ଗରଦପୁର, ୨୪/୦୯/୨୦୧୯ ( ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ପ୍ରଶାସନଙ୍କ ପକ୍ଷରୁ ଆଜି ବ୍ଳକ ଅଂଚଳର କେତକ ପଂଚାୟତ ପୋଖରୀଗୁଡିକ ପ୍ରକାଶ୍ୟରେ ନିଲାମ କରାଯାଇଛି । ଗରଦପୁର ବ୍ଳକ ଅନ୍ତର୍ଗତ ପଦ୍ମପୁର ପଂଚାୟତରେ ଥିବା ଦୁଇ ଗୋଟି ମାଛ ପୋଖରୀକୁ ଆଜି ପ୍ରଶାସନଙ୍କ ପକ୍ଷରୁ ନିଲାମ କରାଯାଇଛି । ବ୍ଲକ ପ୍ରଶାସନଙ୍କ ପକ୍ଷରୁ ଜୀବିକା ମିଶନର ବ୍ଳକ ସଂଯୋଜକ ପ୍ରଶାନ୍ତ କୁମାର ରାଉତ ଉପସ୍ଥିତ ରହି ଏହି ନିଲାମ କାର୍ଯ୍ୟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଂଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ସରପଂଚ ସ୍ୱର୍ଣ୍ଣଲତା ରାଉତ ,ପଂଚାୟତ କାର୍ଯ୍ୟ ନିର୍ବାହୀ କୈଳାଶ ଚନ୍ଦ୍ର ବେହେରା, ପୂର୍ବତନ ସମିତି ସଭ୍ୟ ଭଜହରି ସେନାପତି ପ୍ରମୁଖ ଉପସ୍ଥିତ ରହିଥିଲେ । ପଂଚାୟତର ବିଚଣା ଗ୍ରାମର ନୂଆପୋଖରୀକୁ ୩ହଜାର ୩୨୦ ଟଙ୍କାରେ ଗ୍ରାମର ବଟମହାପୁରୁଷ ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ନିଲାମ ନେଇଥିବାବେଳେ, କିଣିଲୋ ଗ୍ରାମର ବାଉରୀ ସାହି ପୋଖରୀକୁ ଗ୍ରାମର ରବିନାରାୟଣ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସର୍ବାଧିକ ୭୦ ହଜାର ୭ଶହ ଟଙ୍କାରେ ନିଲାମ ନେଇଥିବା ଜଣାଯାଇଛି । ଆଜି ପାଗ ଖରାପ ଥିବା ସତ୍ୱେ ପଂଚାୟତ ଅଫିସ ସମ୍ମୁଖରେ ନିଲାମଧାରୀମାନେ ଏକତ୍ର ହୋଇ ନିଲାମ ଡାକିଥିବାର ଦେଖାଯାଇଥିଲା । ପ୍ରକାଶ ଯେ, ଏହି ପଂଚାୟତରେ ମୋଟ ୮ଗୋଟି ପଂଚାୟତ ପୋଖରୀ ରହିଥିବାବେଳେ, ସେଥି ମଧ୍ୟରୁ ପର୍ଯ୍ୟାୟ କ୍ରମେ ୫ ଗୋଟି ପୋଖରୀ ନିଲାମ କାର୍ଯ୍ୟ ଶେଷ ହୋଇଥିବା ସରପଂଚ ଶ୍ରୀମତୀ ରାଉତ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର