Wednesday , October 27 2021
Breaking News
Home / ବିଶେଷ / ଷ୍ଟାଫ ନର୍ସ ନୀହାରିକା ହତ୍ୟା ଘଟଣା : ରିମାଣ୍ଡ ଶେଷ ପରେ ଜେଲ ଫେରିଲା ରାଜା

ଷ୍ଟାଫ ନର୍ସ ନୀହାରିକା ହତ୍ୟା ଘଟଣା : ରିମାଣ୍ଡ ଶେଷ ପରେ ଜେଲ ଫେରିଲା ରାଜା

ଜଗତସିଂହପୁର, ୨୬/୦୯/୨୦୧୯ ( ଓଡ଼ିଶା ସମାଚାର)- ନର୍ସ ନୀହାରିକା ହତ୍ୟା ଘଟଣାରେ ଗିରଫ ହୋଇଥିବା ତା’ର ପ୍ରେମିକ କିଶୋର କୁମାର ଆଂଚଳ ଓରଫ ରାଜାକୁ ପୁଲିସ ୩ଦିନିଆ ରିମାଣ୍ଡରେ ନେଇ ପଚରାଉଚୁରା କରିଛି । ବୁଧବାର ରିମାଣ୍ଡ ଅବଧି ଶେଷ ହେବା ପରେ ତାକୁ କୋର୍ଟରେ ହାଜର କରାଯାଇ ପୁଣି ଜେଲକୁ ପଠାଇ ଦିଆଯାଇଛି । ଗତ ୧୭ତାରିଖରେ କଟକ ମଧୁପାଟଣା ଥାନା ଅଂଚଳରୁ ନିଖୋଜ ହୋଇଥିବା ନର୍ସ ନୀହାରିକା ପାତ୍ରଙ୍କ ଗଳିତ ହାତ ଗୋଡ଼ ବନ୍ଧା ମୃତଦେହ ଏକ ଅଖା ମଧ୍ୟରେ ଥାଇ ବିରିଡି ଥାନା ଅଧୀନ ବିଲୁଆଖାଇ ନଦୀପଠାରୁ ମିଳିଥିଲା । ପରେ ପ୍ରେମିକ ରାଜାକୁ ଧରିବାକୁ ଖୋଜିଥିଲା ପୁଲିସ । ତେବେ ସେ ୨୦ତାରିଖରେ ବିରିଡି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା । ୨୦ତାରିଖ ରାତିରେ ପୁଲିସ ରାଜାକୁ ନୀହାରିକା ହତ୍ୟା ବିଷୟରେ ପଚାରି ବହୁ ତଥ୍ୟ ହାସଲ କରିଥିଲା; ମାତ୍ର ତାହା ଯଥେଷ୍ଟ ନଥିଲା । ସେହି ରାତିରେ ପୁଲିସ ଚାଉଳିଆଗଞ୍ଜରେ ଥିବା ସୁନୀଲ ସାହୁର ଭଡାଘରକୁ ଯାଇ ତଦନ୍ତ କରିଥିଲା । ପରେ ସେ କିଭଳି ନୀହାରିକାକୁ ଅଖାରେ ଭର୍ତି କଲା, ବାଇକରେ ଲଦି ନେଲା, କେଉଁଠାରେ ମୃତଦେହକୁ ପକାଇଥିଲା ତା’ର ବିସ୍ତୃତ ଡେମୋ ଦେଖାଇଥିଲା । ୨୧ତାରିଖରେ ଜଗତସିଂହପୁର ଏସ.ପି ସାମ୍ବାଦିକ ସମ୍ମିଳନୀ ଡାକି ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିଥିଲେ । ସେହିଦିନ ରାଜାକୁ ପୁଲିସ କୋର୍ଟଚାଲାଣ କରିଥିଲା । ତେବେ ହତ୍ୟାକାଣ୍ଡର ସଠିକ କାରଣ ଓ ପ୍ରମାଣ ନ ମିଳିଥିବା ଯୋଗୁ ପୁଲିସ ପୁଣି କୋର୍ଟରେ ୫ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା; ମାତ୍ର କୋର୍ଟ ୩ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ । ରିମାଣ୍ଡରେ ନେଇ ପୁଲିସ ପୁଣି ରାଜାକୁ ହତ୍ୟାକାଣ୍ଡ ବିଷୟରେ ପଚରାଉଚୁରା କରିଥିଲା । ପୁଲିସର ସାଇଂଟିଫିକ ଟିମ ସୁନୀଲ ଘରେ ପ୍ରମାଣ ସଂଗ୍ରହ ପାଇଁ ଯାଇ ଏକ ରକ୍ତ ଭିଜା କନ୍ଥା ଜବତ କରିଥିଲା । ରିମାଣ୍ଡରେ ଆଣିବା ପରେ ନର୍ସିଂହୋମରେ ଯାଇ ତଦନ୍ତ କରିଥିଲା । ନୀହାରିକାର ସହକର୍ମୀ, ସୁନିଲ ଓ ଅନ୍ୟମାନଙ୍କୁ ପଚରାଉଚୁରା କରାଯିବା ସହ ଭିସେରା ରିପୋର୍ଟ ଆସିବାକୁ ଅପେକ୍ଷା କରାଯାଇଛି । ଅଧିକ ପ୍ରମାଣ ଯୋଗାଡ କରାଯାଉଛି; ଆବଶ୍ୟକ ପଡିଲେ ପୁନର୍ବାର ରାଜାକୁ ରିମାଣ୍ଡରେ ଅଣାଯିବ ବୋଲି ଏସ.ପି ପ୍ରକାଶ ରଙ୍ଗରାଜନ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଯୁବ ରେଡକ୍ରସର ସଙ୍କୁଳ ସ୍ତରୀୟ ଶିବିର ଉଦଘାଟିତ 

ବାଲିଗୁଡ଼ା,୨୬/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ କନ୍ଧମାଳ ଜିଲ୍ଲାର ଦ୍ଵିତୀୟ ଯୁବ ରେଡକ୍ରସ୍ …

Leave a Reply

Your email address will not be published. Required fields are marked *