ଭୁବନେଶ୍ୱର,୨୨/୦୯/୨୦୧୯( ଓଡ଼ିଶା ସମାଚାର)- ଆନ୍ତର୍ଜାତୀୟ ଶାନ୍ତି ଦିବସ ଅବସରରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୋସାଇଟି ଫର୍ ନେଚର, ଏଜୁକେସନ ଆଣ୍ଡ ହେଲଥ୍ (ସ୍ନେହ) ଆନୁକୁଲ୍ୟରେ ୨୧ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ଇଡକଲ୍ ପ୍ରେକ୍ଷାଳୟଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ସନ୍ଧ୍ୟାରେ ଆୟୋଯିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ତଫସିଲ ଭୁକ୍ତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଏହି ଶାନ୍ତି ଦିବସକୁ ପାଳନ କରିବାର ମହତ୍ ଉଦ୍ଧେଶ୍ୟ ଉପରେ ଆଲୋକପାତ କରି ପରମ୍ପରାଗତ ଚାଷ ଦ୍ୱାରା କିଭଳି ପରିବେଶ ସୁରକ୍ଷିତ ଏବଂ ମାନବ ସମାଜ ସୁସ୍ଥ ରହି ପାରିବ ତାହା ଉପରେ ଆଲୋକ ପାତ କରିଥିଲେ । ସେ ଯୁବ ଛାତ୍ର ସମାଜକୁ ହିଂସା ପରିହାର କରି ଶାନ୍ତି ଓ ସଦ୍ଭାବନା ପ୍ରତିଷ୍ଠା କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଓଡିଶାର ସୁନାମଧନ୍ୟ ପରିବେଶବିତ୍ ଏବଂ ପୁର୍ବତନ ରାଜ୍ୟ ସୂଚନା କମିଶନର ଶ୍ରୀଯୁକ୍ତ ରାଧାମୋହନ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପରିବେଶର ସୁରକ୍ଷା ପାଇଁ ଏବେଠାରୁ ଉଦ୍ୟମ ନକଲେ ଭବିଷ୍ୟତରେ ପୃଥିବୀ ଧ୍ୱଂସ ପାଇବାର ସମ୍ଭାବନା ନିଶ୍ଚିତ । ଉଭୟ ମାନବ ଓ ଜୀବଜଗତକୁ ଶାନ୍ତିରେ ରହିବାକୁ ହେଲେ ମନୁଷ୍ୟକୁ ଏବେଠାରୁ ସତର୍କ ଓ ସଚେତନ ହେବାକୁ ପଡିବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ବକ୍ତା ସୁନାମଧନ୍ୟ ଲେଖକ, ସ୍ତମ୍ଭକାର ଏବଂ ବଦ୍ଧିଜୀବି ଶ୍ରୀଯୁକ୍ତ ହରପ୍ରସାଦ ଦାସ ସ୍ନେହ ଅନୁଷ୍ଠାନର ଉଦ୍ୟମକୁ ପ୍ରଶଂସା କରିବା ସହିତ ଶାନ୍ତି ଓ ସଦ୍ଭାବନା ଉପରେ ମିଳିତ ସାମାଜିକ ଉଦ୍ୟମ ହେବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ । ବିଡମ୍ବନାର ବିଷୟ ଯେ ତଥାକଥିତ ଧନୀ ଏବଂ ଉନ୍ନତ ରଷ୍ଟ୍ରମାନେ ଯେଉଁମାନେ ବିଭିନ୍ନ ଯୁଦ୍ଧାସ୍ତ୍ର ପ୍ରସ୍ତୁତ କରି ଧନୀ ହୋଇଛନ୍ତି ସେହିମାନେ ବିଶ୍ୱଶାନ୍ତି ପାଇଁ ଆହ୍ୱାନ ଦେଉଛନ୍ତି ବୋଲି ଶ୍ରୀଯୁକ୍ତ ଦାସ ପ୍ରକାଶ କରିଥିଲେ ଏବଂ ମିଳିତ ଜାତିସଂଘରେ ଆମର ଶାନ୍ତି ସ୍ତୋତ୍ରକୁ ସ୍ଥାନିତ କରିବା ପାଇଁ ଏକ ସଂକଳ୍ପ ସ୍ନେହ ମାଧ୍ୟମରେ ପଠାଇବାକୁ ଉପଦେଶ ଦେଇଥିଲେ ।
ସ୍ନେହର ସାହାଯ୍ୟ ଦ୍ୱାରା ପାଠ ପଢି ଶିକ୍ଷା କ୍ଷେତ୍ରରେ ଉକôର୍ଷ ପ୍ରତିପାଦିତ କରିଥିବା ଆଦିବାସୀ ଛାତ୍ରୀ କୁମାରୀ କୁସୁମାଞ୍ଜଳି ହୁଇକା ଏବଂ ସ୍ନେହର ବିଭିନ୍ନ କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ଭାବେ ସହଯୋଗ କରିଥିବା ନିସ୍ ଅନୁଷ୍ଠାନର ଏମ୍.ଏସ୍.ଡବ୍ଲୁ ଛାତ୍ର ଶ୍ରୀ ନିରଞ୍ଜନ ବାଗ୍ଙ୍କୁ ଆର୍ଥôକ ପ୍ରୋସôାହନ ସହିତ ମାନ ପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ସ୍କୁଲ୍ ଏବଂ କଲେଜ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ଶାନ୍ତି ଓ ସଦ୍ଭାବନା ସଂପର୍କିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶାନ୍ତି ପାଇଁ କ୍ରୀଡା କାର୍ଯ୍ୟକ୍ରମ ଅନ୍ତର୍ଗତ ବାଳିକା ଫୁଟ୍ବଲ୍ ଟୁର୍ଣ୍ଣାମେଂଟର ଯୁଗ୍ମ ବିଜୟୀ ନୀତା ଅମ୍ବାନୀ ଏବଂ କିସ୍ ମହିଳା ଫୁଟ୍ବଲ୍ ଦଳକୁ ଟ୍ରଫି ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ‘ସ୍ନେହ’ର ସଭାନେତ୍ରୀ ଶ୍ରୀମତୀ ସୁବର୍ଣ୍ଣା ଘୋଷ ପୌରହିତ୍ୟ କରିଥିଲେ । ପ୍ରାରମ୍ଭରେ ‘ସ୍ନେହ’ର ଉପଦେଷ୍ଟା ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ୨୦୦୯ ମସିହାରୁ ଭୁବନେଶ୍ୱରରେ ସ୍ନେହ ଦ୍ୱାରା ପ୍ରତିଷ୍ଠିତ ଶାନ୍ତି ଓ ଅହିଂସା କେନ୍ଦ୍ର ‘ସମ୍ପ୍ରିତୀ’ରେ ଶାନ୍ତି ପ୍ରତିଷ୍ଠା ଏବଂ ଦ୍ୱନ୍ଦ ପରିଚାଳନା ଉପରେ ବିଭିନ୍ନ ତାଲିମ କାର୍ଯ୍ୟ ବିଷୟରେ ସୂଚନା ଦେଇଥିଲେ । ୨୦୦୯ ମସିହା ଆଜିର ଦିନରେ ଏହି କେନ୍ଦ୍ର ସ୍ଥାପିତ ହୋଇଥିଲା । ୨୦୦୮ ମସିହାର କନ୍ଧମାଳ ଦଙ୍ଗା ପରଠାରୁ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଏବଂ ସାମାଜିକ କର୍ମୀ ମାନଙ୍କ ପାଇଁ ବିଭିନ୍ନ ତାଲିମ କାର୍ଯ୍ୟକ୍ରମ ଉଭୟ ଭୁବନେଶ୍ୱର ଏବଂ କନ୍ଧମାଳ ଜିଲ୍ଲାରେ ‘ସ୍ନେହ’ ଅନୁଷ୍ଠାନ କରି ଆସୁଅଛି । ଏହି କାର୍ଯ୍ୟକ୍ରମକୁ ଓଡିଆ ସିନେ କଳାକାର ସୁଶ୍ରୀ ଉଷସୀ ମିଶ୍ର ପରିଚାଳନା କରିଥିଲେ । ଓଡ଼ିଶା ସମାଚାର