Wednesday , January 26 2022
Breaking News
Home / ବିଶେଷ / ଜିଲା ପୁଲିସ ପକ୍ଷରୁ ‘ମୋ ସରକାର’ ଯୋଜନା ବୈଠକ : ଏତଲାକାରୀଙ୍କୁ ଖରାପ ବ୍ୟବହାର କରିପାରିବେନି ପୁଲିସ

ଜିଲା ପୁଲିସ ପକ୍ଷରୁ ‘ମୋ ସରକାର’ ଯୋଜନା ବୈଠକ : ଏତଲାକାରୀଙ୍କୁ ଖରାପ ବ୍ୟବହାର କରିପାରିବେନି ପୁଲିସ

ଜଗତସିଂହପୁର, ୧୩/୦୯/୨୦୧୯(ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲା ପୁଲିସ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହଠାରେ ମୋ ସରକାର ଯୋଜନା ସଂକ୍ରାନ୍ତରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ ରଙ୍ଗରାଜନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଶ୍ୱନାଥ ମିଶ୍ର, ଡିଆଇବି ଡିଏସପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଏସଡିପିଓ ପ୍ରକାଶ ଚନ୍ଦ୍ର ପାଲ ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ବାବଦରେ ବିସ୍ତୃତ ଭାବରେ ଉପସ୍ଥିତ ପୁଲିସ କର୍ମଚାରୀମାନଙ୍କୁ କହିଥିଲେ । ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ର ସହିତ ପୁଲିସ ବିଭାଗରେ କିପରି ଭାବେ ସ୍ୱଚ୍ଛତା ଆସିପାରିବ ସେ ସଂପର୍କରେ କହିଥିଲେ । ଏହି ‘ମୋ ସରକାର’ କାର୍ଯ୍ୟକ୍ରମକୁ ଜିଲାରେ ପୁଲିସ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଡିଆଇବିର ଡିଏସପି ଶ୍ରୀ ପ୍ରଧାନ, କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ଓ କନଷ୍ଟେବଳ ପ୍ରଭଞ୍ଜନ ଜେନା ସ୍ୱତନ୍ତ୍ର ଟ୍ରେନିଂ ନେଇ ଆସିଛନ୍ତି । ମୋ ସରକାର ନାମରେ ଆରମ୍ଭ ହୋଇଥିବା ଏହି ପ୍ରୟାସରେ ଏଣିକି ପୁଲିସ ପକ୍ଷରୁ ଏତଲାକାରୀଙ୍କୁ ଭଲ ବ୍ୟବହାର କରାଯିବା ସହ ନିରାଶ କରାଯାଇ ପାରିବ ନାହିଁ । ଏହି କାର୍ଯ୍ୟକ୍ରମ ପାଇଁ ଜିଲାର ପ୍ରତ୍ୟେକ ଥାନାରେ ସ୍ୱତନ୍ତ୍ର ଡେସ୍କ ଖୋଲାଯିବ । ଅଭିଯୋଗକାରୀଙ୍କ ଠାରୁ ଥାନାରେ ଡିସିଓ କିମ୍ବା ଏହି ସ୍ୱତନ୍ତ୍ର ଡେସ୍କରେ ଏତଲା ଦାଖଲ କରିପାରିବେ । ତୁରନ୍ତ ଏହି ଡେସ୍କରେ ଥିବା ଅଭିଯୋଗକୁ ରେଜିଷ୍ଟରରେ ପଞ୍ଜିକୃତ କରାଯିବ ପରେ ଏତଲା କପି ସ୍କାନ ହେବା ପରେ ତଦନ୍ତକାରୀ ଅଫିସରଙ୍କ ପାଖକୁ ପଠାଯିବ । ଏହା ସହିତ ତଦନ୍ତକାରୀ ଅଫିସରଙ୍କ ଫୋନ ନମ୍ବର ସଂପୃକ୍ତ ଅଭିଯୋଗକାରୀଙ୍କୁ ପ୍ରଦାନ କରାଯିବ । ପରେ ଏହି ସ୍କାନ ହୋଇଥିବା ଏତଲା କପିକୁ ପୁଲିସ ମୁଖ୍ୟାଳୟରେ ଖୋଲାଯାଇ ଥିବା ସ୍ୱତନ୍ତ୍ର କଂଟ୍ରୋଲରୁମକୁ ଅନଲାଇନରେ ପଠାଇ ଦିଆଯିବ । ଜିଲା କଂଟୋ୍ରଲ ରୁମ ସହି ଡିଜି ଅଫିସ ଓ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଯୋଡି ହୋଇଥିବାରୁ ଏହି ଏତଲା ବାବଦରେ ସମସ୍ତେ ଅବଗତ ହୋଇପାରିବେ । ଅନ୍ୟ ପକ୍ଷରେ ଏହି ‘ମୋ ସରକାର’ ଯୋଜନାରେ ରହିଥିବା ନିୟମ ଅନୁସାରେ ଅଭିଯୋଗର ୧୫ଦିନ ମଧ୍ୟରେ ଅଭିଯୋଗକାରୀଙ୍କୁ ମାମଲାର ଅଗ୍ରଗତି ବିଷୟରେ ଜଣାଇ ଦିଆଯିବାର ବ୍ୟବସ୍ଥା ରହିଛି । ଯଦି ଅଭିଯୋଗ ଗୁରୁତର ହୋଇଥିବ ତେବେ ତୁରନ୍ତ ମାମଲା ପଞ୍ଜିକୃତ କରିବା ସହିତ କଂଟୋ୍ରଲରୁମକୁ ଜଣାଇ ଦିଆଯିବ । ଯଦି ତଦନ୍ତକାରୀ ଅଫିସର ଖିଲାପ କରନ୍ତି ତେବେ ସଂପୃକ୍ତ ଅଫିସରଙ୍କୁ ଦଣ୍ଡିତ ହେବାକୁ ପଡିବ । କାରଣ କଂଟୋ୍ରଲ ରୁମରୁ ଏତଲାକାରୀଙ୍କୁ ଅଭିଯୋଗ ବାବଦରେ ଯେ କୌଣସି ସମୟରେ ଫୋନ କଲ ଆସିପାରେ । ଅଭିଯୋଗକାରୀ ଆଇଓ କିମ୍ବା ଆଇଆଇସିଙ୍କ ବିରୁଦ୍ଧରେ ଯୁକ୍ତିଯୁକ୍ତ ତଥ୍ୟ ରଖିଲେ ସଂପୃକ୍ତ ଥାନାକୁ ରେଡ କାଟେଗୋରୀ ଭିତରେ ରଖାଯାଇ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ନିୟମ ରହିଛି । ସେ ଦୃଷ୍ଟିରୁ ପୁଲିସ ଅଧିକ ସତର୍କତାର ସହିତ କାର୍ଯ୍ୟ କରିବା ସହିତ ସମୟ ଭିତରେ ତଦନ୍ତ ସାରିବାକୁ ବାଧ୍ୟ ହେବାର ଲକ୍ଷ୍ୟ ରଖି ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ କିଭଳି ହେବ ଓ ପୋଲିସ ବିଭାଗରେ ସ୍ୱଚ୍ଛତା ବଜାୟ ରହିବ ସେଥିପାଇଁ ଏହି କାର୍ଯ୍ୟକ୍ରମ ଉପରେ ନିଜେ ପୁଲିସ ମହାନିର୍ଦ୍ଧେଶକ ନିରୀକ୍ଷଣ କରୁଛନ୍ତି ବୋଲି ଜଣାଯାଇଛି । ଏଥିରେ ଜଗତସିଂହପୁର, ବାଲିକୁଦା, ନାଉଗାଁ, ବିରିଡି ଥାନାର ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର

About admin

Check Also

ଆଶ୍ବସ୍ତି ଫାଉଣ୍ଡେସନ ରେ ସାଧାରଣତନ୍ତ୍ର ଦିବସ ପାଳିତ

କଟକ, ୨୬/୧/୨୦୨୨ (ଓଡ଼ିଶା ସମାଚାର)- ଅଗ୍ରଣୀ ସାମାଜିକସଂଗଠ “ଆଶ୍ବସ୍ତି ଫାଉଣ୍ଡେସନ’ ଏବଂ ବୀଣାପାଣି ଶିଶୁମନ୍ଦିର, ମଙ୍ଗଳାବାଗ ମଲାସାହି ମିଳିତ ଆନୁକୂଲ୍ୟରେ …

Leave a Reply

Your email address will not be published. Required fields are marked *