କେନ୍ଦ୍ରାପଡା,୨୨/୦୯/୨୦୧୯ ( ଓଡ଼ିଶା ସମାଚାର)- ଜନୈକ ଡିଲର ଖାଦ୍ୟ ସୁରକ୍ଷା ଯୋଜନାରେ ଖାଉଟିଙ୍କ ରାସନକାର୍ଡକୁ ନିଜ ପାଖରେ ରଖି ଖାଉଟିଙ୍କୁ ରାସନକାର୍ଡରେ ଉଲ୍ଲେଖଥିବା ପରିମାଣରୁ କମ ସାମଗ୍ରି ଦେଉଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କରିଲୋପାଟଣା ପଂଚାୟତର ଗୋଦେଇ ଗ୍ରାମର ଜନ୍ମେଜୟ ପାତ୍ର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ମା ଲକ୍ଷ୍ମୀପ୍ରିୟା ପାତ୍ରଙ୍କ ନାମରେ ଥିବା ରାସନକାର୍ଡରେ ତାଙ୍କ ପରିବାରର ୬ଜଣଙ୍କ ନାମ ଥିବା ସ୍ଥଳେ ଡିଲର ବଟକୃଷ୍ଣ ସ୍ୱାଇଁ ମାତ୍ର ୪ଜଣଙ୍କ ରାସନ ସାମଗ୍ରି ସେହି କାର୍ଡରେ ପ୍ରଦାନ କରୁଛନ୍ତି । ମୁଳ ରାସନ କାର୍ଡଟିକୁ ଡିଲର ତାଙ୍କୁ କିମ୍ବା ତାଙ୍କ ପରିବାରର କୈାଣସି ସଦସ୍ୟଙ୍କୁ ପ୍ରଦାନ ନକରି ନିଜ ପାଖରେ ରଖି ଏଭଳି ଅନୀୟମିତତା କରୁଥିବା ସେ ଅଭିଯୋଗ କରିଛନ୍ତି । ଗତ ୨୦୧୬ମସିହା ଅପ୍ରେଲମାସରୁ ସଂପୃକ୍ତ ଡିଲର ଏଭଳି କରୁଥିବା ଜନ୍ମେଜୟ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହିତ ଏହାର ତଦନ୍ତ ପୂର୍ବକ ଡିଲର ପ୍ରଦାନ କରିନଥିବା ରାସନ ସାମଗ୍ରୀକୁ ତାଙ୍କୁ ତୁରନ୍ତ ପ୍ରଦାନ କରିବାକୁ ନିବେଦନ କରିଛନ୍ତି । ଏ ସମ୍ପର୍କରେ ଜନ୍ମେଜୟ ମାର୍ଶାଘାଇ ବ୍ଲକର ମାର୍କେଟିଙ୍ଗ ଇନିସପେକ୍ଟର,ବିଡିଓ ଏବଂ ବେସାମରିକ ଯୋଗାଣ ଅଧିକାରୀଙ୍କୁ ଜଣାଇ ସେଠାରୁ ନିରାଶ ହେବା ପରେ ଶେଷରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ନିବେଦନ କରିଛନ୍ତି । ଜିଲ୍ଲାପାଳ ଏହି ଘଟଣାରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ ନିମନ୍ତେ ମାର୍ଶାଘାଇ ବିଡିଓଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି । ଓଡ଼ିଶା ସମାଚାର