ଭୁବନେଶ୍ୱର, ୧୨/୦୯/୨୦୧୯(ଓଡ଼ିଶା ସମାଚାର)- ସ୍ୱଚ୍ଛ ପରିବେଶ ବିକାଶ ଦିଗରେ ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ରାଜ୍ୟରେ ସୃଷ୍ଟି ହେଉଥିବା ପ୍ଲାଷ୍ଟିକ୍ ବର୍ଜ୍ୟର ଉପଯୁକ୍ତ ପରିଚାଳନା ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ଅସୀତ ତ୍ରିପାଠୀ ଗୁରୁତ୍ୱ ଆରୋପ କରିଛନ୍ତି । ଏଥି ପାଇଁ ରାଜ୍ୟ ଲୋକସେବା ଭବନଠାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ବର୍ତମାନର ସ୍ଥିତି ଅନୁଧ୍ୟାନ କରି ପ୍ଲାଷ୍ଟିକ ବର୍ଜ୍ୟର ଉପଯୁକ୍ତ ପରିଚାଳନା ଏବଂ ପୁନଃବ୍ୟବହାର ନିମନ୍ତେ ନିର୍ଦ୍ଧିଷ୍ଟ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବାକୁ ଶ୍ରୀ ତ୍ରିପାଠୀ ନିର୍ଦ୍ଧେଶ ଦେଇଛନ୍ତି । ରାସ୍ତା ନିର୍ମାଣରେ ପ୍ଲାଷ୍ଟିକ୍ ବ୍ୟବହାର ବଢ଼ାଇବା ପାଇଁ ଏହାର ବୈଷୟିକ, ଆର୍ଥିକ ଏବଂ କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ସବିଶେଷ କାର୍ଯ୍ୟପନ୍ଥା ଏବଂ ଗାଇଡ଼ ଲାଇନ୍ ପ୍ରସ୍ତୁତ କରିବାକୁ ପୁର୍ତ ବିଭାଗଙ୍କୁ ନିର୍ଦ୍ଧେଶ ଦିଆଯାଇଛି । ଏହାକୁ ରାସ୍ତା ନିର୍ମାଣ ପ୍ରକଳ୍ପର ଦର ତାଲିକା ସୂଚାଙ୍କ (ସିଡୁଲ୍ ଅଫ୍ ରେଟ୍) ରେ ଅନ୍ତର୍ଭୁକ୍ତ କରିବା ସହ ବାର୍ଷିକ କେତେ ପରିମାଣରେ ପ୍ଲାଷ୍ଟିକ୍ ବର୍ଜ୍ୟ ରାସ୍ତା ନିର୍ମାଣରେ ବ୍ୟବହାର ହୋଇ ପାରିବ ତାର ଆକଳନ କରିବାକୁ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କୁ ନିର୍ଦ୍ଧେଶ ଦିଆଯାଇଛି । ରାସ୍ତା ନିର୍ମାଣରେ ପ୍ରୟୋଗ ନିମନ୍ତେ ପ୍ଲାଷ୍ଟିକ୍ର ଏକ ନିର୍ଦ୍ଧିଷ୍ଟ ପ୍ରକ୍ରିୟାକରଣ ଆବଶ୍ୟକ । ଏହି ପ୍ରକ୍ରିୟାରେ ପ୍ଲାଷ୍ଟିକ୍କୁ ଟୁକୁରା ଟୁକୁରା ଖଣ୍ଡ କରାଯାଇ ପିଚୁରେ ମିଶିବାଭଳି ରୁପାନ୍ତରିତ କରାଯାଏ । ଏଥି ପାଇଁ ପ୍ରକ୍ରିୟାକରଣ ଉଦ୍ୟୋଗ ପ୍ରତିଷ୍ଠା କରିବା ନିମନ୍ତେ ଓଡ଼ିଆ ଯୁବକ ଯୁବତୀମାନଙ୍କୁ ପ୍ରୋସôାହନ ଦିଆଯିବାକୁ ବୈଠଳରେ ସ୍ଥିର ହୋଇଥିଲା । ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବା ଏବଂ ସମ୍ଭାବ୍ୟ ଉଦ୍ୟୋଗୀମାନଙ୍କୁ ପ୍ରାମାଣିକ କ୍ଷେତ୍ର ପରିଦର୍ଶନରେ (ଏକ୍ସ୍ପପୋଜର ଭିଜିଟ୍) ନେବା ପାଇଁ ମୁଖ୍ୟ ଶାସନ ସଚିବ ବୈଠକରେ ଉପସ୍ଥିତ ଶିଳ୍ପ ବିଭାଗ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମାଙ୍କୁ ପରାମର୍ଶ ଦେଇଥିଲେ । ଏପରି ଉଦ୍ୟୋଗ ପ୍ରଧାନମନ୍ତ୍ରୀ ନିଶ୍ଚିତ ନିଯୁକ୍ତି କାର୍ଯ୍ୟକ୍ରମ ( ପି.ଏମ୍.ଇ.ଜି.ପି.) ରେ ପ୍ରତିଷ୍ଠା କରାଯାଇପାରିବ ବୋଲି ଶ୍ରୀ ଶର୍ମା ଜଣାଇଥିଲେ । ଗ୍ରାମାଂଚଳରେ ସୃଷ୍ଟି ହେଉଥିବା ପ୍ଲାଷ୍ଟିକ୍ ବର୍ଜ୍ୟ ପଂଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗ ମାଧ୍ୟମରେ ସଂଗ୍ରହ କରାହେବ । ସଂଗୃହିତ ପ୍ଲାଷ୍ଟିକ୍ ନିର୍ଦ୍ଧାରିତ ସ୍ଥାନ ମାନଙ୍କରେ ନଗର ଓ ଗୃହ ଉନ୍ନୟନ ବିଭାଗଙ୍କୁ ହସ୍ତାନ୍ତର କରାଯିବ । ତାପରେ ସେଗୁଡିକର ବର୍ଗୀକରଣ କରାଯାଇ ରାସ୍ତା ନିର୍ମାଣ ଏବଂ ସିମେଂଟ ପ୍ରସ୍ତୁତିରେ ପୁନଃବିନିଯୋଗର ବ୍ୟବସ୍ଥା କରାଯିବ । ୫୦ ମାଇକ୍ରୋନ୍ରୁ କମ୍ ପ୍ଲାଷ୍ଟିକ୍ ବ୍ୟାଗ୍, କ୍ୟାରି ବ୍ୟାଗ,ବୋତଲ, ପ୍ୟାକିଂ ଦ୍ରବ୍ୟ ଥର୍ମୋକୋଲ ପ୍ରସ୍ତୁତ ସାଜସଜ୍ଜା ସାମଗ୍ରୀ ଆଦିର ଉପôାଦନ ଓ ବ୍ୟବହାରକୁ ପୂଣ୍ଣ ଭାବେ ନିୟନ୍ତ୍ରିତ କରିବା ନିମନ୍ତେ ଏ ସମ୍ବନ୍ଧିତ ନିୟମ ଗୁଡିକୁ କ୍ଷେତ୍ରସ୍ତରରେ କଡାକଡି ଭାବେ ଲାଗୁ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଜଙ୍ଗଲ ଓ ପରିବେଶବିଭାଗ ଏବଂ ରାଜ୍ୟ ପ୍ରଦୁ୍ୟଷଣ ବୋର୍ଡଙ୍କୁ ନିର୍ଦ୍ଧେଶ ଦେଇଥିଲେ । ପ୍ରାପ୍ତ ସୂଚନାରୁ ଜଣାପଡିଛି, ରାଜ୍ୟର ୧୧୪ ଟି ସହରାଂଚଳ ଅନ୍ତର୍ଗତ ୨୦୨୪ ୱାର୍ଡରୁ ଦୈନିକ ପ୍ରାୟ ୧୫୦ ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟ ବାହାରୁଛି । ରାସ୍ତା ନିର୍ମାଣ ଏବଂ ସିମେଂଟ୍ କାରଖାନାରେ ଏହାର ପୁନଃବିନିଯୋଗ କରାଗଲେ ପ୍ଲାଷ୍ଟିକ୍ ଯୋଗୁ ସୃଷ୍ଟି ହେଉଥିବା ପରିବେଶ ସମସ୍ୟାର ଅନେକ ପରିମାଣରେ ସମାଧାନ ହୋଇପାରିବ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଜି.ମାଥିଭାଥାନନ୍, ଜଙ୍ଗଲ ଓ ପରିବେଶବିଭାଗ ପ୍ରମୁଖ ଶାସନ ସଚିବ ଡ଼ଃ ମୋନା ଶର୍ମା, ପଂଚାୟତିରାଜ ବିଭାଗ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ, ଶିଳ୍ପ ବିଭାଗ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମାଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର