ଭୁବନେଶ୍ୱର, ୧୭/୦୯/୨୦୧୯(ଓଡ଼ିଶା ସମାଚାର)- ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଭାଗର ଉପଦେଷ୍ଟା ଭାବେ ଶ୍ରୀ ଅନୁଭବ ପଟ୍ଟନାୟକ ସୋମବାର ପୂର୍ବାହ୍ନରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଭାଗୀୟ ସଚିବ ଶ୍ରୀ ମନୋଜ କୁମାର ମିଶ୍ର ଉପଦେଷ୍ଟା ଶ୍ରୀ ପଟ୍ଟନାୟକଙ୍କୁ ବିଭାଗ ପକ୍ଷରୁ ସ୍ୱାଗତ ଜଣାଇବା ସହ ବିଭିନ୍ନ କାର୍ଯ୍ୟ ବିଷୟରେ ସୂଚନା ଦେଇଥିଲେ । ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସହ ସରକାର ତାଙ୍କୁ ଯେଉଁ ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି ତାହାକୁ ସେ ସଠିକ୍ ଭାବେ ନିର୍ବାହ କରିବେ ବୋଲି ଉପସ୍ଥିତ ଗଣମାଧ୍ୟମକୁ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ୫ “ଟି’କୁ ମୂଳମନ୍ତ୍ରକୁ ଭାବେ ଗ୍ରହଣ କରି ସବୁ ବିଭାଗ ସହ ସୂଚନା ଓ ପ୍ରଯୁକ୍ତିକୁ ଯୋଡ଼ିବା ଲକ୍ଷ୍ୟକୁ ଖୁବ୍ ଶୀଘ୍ର ପୂରଣ କରାଯିବ । ଆଇଟି କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା, ସମସ୍ତ ସରକାରୀ କାର୍ଯ୍ୟରେ ଟେକ୍ନୋଲୋଜିର ବହୁଳ ବ୍ୟବହାର ଏବଂ “ମୋ ସରକାର’ ବ୍ୟବସ୍ଥାରେ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର କିପରି ଅଧିକ ଭାଗୀଦାରି ରହିବ ସେ ଉପରେ ଶ୍ରୀ ପଟ୍ଟନାୟକ ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ ସୂଚନା ଓ ପ୍ରଯୁକ୍ତି ବିଭାଗ ପକ୍ଷରୁ ଯୁଗ୍ମ ସଚିବ ଶ୍ରୀ ଆଦିତ୍ୟ ମହାପାତ୍ର, ଉପସଚିବ ଶ୍ରୀ ଲକ୍ଷ୍ମୀପ୍ରସାଦ ଭୂୟାଁ ଓ ଶ୍ରୀ ବିଚିତ୍ର ମିଶ୍ର ଏବଂ ଓକାକର ଜେନେରାଲ୍ ମ୍ୟାନେଜର ମଧୁମିତା ରଥ ଓ ପ୍ରଶାସନିକ ଅଧିକାରୀ ଶ୍ରୀ ପ୍ରବୋଧ ରାଉତ ପ୍ରମୁଖଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର