Wednesday , October 4 2023
Breaking News
Home / ବିଶେଷ / ଚାକିରିର ୭ ବର୍ଷ ମଧ୍ୟରେ ମୃତୁ୍ୟ ଘଟିଲେ ପରିବାରକୁ ମିଳିବ ୫୦% ବର୍ଦ୍ଧିତ ପେନସନ

ଚାକିରିର ୭ ବର୍ଷ ମଧ୍ୟରେ ମୃତୁ୍ୟ ଘଟିଲେ ପରିବାରକୁ ମିଳିବ ୫୦% ବର୍ଦ୍ଧିତ ପେନସନ

ନୂଆଦିଲ୍ଲୀ / ଭୁବନେଶ୍ୱର,୨୪/୦୯/୨୦୧୯ ( ଓଡ଼ିଶା ସମାଚାର / ଏଜେନ୍ସି)- କେନ୍ଦ୍ରୀୟ ପ୍ରଶାସନିକ ସେବା (ପେନସନ) ନିୟମାବଳୀ, ୧୯୭୨ର ନିୟମ ୫୪ ଅନୁଯାୟୀ କର୍ତବ୍ୟରତ ଥିବା ସମୟରେ ସରକାରୀ କର୍ମଚାରୀଙ୍କ ମୃତୁ୍ୟ ଘଟିଲେ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ପାରିବାରିକ ପେନସନ ଦିଆଯାଇଥାଏ । ସରକାରୀ ଚାକିରିରେ ସର୍ବନିମ୍ନ ୭ ବର୍ଷ ପୂରଣ କରିଥିଲେ ପାରିବାରିକ ପେନସନ ଶେଷ ଦରମାର ୫୦% ବର୍ଦ୍ଧିତ ଦରରେ ୧୦ ବର୍ଷର ଅବଧି ଲାଗି ଦିଆଯାଇଥାଏ; ଏହାପରେ ପାରିବାରିକ ପେନସନ ଶେଷ ଦରମାର ୩୦% ହାରରେ ପ୍ରଦାନ କରାଯାଇଥାଏ । ତେବେ ଚାକିରି କରିବାର ୭ ବର୍ଷ ମଧ୍ୟରେ ଯଦି ସରକାରୀ କର୍ମଚାରୀଙ୍କ ମୃତୁ୍ୟ ଘଟେ ତା’ହେଲେ ତାଙ୍କ ପରିବାରକୁ ୩୦% ହାରରେ ପାରିବାରିକ ପେନସନ ମିଳିଥାଏ । ଏପରି କ୍ଷେତ୍ରରେ ମୃତ ସରକାରୀ କର୍ମଚାରୀଙ୍କ ପରିବାର ବର୍ଦ୍ଧିତ ୫୦% ହାରରେ ପାରିବାରିକ ପେନସନ ପାଇବା ଲାଗି ଯୋଗ୍ୟ ହୋଇନଥାନ୍ତି । ତେବେ କେନ୍ଦ୍ର ସରକାର ଏହା ହୃଦବୋଧ କରିଛନ୍ତି ଯେ ପ୍ରାରମ୍ଭିକ କାର୍ଯ୍ୟକାଳ ସମୟରେ ସରକାରୀ କର୍ମଚାରୀଙ୍କ ଦରମା କମ ହୋଇଥିବା କାରଣରୁ ଚାକିରିରେ ଯୋଗ ଦେବାର ୭ ବର୍ଷ ମଧ୍ୟରେ ପ୍ରାଣ ହରାଉଥିବା କର୍ମଚାରୀଙ୍କ ପରିବାର ପାଇଁ ବର୍ଦ୍ଧିତ ହାରରେ ପାରିବାରିକ ପେନସନ ପ୍ରଦାନ କରାଯିବାର ଅଧିକ ଆବଶ୍ୟକତା ରହିଛି । ତେଣୁ ସରକାର କେନ୍ଦ୍ରୀୟ ପ୍ରଶାସନିକ ସେବା (ପେନସନ) ନିୟମାବଳୀ, ୧୯୭୨ର ନିୟମ ୫୪ରେ ସଂଶୋଧନ କରିଛନ୍ତି । ଏ ସଂକ୍ରାନ୍ତରେ ୧୯ ସେପ୍ଟେମ୍ବର, ୨୦୧୯ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ସଂଶୋଧିତ ନିୟମ ୫୪ ଅନୁଯାୟୀ, ଚାକିରିରେ ଯୋଗ ଦେବାର ୭ ବର୍ଷ ମଧ୍ୟରେ ପ୍ରାଣ ହରାଉଥିବା ସରକାରୀ କର୍ମଚାରୀଙ୍କ ନିକଟ ସମ୍ପର୍କୀୟ ମଧ୍ୟ ୧୦ ବର୍ଷର ଅବଧି ଲାଗି ଶେଷ ଦରମାର ବର୍ଦ୍ଧିତ ୫୦% ହାରରେ ପାରିବାରିକ ପେନସନ ପାଇପାରିବେ । ଉପରୋକ୍ତ ସଂଶୋଧନ ୧ ଅକ୍ଟୋବର, ୨୦୧୯ରୁ ଲାଗୁ ହେବ । ତେବେ ଏହି ତାରିଖର ୧୦ ବର୍ଷ ପୂର୍ବରୁ ୭ ବର୍ଷର କାର୍ଯ୍ୟକାଳ ପୂରଣ କରିନପାରି ପ୍ରାଣ ହରାଇଥିବା ସରକାରୀ କର୍ମଚାରୀଙ୍କ ପରିବାର ମଧ୍ୟ ୧୦ ବର୍ଷ ଲାଗି ବର୍ଦ୍ଧିତ ହାତରେ ପାରିବାରିକ ପେନସନ ପାଇବାକୁ ଯୋଗ୍ୟ ବିବେଚିତ ହେବେ । ତେବେ ଏହିସୁବିଧା ସେମାନେ ୧ ଅକ୍ଟୋବର, ୨୦୧୯ ଠାରୁ ପାଇବେ । ଚାକିରିରେ ଯୋଗଦେବାର ୭ ବର୍ଷ ମଧ୍ୟରେ ଦୁର୍ଭାଗ୍ୟଜନକ ଭାବେ ମୃତୁ୍ୟବରଣ କରୁଥିବା କେନ୍ଦ୍ରୀୟ ସଶସ୍ତ୍ର ଆରକ୍ଷୀ ବାହିନୀ (ସିଏପିଏଫ) କର୍ମଚାରୀଙ୍କ ସମେତ ସମସ୍ତ ସରକାରୀ କର୍ମଚାରୀଙ୍କ ପରିବାର ଏହି ସଂଶୋଧିତ ସୁବିଧାର ଲାଭ ପାଇପାରିବେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *