Wednesday , October 5 2022
Home / ବିଶେଷ / ତିନୋଟି ଜିଲାର ଲୋକଙ୍କ ଗମନା ଗମନ ସମସ୍ୟାର ସମାଧାନ ପାଇଁ ଆନ୍ଦୋଳନ କରିବାକୁ ଅଂଟା ଭିଡ଼ିଲେ ଦ୍ୱୀପାଂଚଳବାସୀ

ତିନୋଟି ଜିଲାର ଲୋକଙ୍କ ଗମନା ଗମନ ସମସ୍ୟାର ସମାଧାନ ପାଇଁ ଆନ୍ଦୋଳନ କରିବାକୁ ଅଂଟା ଭିଡ଼ିଲେ ଦ୍ୱୀପାଂଚଳବାସୀ

ଗରଦପୁର,୨୧/୦୯/୨୦୧୯ (ଓଡ଼ିଶା ସମାଚାର)- କଟକ – ପାରାଦ୍ୱୀପ ରାସ୍ତାର ତାରପୁର ବାଇପାସ ଠାରୁ ମହାନଦୀ ସେତୁ ପାର ହୋଇ ସାରିବା ପରେ ମହାନଦୀର ଉତରପାଶ୍ୱର୍ ନଦୀବନ୍ଧ ମାହାଳହାଟ ଠାରୁ ସାନନୟନପୁର ରାସ୍ତାଟି କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁର ଜିଲାର ମହାନଦୀ ଚିତ୍ରୋପôଳା ଦ୍ୱୀପାଂଚଳରେ ଅବସ୍ଥିତ ପ୍ରାୟ ୫୦ ଟି ଗ୍ରାମର ପ୍ରବେଶ ପଥ । ଏହି ମାହାଳହାଟ – ସାନନୟନପୁର ପର୍ଯ୍ୟନ୍ତ ୪ କିମି ରାସ୍ତା ର ଅବସ୍ଥା ସୁଧୁରୁନି । ପ୍ରାୟ ପ୍ରତ୍ୟେକ ବର୍ଷ ଏହି ରାସ୍ତାକୁ ଲେଉଟିଆ କିଆରୀ ପରି ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ଉପଯୁକ୍ତ ଭାବେ ମରାମତି ନକରି କାଟି ଖାଉଛନ୍ତି । ପ୍ରତି ବର୍ଷ ପ୍ରାୟ ୨୦ ଲକ୍ଷ ଟଙ୍କା ଏହି ରାସ୍ତା ମରାମତିରେ ବ୍ୟୟ କରାଯାଉଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ ଯୋଗୁ ତାହା ୪ ମାସ ଯାଉନାହିଁ । ଫଳରେ ଲୋକମାନେ ଯେଉଁ ଅସୁବିଧାରେ ସେହି ଅସୁବିଧାରେ । ଏହି ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ି ଗମନା ଗମନ ପାଇଁ ଅନୁପଯୁକ୍ତ ହୋଇପଡ଼ିଥିଲା । ସ୍ଥାନୀୟ ଜନସାଧାରଣ ଯେତେ ଅଭିଯୋଗ କଲେ ମଧ୍ୟ ବିଭାଗୀୟ କର୍ତୃପକ୍ଷ ସେଥିପ୍ରତି କର୍ଣ୍ଣପାତ କରୁନଥିଲେ । ହେଲେ ଗତ ମାର୍ଚ୍ଚ ୧୮ ତାରିଖରେ ସ୍ଥାନୀୟ ତେଣ୍ଡାକୁଡ଼ା ଠାରେ ଥିବା ଫଜଲହକ୍ ହାଇସ୍କୁଲ ର ପ୍ଲାଟିନମ ଜୁବୁଲି ର ଉଦଯାପନୀ ଉତ୍ସବରେ ମହାମହିମ ରାଜ୍ୟପାଳଙ୍କ ଗସ୍ତ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାରୁ ଦିନ ରାତି ଲାଗି ଏହି ରାସ୍ତାକୁ ଗମନା ଗମନ ଉପଯୋଗୀ କରାଯାଇଥିଲା । ହେଲେ ତାହା ୪ ମାସ ଗଲାନାହିଁ । ମାତ୍ର ୪ ମାସ ରେ ପୁଣି ପୂର୍ବାବସ୍ଥା ହୋଇଗଲା । ବର୍ତମାନ ଏହି ରାସ୍ତାରେ ଖାଲଖମା ରେ ବର୍ଷାପାଣି ଭରିଯାଉଛି । ଫଳରେ ଏହି ରାସ୍ତାରେ ଯାତାୟତ କରିବା ଅତ୍ୟନ୍ତ ବିପଦ ସଙ୍କୁଳ ହୋଇପଡ଼ିଛି । ଖାଲ ଖମାରେ ବର୍ଷାଜଳ ଭରିରହୁଥିବାରୁ ଖାଲରେ ସ୍କୁଟର, ମଟର ସାଇକେଲ ଗଳି ପଡ଼ୁଛି ।
ଏହି ମହାନଦୀ ବନ୍ଧ ରାସ୍ତା ଟି କଟକ , କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାର ମହାନଦୀ ଚିତ୍ରୋପôଳା ଦ୍ୱୀପାଂଚଳର ପ୍ରବେଶ ପଥ ହୋଇଥିବାରୁ ତିନୋଟି ଜିଲାର ହଜାର ହଜାର ୨ ଚିକିଆ, ଶହ ଶହ କାର, ଏକାଧିକ ବସ୍ , ଟ୍ରକ୍ ଓ ଟ୍ରାକ୍ଟର ଏହି ରାସ୍ତାରେ ଯାତାୟତ କରିଥାଏ । ଦୈନିକ ସ୍କୁଲ, କଲେଜକୁ ଛାତ୍ର ଛାତ୍ରୀ ମାନେ , ଡ଼ାକ୍ତରଖାନାକୁ ରୋଗୀ ଯାତାୟତରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସମ୍ପର୍କରେ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀ ମାନଙ୍କର ନିଦ ଭାଙ୍ଗୁ ନାହିଁ । ଏହି ରାସ୍ତାଟି କଟକ ଜିଲା ର ଓରିକଂଟା କନିଷ୍ଠ ଯନ୍ତ୍ରୀ ଓ କେନ୍ଦ୍ରାପଡ଼ା ଜିଲା ପୁନ୍ଦାଳ ସବଡ଼ିଭିଜନ ରେ ରହିଛି । ଦୁଇ ଟି ଜିଲାରେ ରାସ୍ତା ଟି ରହିଥିବାରୁ ଏଭଳି ଅବସ୍ଥା ଭୋଗୁଛନ୍ତି ଜନସାଧାରଣ । ଏହି ସମସ୍ୟାର ସମାଧାନ ପାଇଁ ଆନ୍ଦୋନାତ୍ମକ ପନ୍ଥା ଗ୍ରହଣ କରିବା ପାଇଁ ଦଳ ମତ ନିର୍ବିଶେଷରେ ମହାନଦୀ ଚିତ୍ରୋପôଳା ଦ୍ୱୀପାଂଚଳରେ ଅବସ୍ଥିତ କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁର ଜିଲାର ସଚେତନ ନାଗରିକ, ବୁଦ୍ଧିଜିବୀ ଓ ରାଜନୈତିକ ବ୍ୟକ୍ତି ମାନଙ୍କୁ ନେଇ ଶୁକ୍ରବାର ଅପରାହ୍ନରେ ମାହାଳହାଟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଦ୍ୱୀପାଂଚଳ ଉନ୍ନୟନ ପରିଷଦର ଅଧ୍ୟକ୍ଷ ପିତାମ୍ବର ପରିଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ତେଣ୍ଡାକୁଡ଼ାର ପୂର୍ବତନ ସରପଂଚ ରବିନ୍ଦ୍ର ନାଥ ମହାନ୍ତି,ବିଶନପୁର ପଂଚାୟତ ସରପଂଚ ବସନ୍ତ ମହାପାତ୍ର,ପଳସୁଧା ପଂଚାୟତ ସରପଂଚ ଅନୁଜ ମହାନ୍ତି, କନିମୂଳ ସରପଂଚ ଦେବଦୂତି ପୃଷ୍ଟି, ତେଣ୍ଡାକୁଡ଼ା ର ପୂର୍ବତନ ସରପଂଚ ରବିନ୍ଦ୍ର କୁମାର ମହାପାତ୍ର,ଦାଇଁଲୋ ସରପଂଚ ଧନଂଜୟ ସୂତାର,କୃଷ୍ଣାନନ୍ଦପୁର ପଂଚାୟତ ସରପଂଚ ଗୋଲକ ବିହାରୀ ଜେନା, ବନ୍ତଳା ସରପଂଚ ରମାକାନ୍ତ ସାହୁ ,ଗରଦପୁର ବ୍ଲକ ର ପୂର୍ବତନ ଉପାଧ୍ୟକ୍ଷ ପ୍ରଫୁଲ ସିଂ , ବିଷନପୁର ର ସମିତି ସଭ୍ୟ ଅମୂଲ୍ୟ ମହାପାତ୍ର , ମଣିଜଙ୍ଗ ପଂଚାୟତ ର ସରପଂଚ ଙ୍କ ପ୍ରତିନିଧି ସର୍ବେଶ୍ୱର ନାୟକ,ଉତରକୂଳ ସରପଂଚ ଦିଲିପ କୁମାର ବିଶ୍ୱାଳ ,ବରିଷ୍ଠ ନାଗରିକ ଗୌରଚନ୍ଦ୍ର ଦାସ, ଜମ୍ବେଶ୍ୱର ବେଉରା, ଅମିୟ କିଶୋର ଦାସ, ଦୀପ୍ତିରଂଜନ କାନୁନଗୋ,ଅଶୋକ ସିଂ , ଦେବେନ୍ଦ୍ରନାଥ ମହାନ୍ତି ,ଜମିଲ ଅଖତର, ଆଜମିର ଆଲାମ ,ପ୍ରତାପ ପାଣି , ହିମାାଂଶୁ ପାଇକରାୟ, ମାନସ ରଂଜନ ଦାସ, ମିରଜା ସିଦିକ, ଅରୁଣ ମହାପାତ୍ର, ସେକ୍ ଅବଦୁଲ ଶୋଭାନ୍, ଅରୁଣ ପଣ୍ଡା , ଯୁବ ନେତା ଇଂ ଜଗଦିଶ ପାଣି , ଲକ୍ଷ୍ମୀକାନ୍ତ ଦାଶ ପ୍ରମୁଖ ଶତାଧିକ ବ୍ୟକ୍ତି ଯୋଗଦେଇ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ଏହି ବୈଠଳରେ ଏକ ଷ୍ଟିଅରିଂ କମିଟି ଗଠନ କରାଯାଇଥିଲା । ବୈଠକର ବିବରଣୀ କୁ କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାପାଳ, କଟକ ସଦର, ପାଟକୁରା ଓ ଜଗତସିଂହପୁର ବିଧାୟକ , କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ସାଂସଦ , ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ବିଭାଗୀୟ ଯନ୍ତୀ ଙ୍କୁ ଦାଖଲ କରାଯିବ । ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ତାରପୁର ବାଇପାସ ଠାରେ କଟକ – ପାରାଦୀପ ରାଜ୍ୟ ରାଜପଥ ଅବରୋଧ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.