ବ୍ରହ୍ମପୁର, ୧୭/୦୯/୨୦୧୯(ଓଡ଼ିଶା ସମାଚାର)-ରାତି ପାହିଲେ ଏବେ ସହରର ବିଭିନ୍ନ ଛକରେ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳୁଛି । ଏହି ଲମ୍ବା ଲାଇନ କୌଣସି ଗ୍ୟାସ ସିଲିଣ୍ଡରର ହାଣ୍ଡି ପାଇଁ ନୁହେଁ କି ସରକାରଙ୍କ ମାଗଣା ଟଙ୍କାକିଆ ଚାଉଳ ପାଇବା ପାଇଁ ନୁହେଁ । ଏହି ଧାଡି ଲାଗୁଛି ନିଜ ନିଜ ଗାଡିର ପ୍ରଦୂଷଣ ଯାଂଚ କରିବା ପାଇଁ । ଏଥି ପାଇ କିଏ ଜଳଖିଆ, ନଖାଇ ଠିଆ ହୋଇ ପଡୁଛି ତ ଆଉ କିଏ ଅଫିସରୁ ହାପ୍ ଛୁଟିମାରି ଧାଡିରେ ସାମିଲ ହେଉଛି । ସରକାର ଟ୍ରାଫିକ ନିୟମକୁ ୩ମାସ କୋହଳ କରିଛନ୍ତି । ଏଣୁ ଏହି ଭିତରେ କାମ ଚଲାଇଦେଲେ ଗଲା । ଘଡିକେ ଘୋଡା ଛୁଟୁଛି, ସରକାରର ନିୟମ କେଜାଣି କେତେବେଳେ ଯେ, କେଉଁ ନିୟମ ପୁଣି ବାହାରି ପଡିବ । ଯାହାର ପୁଅକୁ ସାପ ମାରି ଥାଏ, ତାର ମା ପାଳ ଦଉଡି ଦେଖି ଚମକି ଉଠିବା ପରି ଟ୍ରାଫିକ ନୀୟମକୁ ଉଲଂଘନ କରି ଜୋରିମାନା ଭରିଥିବା ଗାଡି ଚାଳକମାନେ ଏବେ ଜୋରିମାନା କଥା ପଡିଲେ ବିଳିଭିଳାଇ ଉଠୁଛନ୍ତି । ଏମିତି କଣ ଟିକିଏ ନିୟମ ଭାଙ୍ଗିଦେଲେ ବୋଲି ଝାଳବୁହା ଧନକୁ ପକେଟରୁ କାଢ଼ି ସରକାରଙ୍କୁ କଣ ଗଣିଦେବେ? ଆଉ ନୁହ ଏଥର ହାତେ ମାପି ଚାଖଣ୍ଡେ- ଚାଲୁଛନ୍ତି ଗାଡିଚାଳକ । ଖୁବ୍ ସଚେତନ ହୋଇଗଲେଣି । ହେଲେ ସରକାରଙ୍କ ନୋଟବନ୍ଦୀ ବେଳେ ଟଙ୍କା ବଦଳାଇବା ପାଇଁ ବ୍ୟାଙ୍କରେ କିମ୍ବା ଟଙ୍କାକୁ ବାହାର କରିବା ପାଇଁ ଏଟିଏମ୍ରେ ଘଂଟା ଘଂଟା ଧରି ଠିଆ ହୋଇଥିବା କଥା ବୋଧ ହୁଏ ଆଉ ଲୋକଙ୍କ ମନେ ନାହିଁ । ଏଣୁ ଗାଡି ଯାଂଚ ପାଇଁ କିମ୍ବା କାଗଜପତ୍ର ପ୍ରସ୍ତୁତ ପାଇଁ ହେଉ ପଲୁ୍ୟସନ୍ ଗାଡି ଆଗରେ କିମ୍ବା ଆରଟିଓ କାର୍ଯ୍ୟାଳୟ ଆଗରେ ଧାଡିରେ ଠିଆ ହେବା ଭାରି ବାଧୁଛି । ହେଲେ ବର୍ଷ ବର୍ଷ ଧରି ନିୟମକୁ ଫୁ କରି ଦେଉଥିବା ଗାଡିଚାଳକଙ୍କୁ କିନ୍ତୁ ଏବେ ଠିଆ ହେବାକୁ ଆଉ ପସନ୍ଦ ହେଉନାହିଁ । ଏଥିପାଇଁ ଅନେକ ଜନସାଧାରଣ ସରକାରଙ୍କୁ ହିଁ ଦାୟୀ କରୁଛନ୍ତି । ଦାୟୀ କାହିଁକି ଅବା କରିବେ ନାହିଁ ସେମାନଙ୍କ କହିବା କଥା ହେଲା ନିୟମ ଭାଙ୍ଗିଲୁ ବୋଲି ଆମକୁ ଯେପରି ଗୋଡାଇ ଗୋଡାଇ ଧରିଲ, ଠିକ୍ ସେହି ପରି ରାସ୍ତା, ନାଳ, ନର୍ଦ୍ଧମା, ପାଣି ପ୍ରକଳ୍ପ ଆଦି ଯୋଜନା ଗୁଡିକୁ ଆପଣମାନେ ଗୋଡାଇ ଗୋଡାଇ ଠିକାଦାର ଓ ଯନ୍ତ୍ରୀମାନଙ୍କୁ କାହିଁକି ଧରୁନାହଁ । ଓଡ଼ିଶା ସମାଚାର