ଭୁବନେଶ୍ୱର,୦୯/୦୯/୨୦୧୯(ଓଡ଼ିଶା ସମାଚାର)- ଓଡ଼ିଶା ସରକାରଙ୍କ ନେତୃତ୍ୱରେ ରାଜ୍ୟକୁ ମ୍ୟାଲେରିଆ ମୁକ୍ତ କରିବା ଲକ୍ଷ୍ୟରେ ମ୍ୟାଲେରିଆ ନୋ ମୋର୍ ଇଣ୍ଡିଆ (ଏମ୍ଏନ୍ଏମ୍ ଇଣ୍ଡିଆ) ପକ୍ଷରୁ ମ୍ୟାଲେରିଆ ଆକ୍ସନ କୋଆଲିସନ୍ ବା ମ୍ୟାଲେରିଆ କାର୍ଯ୍ୟାନ୍ୱୟନ ମେଂଟ (ମ୍ୟାକ୍) ଶୁଭାରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ଜାତୀୟ ଭୁତାଣୁ ଜନିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ସହାୟତା କରିବା ଉଦ୍ଧେଶ୍ୟରେ ମ୍ୟାକ୍ ଏକ ବହୁକ୍ଷେତ୍ରୀୟ ସମନ୍ୱୟ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ । ଓଡ଼ିଶା ସରକାରଙ୍କ ଅଧ୍ୟକ୍ଷତାରେ ଗଠିତ ହେବାକୁ ଥିବା ଏହି ପ୍ଲାଟଫର୍ମରେ ବେସରକାରୀ ଟେକ୍ନିକାଲ, ରିସର୍ଚ୍ଚ ଓ ଯୋଜନା ରୂପାୟନ ଏଜେନ୍ସିଙ୍କ ସମେତ ଘରୋଇ କ୍ଷେତ୍ର, ଦାତା, ନିବେଶକ ଓ ଗଣମାଧ୍ୟମ ପାର୍ଟନର ପ୍ରତିନିଧି ରହିବେ । ଏହି କୋଆଲିସନ୍କୁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଶୁଭାରମ୍ଭ କରିଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ ସଚିବ ତଥା କମିଶନର ଡ. ପି କେ ମେହେର୍ଦ୍ଧା, ସ୍ୱତନ୍ତ୍ର ସଚିବ ଡ. ଏଚ୍ ପି ପଟ୍ଟନାୟକ, ମ୍ୟାଲେରିଆ ନୋ ମୋର୍ର କଂଟ୍ରି ନିର୍ଦ୍ଧେଶକ ଡ. ସଞ୍ଜୀବ ଗାଏକ୍ୱାଡ୍ ଏବଂ ଆବୋଟ୍ଟ ଇଣ୍ଡିଆର ମହାପ୍ରବନ୍ଧକ ଶ୍ରୀ ଭାସ୍କର ମାଲାଡ଼ିଙ୍କ ସମେତ ଅନ୍ୟ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ । ଏ ଅବସରରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ରାଜ୍ୟରୁ ମ୍ୟାଲେରିଆ ହ୍ରାସ ପାଇଁ ଥିବା ପ୍ରତିଶ୍ରୁତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି, “ଜନ ସ୍ୱାସ୍ଥ୍ୟରେ ସୁଧାର ଆଣିବା ସରକାର, ଘରୋଇ କମ୍ପାନୀ ଓ କ୍ଷେତ୍ରୀୟ ବିଶେଷଜ୍ଞଙ୍କ ସମେତ ସବୁ ଅଂଶୀଦାରଙ୍କ ଏକ ମିଳିତ ଦାୟିତ୍ୱ । ମ୍ୟାଲେରିଆ ଆକ୍ସନ କୋଆଲିସନ୍ର ଶୁଭାରମ୍ଭ ବିଷୟରେ ଘୋଷଣା କରି ଆମେ ବେଶ୍ ଆନନ୍ଦିତ । ରାଜ୍ୟ ସରକାରଙ୍କ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତୀବ୍ରତର କରିବାରେ ଏହି ମେଂଟ ବିଭିନ୍ନ ଉନ୍ନତ ଚିନ୍ତାଧାରାକୁ ଆଣିବାରେ ସମର୍ଥ ହେବ ।” ମ୍ୟାଲେରିଆ ନୋ ମୋର୍ ଇଣ୍ଡିଆର କଂଟ୍ରି ନିର୍ଦ୍ଧେଶକ ଡ. ସଞ୍ଜୀବ ଗାଏକ୍ୱାଡ୍ କହିଛନ୍ତି, “ଓଡ଼ିଶାକୁ ମ୍ୟାଲେରିଆ ମୁକ୍ତ କରିବାକୁ ହେଲେ ଏକ ସିଙ୍ଗଲ୍ ପ୍ଲାଟଫର୍ମରେ ବିଭିନ୍ନ ଅଂଶୀଦାରଙ୍କୁ ଏକାଠି ଆଣିବା ଭଳି ଏକ ସଂଗଠନର ଆବଶ୍ୟକତା ଥିଲା ବୋଲି ଆମେ ଅନୁଭବ କରିଥିଲୁ । ମ୍ୟାକ୍ ଏହି ଅଭାବକୁ ପୂରଣ କରିବ ଏବଂ ମ୍ୟାଲେରିଆ ବିରୁଦ୍ଧରେ ଲଢ଼େଇକୁ ସାମଗ୍ରିକ ଓ ବ୍ୟାପକ କରିବ ବୋଲି ଆମେ ବିଶ୍ୱାସ ରଖିଛୁ ।” ଓଡ଼ିଶା ସମାଚାର