କେନ୍ଦ୍ରାପଡା ,୨୧/୦୯/୨୦୧୯(ଓଡ଼ିଶା ସମାଚାର)- ଔଷଧ ବ୍ୟବସାୟୀ ଗଗନ ସାହୁ ହତ୍ୟା ଘଟଣାରେ ପୋଲିସ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାଇ ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ମଣିକୁଣ୍ଡା ଗ୍ରାମର ଔଷଧ ବ୍ୟବସାୟୀ ଗଗନବିହାରୀ ସାହୁ ଗତ ବୁଧବାର ସକାଳ ପ୍ରାୟ ୯ଟା ସମୟରେ ଘରୁ କେନ୍ଦ୍ରାପଡା ସହରକୁ ବାଇକରେ ଆସୁଥିବା ବେଳେ ମଣିକୁଣ୍ଡା – ହାତିଆ ଗ୍ରାମ ମଝି ରାସ୍ତାର ଏକ ନିଛାଟିଆ ସ୍ଥାନରେ ଅନ୍ୟଏକ ବାଇକରେ ଆସୁଥିବା ଦୁଇଜଣ ଗଗନ ଉପରକୁ ୩ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ଗଗନ ବାଇକରୁ ତଳକୁ ପଡିଯାଇଥିଲା ବେଳେ ତାକୁ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭର୍ତି କରାଯିବାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ସେହି ଘଟଣାରେ କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଘଟଣାର ଛାନଭିନ କରାଯାଇଥିଲା । ଶନିବାର ଗଗନ ହତ୍ୟା ଘଟଣାରେ ପୋଲିସ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି ମାର୍ଶାଘାଇ ଥାନା କେଶ ନମ୍ବର ୨୨୯/୨୦୧୯ରେ ଆଇ.ପି.ସିର ଧାରା ୩୦୨,୧୨୦(ବି) ଓ ୨୫,୨୭ ଆର୍ମସ ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ବାରିମୂଳସ୍ଥିତ ଉପକାରାଗାରକୁ ପଠାଇଦିଆଯାଇଛି । ଅଭିଯୁକ୍ତମାନେ ହେଲେ ମାର୍ଶାଘାଇ ଥାନା ଅନ୍ତର୍ଗତ ମଣିକୁଣ୍ଡା ଗ୍ରାମର ରମେଶ ଜେନାଙ୍କ ପୁଅ ସୟନ କୁମାର ଜେନା(୨୪) ଓ ସେହି ଗ୍ରାମର ବୀରକିଶୋର ସ୍ୱାଇଁଙ୍କ ପୁଅ ରିଂଟନ ଓରଫ ରଶ୍ମିରଞ୍ଜନ ସ୍ୱାଇଁ(୨୧),ମାଣିତ୍ରି ଗ୍ରାମର ରନôାକର ସ୍ୱାଇଁଙ୍କ ପୁଅ ରମେଶ ଚନ୍ଦ୍ର ସ୍ୱାଇଁ(୩୬),ମଣିକୁଣ୍ଡା ଗ୍ରାମର ରାମଚନ୍ଦ୍ର ସ୍ୱାଇଁଙ୍କ ପୁଅ କ୍ଷିରୋଦ ଚନ୍ଦ୍ର ସ୍ୱାଇଁ(୬୭) ଓ ମାଣିତ୍ରି ଗ୍ରାମର ଜନୈକ ୧୭ବର୍ଷର ନାବାଳକ । ଶନିବାର ଆରକ୍ଷୀ ଅଧିକ୍ଷକ ନୀତି ଶେଖରଙ୍କ ପକ୍ଷରୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ପତ୍ରକାର ସମ୍ମିଳନୀରେ ଶ୍ରୀ ଶେଖର ସୂଚନା ଦେଇଥିଲେ ଯେ ବର୍ଷକ ପୂର୍ବରୁ ମଣିକୁଣ୍ଡା ଗ୍ରାମର ରମେଶ ଜେନାଙ୍କ ପୁଅ ଭେଲୁ ଓରଫ ଅନନ୍ତ ପ୍ରସାଦ ଜେନା ପାଟକୁରା ଥାନା ଅନ୍ତର୍ଗତ ଜୋକିଆ ଗ୍ରାମର ଲୁଲୁ ଓରଫ ଉକôଳ କେଶରୀ ଖୁଂଟିଆଙ୍କ ଠାରୁ ୩ଲକ୍ଷ ଟଙ୍କା ନେଇଥିଲା ମଦ ବ୍ୟବସାୟ ଭଡା ବାବଦକୁ ଯେଉଁଥିରେକି ମୃତ ଗଗନ ବିହାରୀ ସାହୁ ଓ ତାର ସାଙ୍ଗ ବଛରେଇ ଗ୍ରାମର ରାଜା ଓରଫ ରାଜେଶ ମୁଦୁଲି ମଧ୍ୟସ୍ଥି ତଥା ଗ୍ୟାରେଂଟର ଥିଲେ । ପ୍ରଥମ ଦୁଇମାସରେ ଭେଲୁ ଓରଫ ଅନନ୍ତ ପ୍ରସାଦ ଜେନା ଚୁକ୍ତି ମୁତାବକ ୫୦ହଜାର ଟଙ୍କା ଫେରାଇଥିଲା । ସେହି ସମୟରେ ମୃତ ଗଗନ ଭେଲୁକୁ ତାର ମଦ ବ୍ୟବସାୟରେ ପାଟର୍ନର କିମ୍ବା କ୍ୟାସିଅର ଭାବେ ଗଗନକୁ ରଖିବାକୁ କହିଥିଲା । କିନ୍ତୁ ଭେଲୁ ଗଗନର ଅନୁରୋଧକୁ ଅଗ୍ରାହ୍ୟ କରିଦେଇଥିଲା । ଏହାପରେ ଗଗନ ଲୁଲୁକୁ ଭେଲୁ ଠାରୁ ଟଙ୍କା ଫେରାଇ ଆଣିବାକୁ ଇନଷ୍ଟିଗେଟ କରିବାରୁ ଲୁଲୁ ଭେଲୁକୁ ଟଙ୍କା ମାଗିଥିଲା । ଭେଲୁ ୫୦ହଜାର ଟଙ୍କା ଓ ଏକଲକ୍ଷ ଟଙ୍କାର ଲିକର ଫେରସ୍ତ ଦେଇଥିଲା । ଏହାପରେ ଲୁଲୁ,ରାଜେଶ ମୁଦୁଲି ଓ ଗଗନ ସାହୁ ଭେଲୁକୁ ବାକି ୨ଲକ୍ଷ ଟଙ୍କା ଫେରାଇବାକୁ କହିବା ସହ ନଫେରାଇଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । ଯାହା ଫଳରେକି ଭୟରେ ଭେଲୁ ଘରଛାଡି ବାହାରେ ରହୁଥିଲା । ଗତ ଗଣେଶ ପୂଜା ଭଷାଣି ସମୟରେ ସିଂ ସାହି ଓ ବାରିକ ସାହି ଭିତରେ ବିବାଦ ସୃଷ୍ଟି ହୋଇଥିଲା । ମୃତ ଗଗନ ସେତେବେଳେ ସଂସାହି ଗଣେଶ ମେଢ ଭଷାଣି ଉସôବର ନେତୃତ୍ୱ ନେଇ ତାର ସମର୍ଥକମାନଙ୍କ ସହ ଅଭିଯୁକ୍ତ ରିଂଟନ ସ୍ୱାଇଁର ବାପା ବୀର ସ୍ୱାଇଁଙ୍କୁ ମାଡ ମାରିଥିଲା । ଏହି ଘଟଣାକୁ ନେଇ ରିଂଟନ ମିଟୁନା ଓରଫ ପ୍ରଭାତ ନାୟକ,ରମେଶ ସ୍ୱାଇଁ ଓ ନାବାଳକ ନିଷ୍ପତି କଲେ ଯେ ଗଗନ ବିରୁଦ୍ଧରେ ପ୍ରତିଶୋଧ ନେବେ । ଏଥିରେ ଭେଲୁ ଓରଫ ଅନନ୍ତ ପ୍ରସାଦ ଜେନା ଏବଂ ତାର ଭାଇ ସୟନ କୁମାର ଜେନାର ସହାୟତା ନେବେ । ଭେଲୁର ବଡବାପା କ୍ଷିରୋଦ ଚନ୍ଦ୍ର ସ୍ୱାଇଁଙ୍କ ଘରେ ଏମାନେ ବସି ହତ୍ୟାକାଣ୍ଡର ଯୋଜନା ପ୍ରସ୍ତୁତ କଲେ ଯେ ଭେଲୁ ଏବଂ ତାର ଜଣେ ସହ ଯୋଗୀ ଗଗନକୁ ଅନୁସରଣ କରି ବନ୍ଧୁକରେ ହତ୍ୟା କରିବେ ଓ ଅନ୍ୟମାନେ ଗଗନର ଅତାପତା ସମ୍ପର୍କରେ ସମସ୍ତ ସୂଚନା ଭେଲୁକୁ ଦେବେ । ସେହି ଅନୁଯାଇ ଭେଲୁ ଓ ତାର ସହ ଯୋଗୀ ଏକ ହିରୋ ଗ୍ଲାମର ବାଇକରେ ଯାଇ ବନ୍ଧୁକରୁ ୩ରାଉଣ୍ଡ ଗୁଳି ଗଗନ ଉପରେ ଚଳାଇ ତାକୁ ହତ୍ୟା କରିଥିବା ବେଳେ ଅନ୍ୟମାନେ ପଲସର ବାଇକ ଓ ଅନ୍ୟ ବାଇକରେ ଗଗନକୁ ଅନୁସରଣ କରି ଭେଲୁକୁ ଖବର ଦେଉଥିଲେ ଏବଂ ନାବାଳକ ଜଣକ ହାତିଆ ଛକରେ ଥାଇ ଖବର ଦେଉଥିଲା ବୋଲି ଏସ.ପି. ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ଗାଗାରିନ ମହାନ୍ତି,କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା,ମାର୍ଶାଘାଇ ଥାନା ଅଧିକାରୀ କାଳନ୍ଦି ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର