Tuesday , October 3 2023
Breaking News
Home / ବିଶେଷ / ପ୍ରେମ ବିବାହର କରୁଣ ପରିଣତି : ବିବାହିତ ଯୁବକ ନିର୍ଯ୍ୟାତନାର ଶିକାର ହୋଇ ଏସ୍.ଏସ୍.ଟି. ସଚିବଙ୍କ ଦ୍ୱାରସ୍ଥ ହେଲେ

ପ୍ରେମ ବିବାହର କରୁଣ ପରିଣତି : ବିବାହିତ ଯୁବକ ନିର୍ଯ୍ୟାତନାର ଶିକାର ହୋଇ ଏସ୍.ଏସ୍.ଟି. ସଚିବଙ୍କ ଦ୍ୱାରସ୍ଥ ହେଲେ

ସାଲେପୁର, ୧୪/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା) – ଆକ୍ରୋଶ ମନୋଭାବ ରଖି ଜଣେ ଦଳିତ ଯୁବକକୁ ତା’ର ଶ୍ୱଶୁର ଘର ଲୋକେ ତାଙ୍କ ପତ୍ନୀକୁ ଶିଖାଇ ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦେଉଥିବା ନେଇ ଯୁବକ ଜଣକ ରାଜ୍ୟ ଏସ୍.ଏସ୍ଟି ସଚିବ ଓ ମହିଳା କମିଶନରଙ୍କ ପାଖରେ ନ୍ୟାୟ ପାଇଁ ଆକୁଳ ନିବେଦନ କରିଛି । ଅଭିଯୋଗରୁ ପ୍ରକାଶ ଯେ ସାଲେପୁର ବ୍ଲକ୍ ଅନ୍ତର୍ଗତ ବାଲିସାହି ପଂଚାୟତ ଅଧିନସ୍ଥ ବଟେଶ୍ୱର ଗ୍ରାମର ସୁକାନ୍ତ ମାଦେଳୀଙ୍କ ପୁତ୍ର ରାଜେଶ କୁମାର ମାଦେଳୀ କିଶୋରନଗର ଥାନା ଅନ୍ତର୍ଗତ ଆର୍ତ୍ତକ ଗ୍ରାମର ରତ୍ନାକର ବରାଳଙ୍କ କନ୍ୟା ନିବେଦିତା ବରାଳଙ୍କୁ ୨୦୧୭ ମସିହାରେ ପ୍ରେମ ବିବାହ କରିଥିଲେ ।  ଯୁବକ ଜଣକ ଦଳିତ ପରିବାରର ହୋଇଥିବାରୁ ଏହି ବିବାହକୁ  ରତ୍ନାକର ବରାଳଙ୍କ ପରିବାର ଓ ବନ୍ଧୁମାନେ ଘୋର ବିରୋଧ କରିବା ସହ  ଧମକ, ଚମକ ଦେଇ ରାଜେଶର ପରିବାର ଲୋକମାନଙ୍କୁ ଜୀବନରୁ ମାରିଦେବାପାଇଁ ଧମକ ଦେଇଥିଲେ ।  ବିବାହ ପରେ ଭୟଭୀତ ହୋଇ ରାଜେଶ ଓ ନିବେଦିତା ଆନ୍ଧ୍ର, ଛତିଶଗଡ଼ ଇତ୍ୟାଦି ବିଭିନ୍ନ ରାଜ୍ୟର ବିଭିନ୍ନ ସ୍ଥାନମାନଙ୍କରେ ରହି ୩/୪ମାସ ପରେ ଓଡ଼ିଶା ଫେରିଥିଲେ । ଓଡ଼ିଶାର ଯାଜପୁର ଜିଲ୍ଲାର ଚଣ୍ଡିଖୋଲଠାରେ ଏକ ଘରଭଡ଼ା ନେଇ ସେଠାରେ ରାଜେଶ ଓ ନିବେଦିତା ରହିଥିଲେ । ଉକ୍ତ ସମୟରୁ  ନିବେଦିତା ସହ ତା’ର ପରିବାର ଲୋକଙ୍କର ମୋବାଇଲ୍ ଯୋଗେ କଥାବାର୍ତା ଆରମ୍ଭ ହୋଇଥିଲା । ହଠାତ୍ ଦିନେ ରାଜେଶ ଭଡ଼ାଘରେ ନଥିବାର ସୁଯୋଗ ନେଇ ନିବେଦିତାକୁ ତା’ର ବାପା ରତ୍ନାକର ବରାଳ, ମା’ କାଂଚିଲତା ବରାଳ ଓ ଅନ୍ୟ ସହଯୋଗୀ ସୁଶାନ୍ତ ନାୟକ, ବୁଲୁଚରଣ ନାୟକ, ନିବେଦିତାର ଭଡ଼ାଘରେ ପହଂଚି  ନିବେଦିତାକୁ ସେଠାରୁ ନେଇ କୋରାପୁଟରେ ନିବେଦିତାର ମାମୁଘରେ ରଖିଥିବା ସହ ରାଜେଶକୁ ଜେଲ୍ ରେ ପୁରାଇବାପାଇଁ ଧମକ ଦେଇଥିବାର ରାଜେଶ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ।  ପତ୍ନୀକୁ ନପାଇ ନିଜ ପତ୍ନୀ ସଂପର୍କରେ ବାରମ୍ବାର ଶ୍ୱଶୁର ଘର ଲୋକଙ୍କୁ ଫୋନ୍ ଯୋଗେ ପଚାରିବାରୁ ଶେଷରେ ନିବେଦିତା ତା’ର ମାମୁଘର କୋରାପୁଟରେ ଅଛି ବୋଲି ରାଜେଶକୁ କହିଥିଲେ । ଏହାର କିଛିଦିନ ପରେ ସ୍ଥାନୀୟ ଭଦ୍ରଲୋକଙ୍କ ହସ୍ତକ୍ଷେପ ପରେ ପୁଅ ଓ ଝିଅ ପରିବାର  ମଧ୍ୟରେ ଆପୋଷ ସମାଧାନ ହେବାପରେ ବର ଓ କନ୍ୟା ପରିବାରଙ୍କ ଉପସ୍ଥିତିରେ ବିରିବାଟି ମନ୍ଦିରରେ ପୁନର୍ବାର ଉଭୟଙ୍କ ବିବାହ କରାଇଥିଲେ । ରାଜେଶ ନିଜ ସ୍ତ୍ରୀକୁ ନେଇ ସାଲେପୁରସ୍ଥିତ ତାଙ୍କ ବାସଭବନରେ ରହିଥିଲେ । କିଛି ଦିନ ଉଭୟଙ୍କ ଦାମ୍ପତ୍ୟ ଜୀବନ ଠିକ୍ ଠାକ୍ ଚାଲିଥିବାବେଳେ ହଠାତ୍ ଝିଅଘର ପକ୍ଷରୁ ଝିଅ ମାଧ୍ୟମରେ ଜ୍ୱାଇଁକୁ ଏକାଧିକ ବାର ଟଙ୍କା ଧାର ଆକାରରେ ମଗାଯାଇଥିଲା । ଶ୍ୱଶୁର ଘର କଥାକୁ ସମ୍ମାନ ଦେଇ ଜ୍ୱାଇଁ ରାଜେଶ ଧାର ଉଧାର କରି ୩ଟି କିସ୍ତିରେ ୯୨ହଜାର ଟଙ୍କା ଦେବାପରେ ପୁନରାୟ ଶ୍ୱଶୁର ଘର ପକ୍ଷରୁ ଝିଅ ମାଧ୍ୟମରେ ଜ୍ୱାଇଁକୁ ଆହୁରି ଅଧିକ ୧୮ହଜାର ଟଙ୍କା ଦାବି କରାଯାଇଥିଲା । ଶେଷରେ ଜ୍ୱାଇଁ ଟଙ୍କା ଦେବାକୁ ଅସମର୍ଥତା ପ୍ରକାଶ କରିବାରୁ ଝିଅକୁ ଶିଖାଇ ଜ୍ୱାଇଁ ନାମରେ ମିଥ୍ୟା କେଶ୍ ଦେଇ ଝିଅ ନିବେଦିତାକୁ ତା’ର ପରିବାର ଲୋକେ ପୋଲିସ ସହାୟତାରେ ନେଇଯାଇଥିଲେ । ଉକ୍ତ ଦିନ ଠାରୁ ରାଜେଶ ଓ ତା’ର ପରିବାରକୁ  ଶ୍ୱଶୁର ଘର ଲୋକେ ମିଥ୍ୟା କେଶରେ ଫସାଇବାପାଇଁ ଉଦ୍ୟମ ଚଳାଇବା ସହ ତାକୁ ଓ ତା’ର ପରିବାରକୁ ମାନସିକ ନିର୍ଯ୍ୟାତନା ଦେଉଥିବା ନେଇ ରାଜେଶ ଅଭିଯୋଗ କରିବା ସହ ଏହି ଘଟଣାରେ ନ୍ୟାୟ ପାଇବାପାଇଁ ରାଜ୍ୟ ଏସ୍.ଏସ୍.ଟି ସଚିବ, ମହିଳା କମିଶନର, କଟକ ଜିଲ୍ଲାପାଳ ଓ ଗ୍ରାମାଂଚଳ ଏସ୍.ପି.ଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *