ସେନାପତି , ଶଚିଦାନନ୍ଦ ସ୍ୱାଇଁ, ରମେଶ ବେହେରା, ଭୁବନ ମୋହନ ଜେନା, ବିପିନ ବିହାରୀ ସାମଲ,ପୂର୍ଣ୍ଣ ଚନ୍ଦ୍ର ଜେନା, ସୁବାସ ଚନ୍ଦ୍ର ଖୁଂଟିଆ, ହାସ୍ୟ କବି ଗଯେନ୍ଦ୍ର ଦାସ, ଅରୁଣ ପଣ୍ଡା, ଶଶିଭୁଷଣ ମହାନ୍ତି, ରବିନ୍ଦ୍ରନାଥ ମହାନ୍ତି, ଶରତ ଚନ୍ଦ୍ର ସାହୁ ପ୍ରମୁଖ ବକ୍ତବ୍ୟ ଦେଇ ପ୍ରତି ପରିବାର ରେ ସ୍ନେହ ଆଦର ବାଂଟିବା ସହିତ ପରିବାର କୁ ସଂସ୍କାରିତ କଲେ ପରିବାର ବିପଥଗାମୀ ହେବ ନାହିଁ ବୋଲି କହିଥିଲେ । ଅନନ୍ତକଳା ପରିଷଦ ପକ୍ଷରୁ କୁନି କୁନି ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସରପଂଚ ଗୌରାଙ୍ଗ ଚରଣ ପରିଡ଼ା ବ୍ଲକ୍ ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର