ରଘୁନାଥପୁର,୨୫/୦୯/୨୦୧୯ (ଓଡ଼ିଶା ସମାଚାର)- କୋର୍ଡ଼ ଙ୍କ ଆଦେଶ ବଳରେ ରଘୁନାଥପୁର ତହସିଲ ପକ୍ଷରୁ ତାଳଦଣ୍ଡା କେନାଲରୁ ବାହାରିଥିବା ୮ ନଂ (କ) ଶାଖା କେନାଲ ର ବ୍ଲକ୍ ଛଳରୁ କୋଟକଣା ପର୍ଯ୍ୟନ୍ତ ବାମ ପାଶ୍ୱର୍ ଜବରଦଖଲ ମୁକ୍ତ ପାଇଁ ପ୍ରସ୍ତୁତି କରାଯାଇଥିଲା । ଲଘୁଚାପ ଜନିତ ଲଗାଣ ବର୍ଷା ସତ୍ୱେ ଦିନ ୧୨ ଟାରେ ୨ ପ୍ଲାଟୁନ୍ ଫୋର୍ସ ସହ ପହଂଚିଥିଲା ଜେସିବି ମେସିନ । ତହସିଲଦାର ଦେବାଶିଷ ପାତ୍ର , ଅତିରିକ୍ତ ତହସିଲଦାର ମାନସ କୁମାର ତ୍ରିପାଠୀଙ୍କ ସମେତ ଏସଡ଼ିପିଓ ଡ଼ିଆର ଜେନା, ତିର୍ତୋଲ ଆଇଆଇସି କେପି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଜବରଦଖଲ ହୋଇଥିବା ସ୍ଥାନକୁ ମେସିନକୁ ବାଟ ଛାଡ଼ିନଥିଲେ ସ୍ଥାନୀୟ ବ୍ୟବସାୟୀ । ଆଉ କିଛି ଦିନ ମହଲତ ଦେବାକୁ କହି ରାସ୍ତା ଉପରେ ଶୋଇ ରହିଥିଲେ । ଲୋକଙ୍କୁ ବୁଝାସୁଝା କରି ଉଠିଯିବା ପାଇଁ ଉଭୟ ତହସିଲଦାର ଓ ପୋଲିସ ଅଧିକାରୀ ଅନୁରୋଧ କରିଥିଲେ ବି ଏହାକୁ ବ୍ୟବସାୟୀ ଗୋଷ୍ଠି ପ୍ରତ୍ୟାକ୍ଷାନ କରିଥିଲେ । ଶେଷରେ ପୋଲିସ ବଳ ପ୍ରୟୋଗ କରି ଲୋକଙ୍କୁ ଉଠାଇବା ସମୟରେ ରବିନ୍ଦ୍ର ରାଉତ ନାମକ ବ୍ୟକ୍ତି ମୁର୍ଚ୍ଚା ଯାଇଥିଲେ । ଫଳରେ ଲୋକଙ୍କ ମନରେ ଅସନ୍ତୋଷ ବଢ଼ିଯାଇଥିଲା । ଉତେଜନା କ୍ରମଶ ବଢ଼ିଯାଇଥିଲା । ଖବର ପାଇ ଶତାଧିକ ଲୋକ ଘଟଣାସ୍ଥଳରେ ପହଂଚି ପ୍ରଶାସନ ବିରୁଦ୍ଧରେ ନାରାବାଜି କରିବା ସହ ଉକ୍ତ ଆହତ ବ୍ୟକ୍ତିଙ୍କୁ ରାସ୍ତାରେ ଶୁଆଇ ରଖିଥିଲେ । ଦୀର୍ଘ ସମୟ ତହସିଲଦାର ଓ ପୋଲିସ ଫୋର୍ସ ଘଟଣାସ୍ଥଳରେ ରହିବା ପରେ ଘଟଣା ବଢ଼ିବାକୁ ନଦେଇ ସ୍ଥାନ ପରିତ୍ୟାଗ କରିଥିଲେ । ଫଳରେ ଧାର୍ଯ୍ୟ ସମୟରେ ଜବର ଦଖଲ ମୁକ୍ତ କରିବାରେ ପ୍ରଶାସନ ଏକ ପ୍ରକାର ବିଫଳ ହୋଇଥିବାବେଳେ ଯେ କୌଣସି ମୁହୂର୍ତରେ ପୁଣି ପ୍ରଶାସନ ଏଠାରେ ପହଂଚିବା ଆଶଙ୍କା କରି ବ୍ୟବସାୟୀ ଗୋଷ୍ଠି ସେଠାରେ ଜଗି ରହିଛନ୍ତି । କୋର୍ଟଙ୍କ ପକ୍ଷରୁ ଅକ୍ଟୋବର ୫ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିବାବେଳେ କୋର୍ଟ ଅର୍ଡ଼ରକୁ କୌଣସି ପ୍ରକାରେ ଅଣଦେଖା କରାଯିବ ନାହିଁ ବୋଲି ଅତିରିକ୍ତ ତହସିଲଦାର ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି । ଏଥିପାଇଁ ପ୍ରଶାସନକୁ ସହଯୋଗ କରିବା ପାଇଁ ବ୍ୟବସାୟୀ ଗୋଷ୍ଠିଙ୍କୁ ଅନୁରୋଧ କରିଛନ୍ତି । ଓଡ଼ିଶା ସମାଚାର
