କେନ୍ଦ୍ରାପଡା ୨୮/୦୯/୨୦୧୯ ( ଓଡ଼ିଶା ସମାଚାର)- ପୋଲିସ ଏନକାଉଁଟରରେ ଜଣେ ଡକାୟତ ଗୁରୁତର ଆହତ ହୋଇଥିବା ସମ୍ପର୍କରେ ଆମେ ପୂର୍ବରୁ ଖବର ପରିବେଷଣ କରିଥିଲୁ । ବର୍ତମାନ ଆମର ହସ୍ତଗତ ହୋଇଥିବା ସମ୍ପୂର୍ଣ୍ଣ ଖବର ପ୍ରକାଶ କରୁଛୁ । ପ୍ରାପ୍ତ ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଜିଲା ଅଧିନସ୍ଥ ଆଳି ଥାନା ଅନ୍ତର୍ଗତ ଜୁଆଣିଆ ଗ୍ରାମରୁ ଡକାୟତିକରି କଟକ – ଚାନ୍ଦବାଲି ରାସ୍ତାରେ ଫେରୁଥିବା ବେଳେ ଗରାପୁର ଠାରେ ଜିଲା ଭିଜିଲାନ୍ସ ଅଫିସ ନିକଟରେ ପୋଲିସ ଏନକାଉଁଟରରେ ଆହତ ହୋଇ ଡକାୟତ ହୃଷିକେଶ ମଲ୍ଲିକ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ଜୁଆଣିଆ ଗ୍ରାମର ନବଘନ ପରିଡାଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ୫ଜଣ ଡକାୟତ ପଶି ପରିବାରର ୩ଜଣଙ୍କୁ ଖଣ୍ଡା ଓ ଶାବଳରେ ଆକ୍ରମଣ କରି ଗୁରୁତର ଭାବେ ଆହତ କରିବା ସହିତ ନବଘନଙ୍କ ଘରୁ ନଗଦ ଟଙ୍କା ଓ ସୁନା ଅଳଙ୍କାର ଲୁଟକରିଥିଲେ । ଡକାୟତଙ୍କ ଆକ୍ରମଣର ଶିକାର ହୋଇ ପରିବାର ଲୋକ ପାଟି କରିବାରୁ ଗ୍ରାମବାସୀମାନେ ଉଠିପଡି ଘଟଣାସ୍ଥଳକୁ ଚାଲିଆସିବାରୁ ଡକାୟତମାନେ ଏକ କାରରେ ସେଠାରୁ ପଳାଇ ଯାଇଥିଲେ । ଖବରପାଇ ଆଳି ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ପ୍ରଥମେ ଆହତ ମାନଙ୍କୁ ଡାକ୍ତରଖାନାକୁ ପଠାଇ ଡକାୟତଙ୍କ ପିଛା କରିବା ସହ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଏ ସମ୍ପର୍କରେ ଖବର ପଠାଇଥିଲେ । ଖବରପାଇ ସଦରଥାନା ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ ପୋଲିସ ଫୋର୍ସ ସହିତ ଗରାପୁର ଠାରେ ଥିବା ଜିଲା ଭିଜିଲାନ୍ସ ଅଫିସ ନିକଟରେ କଟକ-ଚାନ୍ଦବାଲି ରାସ୍ତାକୁ ନାକାବନ୍ଦି କରିଦେଇ ସବୁ ଗାଡିକୁ ଅଟକାଇ ଚେକିଂ ଆରମ୍ଭ କରିଦେଇଥିଲେ । ରାତିପ୍ରାୟ ୪ଟା ସମୟରେ ସେହିରାସ୍ତାରେ ଫେରୁଥିବା ଡକାୟତଙ୍କ କାରଟିକୁ ଚେକିଂ ପାଇଁ ଅଟକାଇବାରୁ ଡକାୟତମାନେ ପୋଲିସ ଉପରକୁ ଗୁଳି ଚଳାଇ ଆକ୍ରମଣ କରିଥିଲେ । ଆତ୍ମ ସୁରକ୍ଷା ନିମନ୍ତେ ପୋଲିସ ପାଲଟା ଗୁଳି ଚଳାଇବାରୁ ୨ଟି ଗୁଳି ଡକାୟତ ହୃହିକେଶ ମଲ୍ଲିକର ୨ଗୋଡରେ ବାଜିଥିଲା । ଫଳରେ ସେ ଆହତ ହୋଇପଡିବାରୁ ପୋଲିସ ତାକୁ କାବୁ କରିନେଇଥିଲା ଓ ଚିକିତ୍ସା ନିମନ୍ତେ ହୃଷିକେଶକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲା । ଅନ୍ଧାରର ସୁଯୋଗ ନେଇ ଗାଡି ଚାଳକ ସମେତ ୪ଜଣ ଡକାୟତ ସେଠାରୁ ଫେରାର ହୋଇଯାଇଥିଲେ । ପୋଲିସ ଏକ କାର ଏବଂ ଖଣ୍ଡା, ଭୂଜାଲି, ଚାପଡ, ଶାବଳ, ଦେଶୀ ବନ୍ଧୁକ ସମେତ ବହୁ ମାରଣାସ୍ତ୍ର ଜବତ କରାଯାଇଥିବା ସଦର ଥାନା ଇନିସପେକ୍ଟର ପ୍ରମୋଦ ମଲ୍ଲିକ ସୂଚନା ଦେଇଛନ୍ତି । ଡକାୟତ ହୃଷିକେଶ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ଏବଂ ଜିଲ୍ଲା ବାହାରେ ବହୁ ଚୋରୀ, ଡକାୟତି ଓ ରାହାଜାନି ଭଳି ସଂଗୀନମାମଲା ରହିଥିବା କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର