Wednesday , December 8 2021
Home / ବିଶେଷ / ଦେବୀନଦୀ ବନ୍ଧରେ ପଥର ପ୍ୟାକିଙ୍ଗ ରେ ଅନିୟମିତତା ଅଭିଯୋଗ

ଦେବୀନଦୀ ବନ୍ଧରେ ପଥର ପ୍ୟାକିଙ୍ଗ ରେ ଅନିୟମିତତା ଅଭିଯୋଗ

ନାଉଗାଁ, ୨୪/୦୯/୨୦୧୯ ( ଓଡ଼ିଶା ସମାଚାର /ଲିଲନ ପ୍ରଭା ପାଢୀ)- ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ତୁମ୍ଭେଶ୍ୱର ଠାରୁ ଓଷକଣା ପର୍ଯ୍ୟନ୍ତ  ଦେବୀନଦୀ ପ୍ରଭାବିତ ହୋଇଛି । ପ୍ରତି ବର୍ଷ ଏହି ବନ୍ଧ ଗୁଡିକରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉ ଥିଲେ ମଧ୍ୟ କୌଣସି ବନ୍ଧ ଗୁଡିକର ଉନ୍ନତି ଦେଖିବାକୁ ମିଳୁନାହିଁ ।  ବନ୍ୟା ବିପତିରୁ ଜନସାଧାରଣଙ୍କ ଧନ ଜୀବନ  ରକ୍ଷା କରିବା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ନଦୀବନ୍ଧ ମରାମତି ସହିତ ନଦୀ ବନ୍ଧ ପାଶ୍ୱର୍ରୁ ମାଟି ନ ଧସିବା ପାଇଁ ପଥର ପ୍ୟାକିଙ୍ଗ ଆଦି କରାଯାଉଛି । କିନ୍ତୁ ଜଳସେଚନ ବିଭାଗୀୟ ଅଧିକାରୀଙ୍କ ଲାଭଖୋର ମନୋଭାବ ଯୋଗୁଁ କୋଟି କୋଟି ଟଙ୍କା ବ୍ୟୟରେ ହୋଇଥିବା ପଥ ପ୍ୟାକିଙ୍ଗ ବନ୍ୟା ପାଣିରେ ଧୋଇ ହୋଇ ନଦୀରେ ମିଶୁଥିବା ଅଭିଯୋଗ ହେଉଛି । ଯାହା ଦେଖିବାକୁ ମିଳୁଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ଦେବୀନଦୀର ପାଶ୍ୱର୍ରେ ।

            ସୂଚନା ମୁତାବକ ନାଉଗାଁ ବ୍ଳକ ଦେଇ ଦେବୀ ନଦୀ ପ୍ରବାହିତ ହୋଇ ସମୁଦ୍ରରେ ମିଶିଛି । ଦେବୀ ନଦୀ ନାଉଗାଁ ବ୍ଲକ ଦେବୀଦୋଳ ଠାରୁ ଆରମ୍ଭ ହୋଇ ବାଲିକୁଦା ବ୍ଲକ ଅସିଲୋ ଗ୍ରାମ ପର୍ଯ୍ୟନ୍ତ ରହିଛି । ଦେବୀନଦୀର ପାଶ୍ୱର୍ରେ ଗଜରାଜପୁର, ରୋହିଆ, ବଛାଳୋ, ଶିଖର, ଓଷକଣା, କୋରୁଅ, ଡେରିକି ଆଦି ପଂଚାୟତ ରହିଥିବା ବେଳେ କାକଟପୁର ବ୍ଲକର ଭଣ୍ଡିସାହି ଓ ମୁତୁଣିଆ ଆଦି ଦୁଇଟି ଗ୍ରାମର ରହିଛି । ଏହି ସମସ୍ତ ପଂଚାୟତ ଓ ଗ୍ରାମର ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ବନ୍ୟା ସମୟରେ ନଦୀ ବନ୍ଧ ପ୍ରତି ବିପଦ ସହିତ ବନ୍ଧ କୂଳରୁ ମାଟି ନ ଧସିବା ପାଇଁ ପଥର ପ୍ୟାକିଙ୍ଗ କରାଯାଉଛି । ସରକାରଙ୍କ ପକ୍ଷରୁ ପଥର ପ୍ୟାକିଙ୍ଗ ପାଇଁ ଦେବୀନଦୀର ବାଉଁଶଜୋରୀ ସ୍ଲୁଇସ ନିକଟରୁ ପଥର ପ୍ୟାକିଙ୍ଗ ବାବଦକୁ ଏଷ୍ଟିମେଟ ମୂଲ୍ୟ ୬୮ଲକ୍ଷ ୮୩ହଜାର ୦୯୯ ଟଙ୍କା ରଖାଯାଇ ଟେଣ୍ଡର କରାଯାଇଥିଲା । ଠିକାଦାରଙ୍କ ପକ୍ଷରୁ ୫୮ଲକ୍ଷ ୫୧ହଜାର ୩୨୨ଟଙ୍କାରେ ବିଭାଗ ନିକଟରେ ଚୁକ୍ତି କରାଯାଇଥିବା ଯାହା ସୂଚନା ଫଳକରେ ଦର୍ଶାଯାଇଛି । ଏପରିକି ଏହି କାର୍ଯ୍ୟ ଜୁନ ୩ ତାରିଖରୁ ଆରମ୍ଭ କରାଯାଇ ଡିସେମ୍ବର ୨ ତାରିଖରେ ଶେଷ କରାଯିବା ପାଇଁ ମଧ୍ୟ ସୂଚନା ଫଳକରେ ଦର୍ଶାଯାଇଛି । କିନ୍ତୁ ଗୁରତ୍ୱପୂର୍ଣ୍ଣ କଥା ସଂପୃକ୍ତ ଠିକାଦାରଙ୍କ ପକ୍ଷରୁ ବାଉଁଶଜୋର ସ୍ଲୁଇସ ନିକଟରେ ମାସାଧିକ କାଳ ପଥର ପଡିରହିଥିଲା । କିନ୍ତୁ ଏହି ୧୦ ଦିନ ହେବ ଉକ୍ତ ପଥରକୁ ନଦୀ ତଳକୁ ଖସାଯାଇ ଏହା ଉପରେ ମାଟି ଘୋଡା ଯାଇଥିବା ସହିତ ସ୍ଲୁଇସ ନିକଟରେ ସୂଚନା ଫଳକ ମଧ୍ୟ କରାଯାଇଛି । ଯାହାକୁ ନେଇ ସଂପୃକ୍ତ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତରାରେ ବିଲ କରି ନେଇଯିବାକୁ ମସୁଧା କରାଯାଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଅନ୍ୟପଟରେ ଯଦି ବନ୍ୟା ଆସେ ଉକ୍ତ ପଥର ଗୁଡିକ ନଦୀ ଭିତରକୁ ଖସି ଯିବା ସମ୍ଭାବନାକୁ ଏଡାଇ ଦିଆଯିବ ନାହିଁ ବୋଲି ଜଣାଯାଇଛି । ଏ ସର୍ମ୍ପକରେ ବିଭାଗୀୟ ଏସଡିଓଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଠା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ । ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।  ଓଡ଼ିଶା ସମାଚାର

About admin

Check Also

ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ଜୁନାଗଡ଼, ୦୭/୧୨/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ବାତ୍ୟା ଜୱାଦ କେବଳ ଉପକୂଳ ଓଡ଼ିଶା ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ …

Leave a Reply

Your email address will not be published. Required fields are marked *