ତାରପୁର,୦୯/୦୯/୨୦୧୯(ଓଡ଼ିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ମଣିଜଙ୍ଗ ପଂଚାୟତରେ ଅଫିସ କାର୍ଯ୍ୟକୁ ନେଇ ସରପଂଚ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ବାଦ ବିବାଦ ଲାଗିରହିଛି । ଯାହାଫଳରେ ସାଧାରଣ ଜନତାଙ୍କ କାର୍ଯ୍ୟରେ ବାଧା ଉପୁଜୁଥିବାର ପିଇଓ ସୌମେନ୍ଦ୍ର ଜେନା ଅଭିଯୋଗ କରିଛନ୍ତି । ଗତ ଡ଼ିସେମ୍ବର ୧୭ ମସିହାରେ ଉକ୍ତ ପଂଚାୟତ ଦାୟିତ୍ୱ ନେବାପରେ ଶ୍ରୀଯୁକ୍ତ ଜେନା ନଳକୂପ ଯନ୍ତ୍ରାଂଶ ପରିଚାଳନା ପାଇଁ ସରପଂଚ ରଂଜିତା ନାୟକଙ୍କୁ ତାଙ୍କ ଅଫିସ ଚାବି ହସ୍ତାନ୍ତର କରିଥିଲେ । ମାତ୍ର ଏହାର ପରିଚାଳନା ସୁଚାରୁ ରୂପେ ନହେବାରୁ କାର୍ଯ୍ୟାଳୟ ଚାବି ଫେରାଇ ଦେବା ପାଇଁ ସରପଂଚଙ୍କୁ କହିଥିଲେ । ସରପଂଚ ଙ୍କ ସ୍ୱାମୀ ସର୍ବେଶ୍ୱର ନାୟକ ଚାବି ଦେବାକୁ ମନା କରିଦେଇଥିଲେ । ଏହାଛଡ଼ା ଆରଡ଼ବ୍ଲ୍ୟୁ ଏସଏସ ପକ୍ଷରୁ କରାଯାଉଥିବା ପାଇଖାନାର ଟ୍ୟାଗିଙ୍ଗ ଅଫିସର ପିଇଓ ଜେନା ହୋଇଥିବାବେଳେ ଉକ୍ତ ପଂଚାୟତ ଦାୟିତ୍ୱରେ ଥିବା ଯନ୍ତ୍ରୀ ଅନାମ ବିଶ୍ୱାଳ ୩୬୮ ଟି ଫାଇଲ ପରିଚାଳନା ପାଇଁ ସରପଂଚଙ୍କ ସ୍ୱାମୀ ସର୍ବେଶ୍ୱର ନାୟକଙ୍କୁ ଦାୟିତ୍ୱ ଦେଇଥିବାର ଜେନା ଗୁରୁତର ଅଭିଯୋଗ କରିଛନ୍ତି । ମାସିକ ସଭା ବହି , ନୋଟିସ ଖାତା, ସମାଜୀକ ସମୀକ୍ଷା ଗ୍ରାମ ସଭା ଖାତା ସମେତ ଅନ୍ୟାନ୍ୟ ରେଜିଷ୍ଟର ପରିଚାଳନା କରିବାରେ ଅସୁବିଧା ହେଉଛି ବୋଲି ଜେନା ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ବିଡ଼ିଓ ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି କହିବା ସହିତ ମାନସିକ ଯନ୍ତ୍ରଣା ଭୋଗୁଥିବା ଜେନା ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଯନ୍ତ୍ରୀ ବିଶ୍ୱାଳ କହନ୍ତି ଚାବି ପିଇଓ କି ସରପଂଚଙ୍କ ପାଖରେ ରହିବା କଥା ସେକଥା ମୋତେ ଜଣାନାହିଁ । ପିଇଓ ମାସକୁ ଦୁଇଦିନ କାର୍ଯ୍ୟଳୟକୁ ଆସନ୍ତି ବୋଲି ଯନ୍ତ୍ରୀ ପ୍ରକାଶ କରିଛନ୍ତି । ପଂଚାୟତରେ ଏଭଳି ଅବ୍ୟବସ୍ଥା ଲାଗିରହିଥିବାବେଳେ ବ୍ଲକ୍ ପ୍ରଶାସନ ଏହାକୁ ହାଲୁକା ଭାବେ ଗ୍ରହଣ କରିବା ଅତ୍ୟନ୍ତ ଚିନ୍ତାର ବିଷୟ । କଟକ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ପ୍ରକୃତ କାରଣ ଖୋଜି ବାହାର କରିବା ସହ ସାଧାରଣ ଜନତାଙ୍କ ଉନ୍ନୟନମୂଳକ କାର୍ଯ୍ୟ କିପରି ସୁଚାରୁ ରୂପେ ହୋଇ ପାରିବ ତାହାର ବ୍ୟବସ୍ଥା କରିବା ପାଇଁ ବୁଦ୍ଧିଜୀବିଙ୍କ ପକ୍ଷରୁ ଦାବି ହୋଇଛି । ଓଡ଼ିଶା ସମାଚାର