ସାଲେପୁର,୧୫/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ଦୀର୍ଘଦିନ ଧରି କେନ୍ଦ୍ରାପଡ଼ା କେନାଲରୁ ବାହାରିଥିବା ୫ନଂ ଶାଖା କେନାଲବନ୍ଧ ମରାମତି ନହେବାରୁ ଗତ କାଲି ଛାଣିପୁର ପଂଚାୟତର କୂଅପୋଲ ନିକଟରେ କେନାଲବନ୍ଧର ଦକ୍ଷିଣ ପାଶ୍ୱର୍ରେ ୧୦ଫୁଟ ଚଉଡ଼ାର ଘାଇ ସୃଷ୍ଟି ହୋଇ ଚାଷଜମି ଜଳମଗ୍ନ ହୋଇଯାଇଥିଲା । ଖବର ପାଇ ଜଳସେଚନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି ଘାଇଟିକୁ ମରାମତି କରିଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ କେନ୍ଦ୍ରାପଡ଼ା କେନାଲର ଶିଶୁଆ ନିକଟରୁ ବାହାରିଥିବା ୫ନଂ ଶାଖା କେନାଲ ବନ୍ଧ ଦୀର୍ଘ ବର୍ଷ ଧରି ମରାମତି ନହେବାରୁ ବିଭିନ୍ନ ସ୍ଥାନରେ କେନାଲବନ୍ଧ ଦୁର୍ବଳ ଅବସ୍ଥାରେ ଅଛି । ଗତକାଲି କେନାଲରେ ଅଧିକ ମାତ୍ରାରେ ପାଣି ଆସିବାରୁ ଛାଣିପୁର ପଂଚାୟତର କୂଅପୋଲ ନିକଟରେ କେନାଲବନ୍ଧର ଦକ୍ଷିଣ ପାଶ୍ୱର୍ରେ ଏକ ଛୋଟ ଘଳିଆ ପଡି କ୍ରମଶଃ ସେ ୧୦ଫୁଟ ଘାଇରେ ପରିଣତ ହୋଇଥିଲା । ଏହା ଫଳରେ କେନାଲର ପାଣି ନିକଟସ୍ଥ ଚାଷଜମିରେ ମାଡ଼ିଯାଇଥିଲା । ଖବର ପାଇ ଜଳସଂପଦ ବିଭାଗ ସହକାରୀ ଯନ୍ତ୍ରୀ ଅଜୟ କୁମାର ବେହେରା ଓ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ଘାଇକୁ ମରାମତି କରିଥିଲେ । ଓଡ଼ିଶା ସମାଚାର