ସାଲେପୁର, ୦୯/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା )- ସାଲେପୁର ଅଂଚଳରେ ଏହି କିଛି ଦିନ ହେବ ବହୁ ଗୋରୁଗାଈ ଅଚିହ୍ନା ରୋଗରେ ଆକ୍ରାନ୍ତ ହୋଇ ମୃତୁ୍ୟମୁଖରେ ପଡୁଥିବାବେଳେ ସାଲେପୁର ପ୍ରାଣୀସଂପଦ ବିଭାଗ ପକ୍ଷରୁ ରୋଗ ନିରାକରଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ପଶୁପାଳକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଭିଯୋଗରୁ ପ୍ରକାଶ ଯେ ଗତ କିଛିଦିନ ତଳେ ରାମେଶ୍ୱର ଅଂଚଳରେ ଏହି ଅଚିହ୍ନା ରୋଗରେ ଏକାଧିକ ଗୋରୁଗାଈ ଆକ୍ରାନ୍ତ ହୋଇ ମୃତୁ୍ୟମୁଖରେ ପଡିଥିବାବେଳେ ଏବେ ଲୁଣାହାର ଗ୍ରାମର ରବିନ୍ଦ୍ର ନାଥ ବେହେରାଙ୍କ ୨ଟି ଗାଈ, ବିଜୟ ଦାସଙ୍କ ୩ଟି, ଖୁଜି ବେହେରାଙ୍କର ୩ଟି ଗାଈ ଏହି ଅଚିହ୍ନା ରୋଗରେ ଆକ୍ରାନ୍ତ ହୋଇଛନ୍ତି ।ଏହି ରୋଗରେ ଗାଈଗୋରୁମାନଙ୍କ ଶରୀରରେ ବଡ଼ ବଡ଼ ଆବୁ ହେବା ସହ ପାଣିରୁ ଲାଳ ଓ ଫେଣ ବାହାରୁଛି । ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ନକଲେ ଏହି ଗୋରୁଗାଈ ମୃତୁ୍ୟମୁଖରେ ପଡୁଛନ୍ତି । ଏହାନେଇ ସ୍ଥାନୀୟ ଅଂଚଳର ପଶୁପାଳକମାନେ ସାଲେପୁର ପ୍ରାଣୀସଂପଦ କାର୍ଯ୍ୟାଳୟକୁ ଗଲେ ମଧ୍ୟ ଚିକିତ୍ସା ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଅଧିକାଂଶ ସମୟରେ ପ୍ରାଣୀଚିକିତ୍ସା କାର୍ଯ୍ୟାଳୟରେ କେହି ଡାକ୍ତର ନଥିବା ଓ ତାଲା ଝୁଲୁଥିବାର ବହୁ ପଶୁପାଳକମାନେ ଅଭିଯୋଗ କରୁଛନ୍ତି । ଶେଷରେ କୌଣସି ସାହା ଭରସା ନପାଇ ବେସରକାରୀ ଭାବେ ପଶୁଡାକ୍ତରମାନଙ୍କୁ ଆଣି ନିଜର ଗୋରୁଗାଈମାନଙ୍କର ଚିକିତ୍ସା କରାଇବାକୁ ବାଧ୍ୟ ହେଉଛନ୍ତି । ଗତକାଲି ଚନ୍ଦ୍ରାଦେଇପୁର ଗ୍ରାମର ନିରଂଜନ କରଙ୍କର ଏକ ଗାଈ ଏହି ରୋଗରେ ଆକ୍ରାନ୍ତ ହୋଇ ମୃତୁ୍ୟବରଣ କରିଥିବା ସେ ଅଭିଯୋଗ କରିଛନ୍ତି । ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ଗାଈଗୋରୁମାନେ ଆକ୍ରାନ୍ତ ହେଉଥିବା ଏହି ରୋଗର ଚିକିତ୍ସା କରିବା ସହ ଏହି ରୋଗର ନିରାକରଣ ପାଇଁ ଆବଶ୍ୟକୀୟ ଔଷଧ ଯୋଗାଇଦେବା ନିମନ୍ତେ ପଶୁପାଳକମାନେ ଦାବି କରିଛନ୍ତି । ଓଡ଼ିଶା ସମାଚାର