କେନ୍ଦୁଝର, ୨୧/୦୯/୨୦୧୯(ଓଡ଼ିଶା ସମାଚାର)- ସଦର ବ୍ଲକ ପଳାପଙ୍ଗା ପଂଚାୟତ କାର୍ଯ୍ୟାଳୟରେ ଗୁରୁବାର ନାବାର୍ଡ ସହାୟତାରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପଳାଶପଙ୍ଗା ଶାଖା ପକ୍ଷରୁ ଆର୍ଥିକ ସହାୟତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଂଚ ସଞ୍ଜୟ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାବାର୍ଡ ଡିଡିଏମ ସୁଧାଂଶୁ ଶେଖର ଚାଉଳିଆ ମୁଖ୍ୟଅତିଥି ଭାବେ ଯୋଗଦେଇ ଡିଜିଟାଲ ବ୍ୟାଙ୍କିଂ ସେବା, କ୍ୟାସଲେସ ଟ୍ରାଞ୍ଜାକ୍ସନ, ସରକାରଙ୍କ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ସ୍ୱଳ୍ପ ସୁଧରେ ଋଣ ପ୍ରଦାନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆର୍ଥୀକ ସହାୟତା ଓ ଋଣ ପ୍ରଦାନ ଆଦି ବିଷୟରେ ବିସ୍ତୃତ ଭାବେ ଅବଗତ କରିଥିଲେ । ଜିଲା ଅଗ୍ରଣୀ ବ୍ୟାଙ୍କ ପରିଚାଳକ ମନୋଜ କୁମାର ଶାସାନୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କୁ ସାମାଜିକ ସୁରକ୍ଷା ସମ୍ପର୍କରେ ବ୍ୟାଙ୍କର ଭୂମିକା ବିଷୟରେ ବୁଝାଇଥିଲେ । ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଆଂଚଳିକ ପ୍ରବନ୍ଧକ କେନ୍ଦୁଝର ବିଶ୍ୱରଞ୍ଜନ ମହାନ୍ତି ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚାଷୀମାନଙ୍କୁ ଦିଆଯାଉଥିବା ବିଭିନ୍ନ କୃଷି ଋଣ ଓ ବୀମା ସମ୍ପର୍କରେ ବୁଝାଇଥିଲେ । ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତା, ଚାଷୀ, କ୍ଷୁଦ୍ର ବ୍ୟବସାୟୀ ଯୋଗଦେଇ ଆର୍ଥୀକ ସାକ୍ଷରତା ସମ୍ପର୍କରେ ଅବଗତ ହୋଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପଳାଶପଙ୍ଗା ଶାଖା ପରିଚାଳକ ତପନ କୁମାର ସେଠି ସ୍ୱାଗତଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ଆଂଚଳିକ କାର୍ଯ୍ୟାଳୟ କେନ୍ଦୁଝରର ଅଧିକାରୀ ପ୍ରଫୁଲ୍ଲ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର