ସାଲେପୁର,୧୫/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ଜଣେ ଯୁବକ ନିଜର ପରିବାର ପ୍ରତିପୋଷଣ କରିବା ଉଦ୍ଧେଶ୍ୟରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବାବେଳେ ଟ୍ରେନ୍ରୁ ଖସିପଡି ମୃତୁ୍ୟବରଣ କରିଥିବା ଜଣାଯାଇଛି । ଖବରରୁ ପ୍ରକାଶଯେ କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ଭୀମଦାସପୁର ପଂଚାୟତର ତାଳପଦା ଗ୍ରାମର ବିଜୟ କୁମାର ପରିଡ଼ା(୪୭) ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ଅଟନ୍ତି । ସେ ତାଙ୍କ ପରିବାର ପ୍ରତିପୋଷଣ ପାଇଁ ଆବଶ୍ୟକୀୟ କାମ ନପାଇବାରୁ ଶେଷରେ ବାଧ୍ୟ ହୋଇ ସୁଦୂର ଆନ୍ଧ୍ରପ୍ରଦେଶ ରାଜ୍ୟକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ତାଙ୍କ ଗ୍ରାମର ଅନ୍ୟ ଦୁଇଜଣ ଯୁବକଙ୍କ ସହ ଯାଇଥିଲେ । ଗତ କାଲି ଟ୍ରେନ୍ରେ ଯାଉଥିବାବେଳେ ଆନ୍ଧ୍ରରେ ପହଂଚିବା ପୂର୍ବରୁ ସିକନ୍ଦରାବାଦ ଷ୍ଟେସନ୍ ନିକଟରେ ଟ୍ରେନ୍ରୁ ଖସିପଡି ତାଙ୍କର ମୃତୁ୍ୟ ଘଟିଥିଲା । ତାଙ୍କ ସହିତ ଯାଇଥିବା ଅନ୍ୟ ଦୁଇଜଣ ଯୁବକ ଏ ସଂପର୍କରେ ତାଙ୍କ ପରିବାର ଲୋକଙ୍କୁ ଅବଗତ କରାଇଥିଲେ । ବିଜୟଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ତାଙ୍କ ମୃତ ଦେହକୁ ଆଣିବାପାଇଁ ଆର୍ଥିକ ସମ୍ବଳ ନଥିବାରୁ ତାଙ୍କ ସ୍ତ୍ରୀ ସ୍ଥାନୀୟ ଗ୍ରାମର କିଛି ଲୋକଙ୍କ ନିକଟରେ କାକୁତି ମିନତୀ ହେଲାପରେ ଆଜି କିଛି ଯୁବକ ଅପରାହ୍ଣରେ ସିକନ୍ଦରାବାଦରେ ପହଂଚି ତାଙ୍କର ଶେଷକୃତ୍ୟ ସେହିଠାରେ ସଂପନ୍ନ କରିବେ ବୋଲି ସ୍ଥିର କରିଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ ମୃତ ବିଜୟଙ୍କର ଏକ ଛୋଟ ପୁଅ ଥିବାବେଳେ ସେ ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି ଅଟନ୍ତି । ଏବେ ବିଜୟଙ୍କ ମୃତୁ୍ୟ ପରେ ତାଙ୍କର ପତ୍ନୀ ଓ ଛୋଟ ପୁଅ କିପରି ଚଳିବେ ତାଙ୍କ ସ୍ତ୍ରୀ ପାଇଁ ଚିନ୍ତାର କାରଣ ପାଲଟିଛି । ସରକାରଙ୍କ ପକ୍ଷରୁ ମୃତ ବିଜୟଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇଦେବାପାଇଁ ସାଧାରଣରେ ଦାବି ହୋଇଛି । ଓଡ଼ିଶା ସମାଚାର