ସାଲେପୁର, ୧୩/୦୯/୨୦୧୯( ଓଡ଼ିଶା ସମାଚାର/ ଅଭୟ ଜେନା )- ଭାଉଜକୁ ପୋଡ଼ି ମାରିବା ଘଟଣାର ବିଚାର କରି ସାଲେପୁର ଜିଲ୍ଲା ଅତିରିକ୍ତ ଦୌରାଜଜ୍ ନଣନ୍ଦକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବାବେଳେ ୫ହଜାର ଟଙ୍କା ଜୋରିମାନା ଆଦାୟ ପାଇଁ ନିର୍ଦେଶ ଦେଇଥିବା ଜଣାଯାଇଛି । ଜୋରିମାନା ଅନାଦେୟ ୬ମାସ ଅତିରିକ୍ତ ଦଣ୍ଡାଦେଶ କରାଯାଇଛି । ଖବରରୁ ପ୍ରକାଶ ଯେ ଜଗତପୁର ଥାନା ଅନ୍ତର୍ଗତ ସୁନାରିବଣର ରଜନୀ ଗାଗରାଇଙ୍କୁ ତାଙ୍କ ନଣନ୍ଦ ସନ୍ଧ୍ୟାରାଣୀ ଗାଗରାଇ ଗତ ୨୦୧୭ମସିହା ସେପ୍ଟେମ୍ବର ୧୧ତାରିଖ ଦିନ ଯୌତୁକ ପାଇଁ କିରୋସିନ ଢ଼ାଳି ନିଆଁ ଲଗାଇଦେଇଥିଲେ । ସେ ଗୁରୁତର ଆହତ ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ଉକ୍ତ ସମୟରେ ରଜନୀ ଗାଗରାଇ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଜଗତପୁର ପୋଲିସକୁ ମୃତୁ୍ୟକାଳୀନ ଜମାନବନ୍ଦୀ ଦେଇଥିଲେ । ଏ ସଂପର୍କରେ ମଧ୍ୟ ରଜନୀ ଗାଗରାଇଙ୍କ ମା’ମିନି ସଏ ଜଗତପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ସମୟରେ ଜଗତପୁର ପୋଲିସ ଥାନା କେଶ୍ ନ୧୯୨/୨୦୧୭ରେ ମାମଲା ରୁଜୁ କରି ଅଭିଯୁକ୍ତା ନଣନ୍ଦ ସନ୍ଧ୍ୟାରାଣୀକୁ ଗିରଫ କରିଥିଲେ । ଉକ୍ତ କେଶ୍ ର ବିଚାର କରି ସାଲେପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସଂଗ୍ରାମ କେଶରୀ ପଟ୍ଟାନାୟକ ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାର କରି ସନ୍ଧ୍ୟାରାଣୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ହଜାର ଟଙ୍କା ଜୋରିମାନା ଆଦାୟ କରିବାପାଇଁ ନିର୍ଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଆସାମୀକୁ ୬ମାସ ଅତିରିକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ଏହି କେଶ କୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ଜତୀନ୍ଦ୍ର କୁମାର ମହାନ୍ତି ପରିଚାଳନା କରୁଥିଲେ । ଏହି ଘଟଣା ସ୍ଥାନୀୟ ଅଂଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଓଡ଼ିଶା ସମାଚାର