ଭୁବନେଶ୍ୱର, ୧୭/୦୯/୨୦୧୯(ଓଡ଼ିଶା ସମାଚାର)- ବିଧାନସଭା ଗୃହ ଓ ଲବିର ଭିତର ପାଶ୍ୱର୍ର ପୁନଃନିର୍ମାଣ କରାଯିବ । ଏଥି ନିମନ୍ତେ ପୂର୍ତ ବିଭାଗର ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହେବ । ଏହି କମିଟିରେ ଅର୍ଥ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ପ୍ରତିନିଧି ସଦସ୍ୟ ରହିବେ ଓ ପୂର୍ତ ମୁଖ୍ୟଯନ୍ତ୍ରୀ (କୋଠାବାଡ଼ି) ସଭ୍ୟ- ଆବାହକ ଭାବେ କାର୍ଯ୍ୟ କରିବେ । ବିଧାନସଭା ଗୃହକୁ ସ୍ମାର୍ଟ କୋଠାରେ ପରିବର୍ତିତ କରାଯିବା ସହ ସ୍ଥାୟୀ ଆଲୋକମାଳାରେ ସଜ୍ଜିତ କରାଯିବ । ଏ ସଂପର୍କରେ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବାକୁ ପୂର୍ତ ବିଭାଗକୁ କୁହାଯାଇଛି । ବିଧାନସଭା ପରିସରକୁ ଏନ୍ଆଇସି ସହାୟତାରେ ହାଇସ୍ପିଡ଼୍ ଇଂଟରନେଟ୍ ସଂଯୋଗ ସହ ୱାଇଫାଇ ସୁବିଧା ମଧ୍ୟ ଦିଆଯିବ । ବିଧାନସଭା ଗୃହ ଓ ଲବିର ପୁନରୁଦ୍ଧାର ସଂପର୍କିତ କମିଟିର ସଦସ୍ୟମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ସୋମବାର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ତାଙ୍କ ବିଧାନସଭାସ୍ଥ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ବିଧାୟକ/ ବିଧାୟିକାମାନଙ୍କ ବାସଗୃହ ଅଭାବ ସମସ୍ୟାକୁ ଦୂର କରିବା ପାଇଁ ବହୁତଳ ବିଶିଷ୍ଟ କୋଠା ନିର୍ମାଣ କରିବାକୁ ମଧ୍ୟ ଆଲୋଚନା କରାଯାଇଥିଲା । ବିଧାନସଭା ପକ୍ଷରୁ ପୂର୍ବତନ ବିଧାୟକ/ ବିଧାୟିକାଙ୍କ ବାସଗୃହ ଆବଂଟନ ରଦ୍ଧ କରାଯାଇ ଘର ଛାଡ଼ିବା ପାଇଁ ପତ୍ର ପ୍ରେରଣ କରାଯାଇଛି । ସେହି ଗୃହଗୁଡ଼ିକର ବିଦୁ୍ୟତ ଓ ପାଣି ସଂଯୋଗ ଯଥାଶୀଘ୍ର ବିଚ୍ଛିନ୍ନ କରିବାକୁ ସଂପୃକ୍ତ ବିଭାଗୀୟ ପଦାଧିକାରୀଙ୍କୁ ବାଚସ୍ପତି ନିର୍ଦ୍ଧେଶ ଦେଇଥିଲେ । ଏହି ବୈଠକରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା, ପୂର୍ତ ବିଭାଗର କମିଶନର ତଥା ଶାସନ ସଚିବ ଡ. କ୍ରିଷନ କୁମାର, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ଅର୍ଥ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ପି.କେ. ନନ୍ଦ, ମୁଖ୍ୟ ସ୍ଥପତି ଶ୍ରୀ ବିଶ୍ୱରଞ୍ଜନ ନାୟକ, ମୁଖ୍ୟଯନ୍ତ୍ରୀ (କୋଠାବାଡ଼ି) ଶ୍ରୀ ଏସ୍. ଆର୍. ସେଠୀ, ଏନ୍.ଆଇ.ସିର ଉପମହାନିର୍ଦ୍ଧେଶକ ତଥା ରାଜ୍ୟ ସୂଚନା ଅଧିକାରୀ ପ୍ରତିଭା ସିଂହ, ବିଡିଏର ଅତିରିକ୍ତ କମିଶନର ଶ୍ରୀ ଏଚ୍.ସି. ନାୟକଙ୍କ ସମେତ ବିଭିନ୍ନ ବିଭାଗର ଉଚ୍ଚପଦାଧିକାରୀ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର