ନିରାକାରପୁର,୧୫/୦୯/୨୦୧୯(ଓଡ଼ିଶା ସମାଚାର)-ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲା ନିରାକାରପୁରସ୍ଥିତ ସର୍ବପୁରାତନ କ୍ଷେତ୍ରବାସୀ ଡ଼ିଏଭି ମହାବିଦ୍ୟାଳୟ ହୀରକ ଜୟନ୍ତୀ ପାଳନ କରାଯିବା ପାଇଁ କଲେଜ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏ ନେଇ ଏକ ପ୍ରସ୍ତୁତି ବୈଠକ କଲେଜର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । କଲେଜ ଇତିହାସ ବିଭାଗ ଅଧ୍ୟାପିକା ପ୍ରତିଭାମୟୀ ମିଶ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ମୁଖ୍ୟଅତିଥିଭାବେ ପୂର୍ବତନ ବିଧାୟକ ତଥା କଲେଜର ପୁରାତନ ଛାତ୍ର ଡ଼. ଦିଲ୍ଲୀପ ଶ୍ରୀଚନ୍ଦନ ଓ ସମ୍ମାନୀତ ଅତିଥିଭାବେ ଡ଼ଃ ରବିନାରାୟଣ ରଥ, ଶିକ୍ଷାବିତ ଗୟାପ୍ରସାଦ ମିଶ୍ର, ଅଚ୍ୟୁତପୁର ହାଇସ୍କୁଲ ପ୍ରଧାନଶିକ୍ଷକ ବ୍ରଜବନ୍ଧୁ କର ପ୍ରମୁଖ ଯୋଗଦେଇ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗରେ ଏହି ଦେଶର ସର୍ବପୁରାତନ ବିଜ୍ଞାନ ମହାବିଦ୍ୟାଳୟର ନିଜସ୍ୱ ଜାଗାଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବା ସହ ଚଳିତ ବର୍ଷ ପାଳନ କରିବାକୁ ଥିବା ହୀରକ ଜୟନ୍ତୀ କିପରି ଉଚ୍ଚକୋଟୀର ହେବ ସେଥିପାଇଁ ସମସ୍ତଙ୍କର ଭୂମିକା ରହିବା ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ଚକ୍ରଧର ତ୍ରିପାଠୀ ପରିଚାଳନା କରିଥିଲେ । ଏହି ଅବସରରେ ଉପସ୍ଥିତ ପୁରାତନ ଛାତ୍ରଛାତ୍ରୀମାନେ ସେମାନଙ୍କ ପରିଚୟ ପ୍ରଦାନ ସହିତ ସଂକ୍ଷିପ୍ତ ଅଭିଭାଷଣ ରଖିଥିଲେ । ହୀରକ ଜୟନ୍ତୀ କମିଟି ଆବାହିକ ଅଧ୍ୟାପିକା ପ୍ରତିଭାମୟୀ ମିଶ୍ର ପ୍ରସ୍ତାବିତ କମିଟିର ସଭାପତି ଡ଼. ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ନାମ ସହ ଉପସଭାପତି ,ସଂପାଦକ,ସହସଂପାଦକ, କୋଷାଧ୍ୟକ୍ଷ, ୧୫ଜଣିଆ ଏକଜ୍ୟୁଟିଭ ବଡ଼ି ସଭ୍ୟସଭ୍ୟାମାନଙ୍କ ନାମ ଉପସ୍ଥାପନା କରିଥିଲେ । ଶେଷର ଅଧ୍ୟାପକ ହରପ୍ରସନ୍ନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ଆହୁରି ଅଧିକ ପୁରାତନ ଛାତ୍ରଛାତ୍ରୀଙ୍କୁ କିପରି ସାମିଲ କରାଯିବ ସେଥିପାଇଁ ସଭାପତି ଶ୍ରୀଯୁକ୍ତ ଶ୍ରୀଚନ୍ଦନ ସମସ୍ତଙ୍କର ସହଯୋଗ କାମନା କରିଥିଲେ । କାର୍ଯ୍ୟକ୍ରମରେ କଲେଜର ବହୁ ଅଧ୍ୟାପକ,ଅଧ୍ୟାପିକ ଓ କର୍ମଚାରୀ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରୁ ସମସ୍ତେ କଲେଜ ପ୍ରାଣପ୍ରତିଷ୍ଠାତା ସ୍ୱର୍ଗତ କ୍ଷେତ୍ରବାସୀ ରାଉରାୟଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ମୁଖ୍ୟଅତିଥି ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ନେତୃତ୍ୱରେ କଲେଜ ପରିସରରେ ୬୦ଟି ବୃକ୍ଷରୋପଣ କରିଥିଲେ । ଓଡ଼ିଶା ସମାଚାର