ସାଲେପୁର, ୧୪/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା) – ଦେଶରେ ଦିନକୁ ଦିନ ଦୁର୍ଘଟଣା ଜନିତ ମୃତୁ୍ୟ ହାର ବୃଦ୍ଧି ପାଇବାରୁ ଏହାକୁ ରୋକିବାପାଇଁ ସରକାର ନୂତନ ମୋଟର ଯାନ ଆଇନ୍ ଚଳିତ ମାସ ୧ତାରିଖ ଠାରୁ ଲାଗୁ କରିଥିବାବେଳେ ଏହାର ପ୍ରଭାବ ସାଲେପୁର ଅଂଚଳରେ ଚାଲୁଥିବା ଟାଟା ମ୍ୟାଜିକ୍ ଗାଡ଼ି ଉପରେ ପଡିନଥିବା ଜଣାଯାଇଛି । ଏହି ରାସ୍ତାରେ ଶହ ଶହ ସଂଖ୍ୟାରେ ଟାଟା ମ୍ୟାଜିକ୍ ଯାତ୍ରୀ ନେଇ ସାଲେପୁର-କଟକ, ସାଲେପୁର-କୁଆଁପାଳ, ସାଲେପୁର-କୋରୁଆ ଯାତାୟତ କରୁଥିବାବେଳେ ଟାଟା ମ୍ୟାଜିକ୍ ଚାଳକମାନେ ଅର୍ଥ ଲୋଭରେ ବିପଦଜନକ ଭାବେ ଯାତ୍ରୀମାନଙ୍କୁ ନେବା ଆଣିବା କରୁଥିବାର ଦେଖିବାକୁ ମିଳିଛି । ଟାଟା ମ୍ୟାଜିକ ରେ ସିଟ୍ କ୍ଷମତା ଠାରୁ ଅଧିକ ମାତ୍ରାରେ ଯାତ୍ରୀ ନେବା ଆଣିବା କରୁଥିବାବେଳେ କେତେକ ଟାଟା ମ୍ୟାଜିକ୍ ଯାତ୍ରୀମାନଙ୍କୁ ଆଗ ଦୁଇ ସାଇଡ୍ ଓ ପଛରେ ବିପଦ ସଂକୁଳ ଅବସ୍ଥାରେ ଗାଡ଼ିରେ ଓହଳାଇ ନେବା ଆଣିବା କରୁଛନ୍ତି । ଫଳରେ ଯାତ୍ରୀମାନେ ବିପଦଜନକ ଅବସ୍ଥାରେ ଯାତାୟତ କରୁଛନ୍ତି । ସଂପୃକ୍ତ ଟାଟା ମ୍ୟାଜିକ୍ ମାଲିକମାନେ ଜଗତପୁର, ସାଲେପୁର, ନିଶ୍ଚିନ୍ତକୋଇଲି ଓ ନେମାଳ ପୋଲିସକୁ ହାତକରି ବିପଦ ସଂକୁଳ ଅବସ୍ଥାରେ ଏହି ଗାଡ଼ି ନିୟମିତ ଚଳାଇଆସୁଥିବା ଅଭିଯୋଗ ହେଉଛି । ଏହି ରାସ୍ତାରେ ବିପଦପୂର୍ଣ୍ଣ ଅବସ୍ଥାରେ ଯେଉଁଭଳି ଭାବେ ଯାତ୍ରୀମାନଙ୍କୁ ଟାଟା ମ୍ୟାଜିକ୍ ଗୁଡିକ ନେବା ଆଣିବା କରୁଛନ୍ତି, ଆଗାମୀ ଦିନରେ ଉକ୍ତ ରାସ୍ତାରେ ନିଶ୍ଚିତ ବଡ଼ ଦୁର୍ଘଟଣା ଘଟି ବହୁ ଧନ ଜୀବନ ହାନୀ ଘଟିବା ଘଟଣାକୁ ଏଡାଇ ଦିଆନଯାଇପାରେ ବୋଲି କୁହାଯାଇଛି । ପରିବହନ ବିଭାଗ ଏ ଦିଗରେ ଦୃଷ୍ଟି ଦେଇ ବିପଦ ସଂକୁଳ ଅବସ୍ଥାରେ ଯାତ୍ରୀମାନଙ୍କୁ ନେଇ ଯାତାୟତ କରୁଥିବା ଯାନ ଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସାଧାରଣରେ ଦାବି ହୋଇଛି । ଓଡ଼ିଶା ସମାଚାର