ଭୁବନ,୧୩/୦୯/୨୦୧୯(ଓଡ଼ିଶା ସମାଚାର/ ସୁଶାନ୍ତ କୁମାର ପୋଥାଳ)-ଭୁବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷୟିତ୍ରୀ ତଥା ବିଶିଷ୍ଟ ଲେଖିକା ନିରଦପ୍ରଭା ସିଂସାମନ୍ତ ଙ୍କ ବିୟୋଗରେ ଏକ ସ୍ମୃତି ଚାରଣସଭା ଅନୁଷ୍ଠିତ ହୋଇଯାଇଛି । ଭୁବନ ପୂଜ୍ୟପୂଜା ପରିଷଦ ତରଫରୁ ସ୍ଥାୟୀ ସଭାପତି ଆର୍ଯ୍ୟକବି ପଣ୍ଡିତ କୁମାରମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ପ୍ରଧାନ ଶିକ୍ଷକ ଗଣେଶ୍ୱର ଦାସ,ବାଳକୃଷ୍ଣ ସାହୁ,ରାମକୃଷ୍ଣ ପୋଥାଳ,ଚିତ୍ରଶିଳ୍ପୀ ନାରାୟଣ ସାହୁ , କବୟିତ୍ରୀ ତଥା ନାରୀ ନେତ୍ରୀ ତୁଳସୀରାଣୀ ବେହେରା,ବାଜିସେନା ସଭାପତି କମଳଲୋଚନ ମହାରଣା,ଶ୍ରୀଧର ବେହେରା,ତୁଷାରକାନ୍ତି ମିଶ୍ର,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବସନ୍ତ କୁମାର ସାହୁ,ସଭ୍ୟା ସୁଜାତା ସାହୁ,ମୋହିନୀ ବିହାରୀ ପ୍ରମୁଖ ଯୋଗଦେଇ ସ୍ୱର୍ଗୀୟା ସିଂସାମନ୍ତ ଏହି ବିଦ୍ୟାଳୟରେ ତାଙ୍କ କର୍ମମୟ ଜୀବନ ଆରମ୍ଭ କରି ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ହୋଇ ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଥିଲେ ଓ ୨୦୦୩ ମସିହାରେ ଅବସର ଗ୍ରହଣ କରିଥିଲେ । ସେ ବହୁ କବିତା,ଗଳ୍ପ,ପ୍ରବନ୍ଧ ଓ ଗୀତିକବିତା ର ସ୍ରଷ୍ଟା ଥିଲେ । ତାଙ୍କ ଆତ୍ମଜୀବନୀ“ମୋଜୀବନ କଥା”ଓଡିଆସାହିତ୍ୟ ର ଏକ ଅମୂଲ୍ୟ ଜୀବନ କୃତି । ଶ୍ରୀମା ଅରବିନ୍ଦ ଙ୍କ ଆଶ୍ରିତ ହୋଇ ବହୁ ସେବାକାର୍ଯ୍ୟ କରିବା ସହିତ ଭୁବନରେ“ବାଣୀ ସାହିତ୍ୟ ସଂସଦ” ପ୍ରତିଷ୍ଠା କରିଥିଲେ । ଜଣେ ଆଧ୍ୟାତ୍ମବାଦୀ ତଥା ଜନସେବୀ ଭାବେ ପରିଚିତା ସ୍ୱର୍ଗତା ସିଂସାମନ୍ତ ଙ୍କ ସୃଷ୍ଟି ଗୁଡିକ ମଧ୍ୟରେ ମରୁପଥିକ, ନୀରନିର୍ଝର,କୁନିକୁନି କବିତା“କିଛି ସ୍ମୃତି କିଛି ଅନୁଚିନ୍ତା” ଆଦି ପୁସ୍ତକ ପାଠକୀୟ ଆଦୃତି ଲାଭକରିଛି ବୋଲି ସ୍ମୃତିଚାରଣ କରି କହିଥିଲେ । ଏହି ସ୍ମୃତିଚାରଣ ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ରୀମାନେ ଉପସ୍ଥିତ ରହି ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ସୂଚନାଯୋଗ୍ୟ ଯେ, ସିଂସାମନ୍ତ ଗତ ମଙ୍ଗଳବାର ମଧ୍ୟରାତ୍ରରେ କଟକ ସିଡିଏସ୍ଥିତ ସେକ୍ଟର-୯ ସ୍ଥିତ ବାସଭବନରେ ହୃଦଘାତରେ ପରଲୋକ ଗମନ କରିଥିଲେ । ଓଡ଼ିଶା ସମାଚାର