Friday , September 29 2023
Breaking News
Home / ବିଶେଷ / ସର୍ବୋଦୟ ନେତ୍ରୀ ସୁମିତ୍ରା ଚୌଧୁରୀଙ୍କୁ ମୁଖାଗ୍ନି ଦେଲେ ପୁତ୍ରବଧୂ ଆରତୀ

ସର୍ବୋଦୟ ନେତ୍ରୀ ସୁମିତ୍ରା ଚୌଧୁରୀଙ୍କୁ ମୁଖାଗ୍ନି ଦେଲେ ପୁତ୍ରବଧୂ ଆରତୀ

ଭୁବନେଶ୍ୱର,୨୩/୦୯/୨୦୧୯ ( ଓଡ଼ିଶା ସମାଚାର)-ସେବା, ସଂସ୍କାର ଓ ସଂଗ୍ରାମ କ୍ଷେତ୍ର ପାଇଁ ପରିଚିତି ଲାଭ କରିଥିବା ଓଡ଼ିଶାର ଚୌଧୁରୀ ପରିବାର ଆଜି ପୁଣି ଏକ ନୂଆ ଇତିହାସ ସୃଷ୍ଟି କରିଛି । ବିଶିଷ୍ଟ ସର୍ବୋଦୟ ନେତ୍ରୀ ସୁମିତ୍ରା ଚୌଧୁରୀଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ତାଙ୍କ ପୁତ୍ରବଧୂ ଆରତୀ ଚୌଧୁରୀ ମୁଖାଗ୍ନି ଦେଇଛନ୍ତି ।

ଏଠାରେ ଉଲ୍ଲେଖନୀୟ ମହାତ୍ମାଗାନ୍ଧୀଙ୍କ ସମୟରେ ସେବାଗ୍ରାମ ଆଶ୍ରମରେ ତାଲିମ ପାଇଥିବା ଉଚ୍ଚଶିକ୍ଷିତା ସୁମିତ୍ରାଙ୍କ ସହ ମା’ ରମାଦେବୀ ଓ ଗୋପବନ୍ଧୁ ଚୌଧୁରୀଙ୍କ ପୁତ୍ର ମନମୋହନ ଚୌଧୁରୀଙ୍କର ବିବାହ ସେବାଗ୍ରାମ ଆଶ୍ରମରେ ହୋଇଥିଲା । ଏହି ବିବାହ ପରେ ନିଜେ ଗାନ୍ଧୀଜୀ ସେମାନଙ୍କୁ ଆଶୀର୍ବାଦ ଦେଇ ସେବା କ୍ଷେତ୍ରରେ ଆଜୀବନ ବ୍ରତୀ ରହିବାକୁ ସଂକଳ୍ପ କରାଇଥିଲେ ।

ସ୍ୱାଧୀନତା ସଂଗ୍ରାମରେ ଚୌଧୁରୀ ପରିବାରର ୮ ଜଣ କାରାବରଣ କରିବା ସହିତ ସେମାନଙ୍କ ଅନୁ୍ୟନ ୨୬ ଜଣ ବନ୍ଧୁବାନ୍ଧବ ବି ଜେଲ ଯାଇଥିଲେ । ଏହାଛଡ଼ା ଏହି ପରିବାର ରାଜ୍ୟରେ ଶହ ଶହ ସଂଗ୍ରାମୀ ଓ ସମାଜସେବୀ ସୃଷ୍ଟି କରିଥିଲା । କିଛିବର୍ଷ ତଳେ ମନମୋହନ ଚୌଧୁରୀଙ୍କ ଦେହାନ୍ତ ହୋଇଥିଲା ଏବଂ ସେତେବେଳେ ତାଙ୍କ ଝିଅ ମାଧବୀ ମୁଖାଗ୍ନି ଦେଇଥିଲେ । ଆଜି କିନ୍ତୁ ଖାନନଗର ଶ୍ମଶାନରେ ସୁମିତ୍ରା ଚୌଧୁରୀଙ୍କ ଶେଷକୃତ୍ୟରେ ତାଙ୍କ ବୋହୂ ଆରତୀ ମୁଖାଗ୍ନି ଦେଇଛନ୍ତି ।

ଦଳମତ ନିର୍ବିଶେଷରେ ବହୁ ରାଜନୈତିକ ନେତା, ସାମାଜିକ କର୍ମୀ ବିଶେଷ କରି ମହିଳା ଓ ଶିଶୁ କଲ୍ୟାଣ ଏବଂ ନିଶା ନିବାରଣ କ୍ଷେତ୍ରରେ କାର୍ଯ୍ୟରତ ଅନେକ ନାରୀ କର୍ମୀ ସୁମିତ୍ରା ଚୌଧୁରୀଙ୍କ କଟକ ବାଖରାବାଗସ୍ଥିତ ବାସଭବନରୁ ତାଙ୍କ ଶବ ଶୋଭାଯାତ୍ରାରେ ଥୋରିଆ ସାହିସ୍ଥିତ ଗୁଣନିଧି ଭବନକୁ ଯାଇଥିଲେ ଏବଂ ସେଠାରୁ ତାଙ୍କ ଶବାଧାରକୁ ଏକ ଶୋଭାଯାତ୍ରାରେ ଖାନନଗର ଶ୍ମଶାନକୁ ଅଣାଯାଇ ସକ୍ରାର କରାଯାଇଥିଲା । ଏଥିରେ ତଥାକଥିତ ରୀତିନୀତି ଅନୁଯାୟୀ ବ୍ରାହ୍ମଣମାନଙ୍କ ଦ୍ୱାରା କୌଣସି କର୍ମକାଣ୍ଡ ହୋଇନଥିଲା । ରାମଧୂନ ସହିତ ଗାନ୍ଧୀଜୀଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନତୋ’ ଓ ସର୍ବଧର୍ମ ପ୍ରାର୍ଥନା ମାଧ୍ୟମରେ ତାଙ୍କ ଅନୁଗାମୀମାନେ ସୁମିତ୍ରା ଚୌଧୁରୀଙ୍କୁ ଶେଷ ସମ୍ମାନ ପ୍ରଦର୍ଶନ ପୂର୍ବକ ଭାବବିହ୍ୱଳ ବିଦାୟ ଜଣାଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *