ସାଲେପୁର, ୨୬/୦୯/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)- ବିଭିନ୍ନ ସଂଗଠନ ପକ୍ଷରୁ ବିଶ୍ୱ ଫାର୍ମାସୀ ଦିବସ ପାଳିତ ହୋଇଯାଇଛି । ଓଡ଼ିଶା ଫାର୍ମାସୀ ଷ୍ଟୁଡେଂଟ ଆସୋସିଏସନ୍ ପକ୍ଷରୁ ସାଲେପୁର ବଜାରସ୍ଥିତ ଇମ୍ପ୍ରେସ୍ ଡାଇନ୍ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଓ ବିଶ୍ୱ ଫାର୍ମାସୀ ଦିବସ ପାଳିତ ହୋଇଯାଇଛି । ଓଡ଼ିଶା ଫାର୍ମାସୀ ଷ୍ଟୁଡେଂଟ୍ ଆସୋସିଏସନ୍ର ସଭାପତି କୀର୍ତିଭୂଷଣ ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟ ଛାତ୍ର ବିଜେଡି ସାଧାରଣ ସଂପାଦକ ତଥା ଭାରତୀୟ ଛାତ୍ରସଂସଦର ରାଜ୍ୟ ସଂଯୋଜକ ଇଂ. ତବରେଜ୍ ଖାଁ ଯୋଗଦେଇ ବିଶ୍ୱ ଫାର୍ମାସୀ ଦିବସ ପାଳନର ମହତ୍ୱ ସଂପର୍କରେ ଆଲୋକପାତ କରିବା ସହ ଏଭଳି କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଏଥି ସହ ରାଜ୍ୟରେ ଖୁବ୍ ଶୀଘ୍ର ଏକ ଫାର୍ମାସୀ ଶିଳ୍ପ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରୟାସ କରୁଥିବା ନେଇ ମୁଖ୍ୟଅତିଥି ତବରେଜ୍ ଖାଁ ତାଙ୍କ ବକ୍ତବ୍ୟରେ ମତପ୍ରକାଶ କରିଥିଲେ । ଏହି ଅବସରରେ ଓଡ଼ିଶା ଫାର୍ମାସୀ ଷ୍ଟୁଡେଂଟ ଆସୋସିଏସନ୍ ପକ୍ଷରୁ ତବରେଜ୍ ଖାଁଙ୍କୁ ରାଜ୍ୟ ଉପଦେଷ୍ଟା ଭାବେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଓମ୍ ପ୍ରକାଶ ସ୍ୱାଇଁ ଘୋଷଣା କରିଥିଲେ । ଏକ ନୂତନ କମିଟି ଗଠନ କରାଯାଇ, ଏହି କମିଟିରେ ଓଡ଼ିଶା ଫାର୍ମାସୀ ଷ୍ଟୁଡେଂଟ୍ ଆସୋସିଏସନ୍ର ପ୍ରତିଷ୍ଠାତା ପ୍ରେମରଂଜନ ପରିଡ଼ା, ସଭାପତି କୀର୍ତିଭୂଷଣ ପାତ୍ର, କାର୍ଯ୍ୟକାରୀ ସଭାପତି ଓମ୍ପ୍ରକାଶ ସ୍ୱାଇଁ, ଶାନ୍ତନୁ କୁମାର ଦାଶ, ଉପସଭାପତି ବିଶେଶ୍ୱର ରାଉତ, ସତ୍ୟବ୍ରତ ମହାରଣା, ସାଧାରଣ ସଂପାଦକ ଅଭିଷେକ ମଙ୍ଗରାଜ, ଆଶୁତୋଷ ଜେନା, ସତ୍ୟଜିତ୍ ବାରିକ, ସଂପାଦକ ତାରିଣୀ ଚରଣ ତ୍ରିପାଠୀ, ଆଶୀଷ ଶର୍ମା, ଭବାନୀ ଶଙ୍କର ରାଉତ, ମହମ୍ମଦ ଇମତିଆଜ ଆଲମ୍ ମନୋନୀତ ହୋଇଛନ୍ତି । ଆଜି ବିଶ୍ୱ ଫାର୍ମାସୀ ଦିବସ ପାଳନ କାର୍ଯ୍ୟକ୍ରମରେ ସାହିଲ ରଂଜନ ଜେନା, ଏସ୍.କେ. ସଲାଉଦ୍ଧିନ, ସତ୍ୟପ୍ରକାଶ ମିଶ୍ର, କଲ୍ୟାଣ ଦାସ, ଗିରିଜା ପ୍ରସାଦ ପ୍ରମୁଖ ଯୋଗଦେଇଥିଲେ । ସେହିପରି ଅଲ୍ ଓଡ଼ିଶା ବି.ପି.ୟୁ.ଟି ଫାର୍ମାସୀ ଷ୍ଟୁଡେଂଟ ଆସୋସିଏସନ୍ ପକ୍ଷରୁ ସାଲେପୁର ଫାର୍ମାସୀ କଲେଜ ପରିସରରେ ଏକ ଆଲୋଚନା ଚକ୍ର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ସଭାପତି ଅବଦୁଲ ୱାହିଦ୍ ଖାଁ, ସଂପାଦକ ଅଚୁ୍ୟତାନନ୍ଦ ସ, ତେଜନ କୁମାର ସ୍ୱାଇଁ, ଶୈଳଜା ଶଙ୍କର, ପ୍ରଣୟ ସାମଲ, ରଶ୍ମିରଂଜନ ଦାସ, ସାହା ଆଲମ୍, ଗିରିଶ କୁମାର ବେହେରାଙ୍କ ସମେତ କଲେଜର ସମସ୍ତ ଛାତ୍ରଛାତ୍ରୀ ଯୋଗଦେଇ ବିଶ୍ୱ ଫାର୍ମାସୀ ଦିବସ ସଂପର୍କରେ ଆଲୋକପାତ କରିବା ସହ ସାଲେପୁର ଫାର୍ମାସୀ କଲେଜ ପରିସରରେ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା । ଓଡ଼ିଶା ସମାଚାର