ସାଲେପୁର, ୨୪/୦୯/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା) : ବୟସାଧିକ ଲୋକଙ୍କୁ ଶ୍ରମିକଭାବେ ବ୍ୟବହାର ନକରିବା ପାଇଁ ରାଜ୍ୟ ସରକାରଙ୍କର ସ୍ପଷ୍ଟ ନିଦ୍ଧେଶ ଥିଲା ବେଳେ ସାଲେପୁର ବ୍ଲକ୍ ବାଲିସାହି ପଂଚାୟତ ମାଛୁଆତି ଗ୍ରାମର ଅବସରପ୍ରାପ୍ତ ଆର.ଆଇ. ତାଙ୍କର ଦୁଇମାହାଲା ଘର ନିର୍ମାଣ ବେଳେ ଜଣେ ୭୦ ବର୍ଷର ବୃଦ୍ଧଙ୍କୁ ଶ୍ରମିକ ଭାବେ କାମ କରାଉଥିବା ବେଳେ ଛାତରୁ ପଡ଼ି ଆଜି ବୃଦ୍ଧ ଶ୍ରମିକଙ୍କର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ମାଛୁଆତି ଗ୍ରାମର ଅବସର ପ୍ରାପ୍ତ ଆର.ଆଇ. ହରେକୃଷ୍ଣ ମୁଦୁଲି ତାଙ୍କର ଦୁଇମାହାଲା ଘର ନିର୍ମାଣ କରୁଛନ୍ତି । ଏହି ଗୃହନିର୍ମାଣ କାର୍ଯ୍ୟରେ ଶ୍ରମିକ ଭାବେ ବଳରାମପୁର ଗ୍ରାମର ଶଙ୍କର୍ଷଣ ରାଉତ (୭୦)ଙ୍କୁ କାମରେ ନିୟୋଜିତ କରିଥିଲେ । ଶଙ୍କର୍ଷଣଙ୍କ ଅନିଚ୍ଛା ସତ୍ୱେ ତାଙ୍କୁ ଦୁଇମାହାଲା ଉପରକୁ ଚଢ଼ାଇ କାମ କରାଉଥିବା ବେଳେ ଶଙ୍କର୍ଷଣ ଛାତରୁ ଖସିପଡ଼ି ଘଟଣାସ୍ଥଳରେ ଗୁରୁତର ହୋଇଯାଇଥିଲେ । ତାଙ୍କୁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଜଣେ ୭୦ବର୍ଷ ବୃଦ୍ଧକୁ ଏଭଳି ଏକ ବିପଦପୂର୍ଣ୍ଣ କାମରେ କିପରି ଘରମାଲିକ ବ୍ୟବହାର କରିଥିଲେ । ଏହି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଶଙ୍କର୍ଷଣଙ୍କ ଅନିଚ୍ଛା ସତ୍ୱେ ଘରମାଲିକ ତାଙ୍କୁ ବାଧ୍ୟ କରି ଛାତ ଉପରେ ଚଢ଼ାଇ କାମ କରାଉଥିଲେ ବୋଲି ସ୍ଥାନୀୟ ଏକାଧିକ ବାସୀନ୍ଦା ତାଙ୍କ ନାମ ଗୋପନ ରଖି ପ୍ରକାଶ କରିଛନ୍ତି । ଘଟଣାର ବିଧିବଦ୍ଧ ତଦନ୍ତ କରାଯିବାକୁ ଜନସ୍ୱାଧିକାର ମଂଚ ପକ୍ଷରୁ ଦାବି ହୋଇଛି । ଓଡ଼ିଶା ସମାଚାର