ଭୁବନେଶ୍ୱର,୦୯/୦୯/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ କିଟ ବିଶ୍ୱବିଦ୍ୟାଳୟକୁ ‘ଇନଷ୍ଟିଚୁ୍ୟଟ ଅଫ ଏମିନେନସ’ ମାନ୍ୟତା ପ୍ରଦାନ କରାଯାଇଛି । ଏ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କିଟ ଓ କିସ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ କହିଛନ୍ତି, ଭାରତର କେତେକ ଅଗ୍ରଣୀ ଉଚ୍ଚତର ଶିକ୍ଷାନୁଷ୍ଠାନକୁ ବିଶ୍ୱର ଅନ୍ୟ ମର୍ଯ୍ୟାଦାଜନକ ଶିକ୍ଷାନୁଷ୍ଠାନ ସହ ସମକକ୍ଷ କରାଇବା ପାଇଁ ଦୂରଦୃଷ୍ଟି ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପ୍ରୟାସ ଆରମ୍ଭ କରିଥିଲେ । ଏହି ପ୍ରକିୟାରେ ଦେଶର ଯେଉଁସବୁ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଅଛନ୍ତି, ସେମାନଙ୍କ ମଧ୍ୟରୁ କେଉଁମାନେ ଆଗାମୀ ଦିନରେ ଆହୁରି ଉନ୍ନତି କରିପାରିବେ ଏବଂ ବିଶ୍ୱର ଅନ୍ୟ ମର୍ଯ୍ୟାଦାଜନକ ଅନୁଷ୍ଠାନ ସହ ସମକକ୍ଷ ହୋଇପାରିବେ ସେଥି ନିମନ୍ତେ ପ୍ରାକ୍ତନ ମୁଖ୍ୟ ନିର୍ବାଚନ କମିଶନର ଏନ୍ ଗୋପାଳସ୍ୱାମୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା । ଏଥିରେ ଅନ୍ୟ ୫ଜଣ ଶିକ୍ଷାବିତ ମଧ୍ୟ ସଦସ୍ୟ ଥିଲେ । ଏହି ଚୟନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବା ପାଇଁ ଦେଶରେ ଥିବା ସମସ୍ତ ଘରୋଇ ଓ ସରକାରୀ ଅନୁଷ୍ଠାନଠାରୁ ଦରଖାସ୍ତ ଆହ୍ୱାନ କରାଯାଇଥିଲା । ବିଶ୍ୱସ୍ତରୀୟ ମାନ୍ୟତା ପାଇବା ପାଇଁ ଦେଶର ଯେଉଁ ସବୁ ଶିକ୍ଷାନୁଷ୍ଠାନ ଆବେଦନ କରିଥିଲେ, ସେମାନଙ୍କୁ ନୂଆଦିଲ୍ଲୀରେ ସେମାନଙ୍କ ଅନୁଷ୍ଠାନ ସଂପର୍କରେ ପ୍ରଦର୍ଶନ କରିବା ପାଇଁ କୁହାଯାଇଥିଲା । ଏହି ପ୍ରଦର୍ଶନକୁ ଭିତିକରି ଗୋପାଳସ୍ୱାମୀ କମିଟି ଦେଶର ୧୦ଟି ପ୍ରମୁଖ ସରକାରୀ ଓ ୧୦ଟି ଘରୋଇ ଶିକ୍ଷାନୁଷ୍ଠାନକୁ ‘ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଏମିନେନ୍ସ’ ମାନ୍ୟତା ପ୍ରଦାନ ନିମନ୍ତେ ବିଶ୍ୱବିଦ୍ୟାଳୟ ମଞ୍ଜରୁୀ କମଶିନ (ୟୁଜିସି)କୁ ସୁପାରିଶ କରିଥିଲେ ।
‘ଇନଷ୍ଟିଚୁ୍ୟଟ ଅଫ ଏମିନେନସ’ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୩ଟି ସରକାରୀ ଓ ୩ଟି ଘରୋଇ ଶିକ୍ଷାନୁଷ୍ଠାନର ନାମ ଘୋଷଣା କରାଯାଇଥିଲା । ପୁନର୍ବାର ୟୁଜିସି ଦ୍ୱାରା ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଇ ଭାରତ ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟକୁ ୧୦ଟି ଶିକ୍ଷାନୁଷ୍ଠାନ ନାମ ସୁପାରିଶ କରାଯାଇଥିଲା । ଏହି ଭିତିରେ ମନ୍ତ୍ରାଳୟ ପକ୍ଷରୁ ଦେଶର ୫ଟି ସରକାରୀ ଓ ୫ଟି ଘରୋଇ ଅନୁଷ୍ଠାନକୁ ‘ଇନଷ୍ଟିଚୁ୍ୟଟ ଅଫ ଏମିନେନସ’ ମାନ୍ୟତା ପ୍ରଦାନ କରାଯାଇଥିଲା । ଉକ୍ତ ୫ଟି ଅଗ୍ରଣୀ ଉଚ୍ଚତର ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟରେ ଓଡ଼ିଶାର ଏକମାତ୍ର ଅନୁଷ୍ଠାନ ଏବଂ ପୂର୍ବ ଭାରତରେ ଏକମାତ୍ର ଘରୋଇ ଅନୁଷ୍ଠାନ ଭାବେ କିଟ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି । ଏହି ପରିପ୍ରେକ୍ଷୀରେ ସେପ୍ଟେମ୍ବର ୪ ତାରିଖରେ ମନ୍ତ୍ରାଳୟ ପକ୍ଷରୁ କିଟ ବିଶ୍ୱବିଦ୍ୟାଳୟକୁ ‘ହେତୁ ପତ୍ର’ ପ୍ରଦାନ କରାଯାଇଥିଲା ।
ସୂଚନାଯୋଗ୍ୟ, କିଟ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବାଠାରୁ ଏହା ନିଜର ସର୍ବାଙ୍ଗୀନ ଉନ୍ନତି ସହ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଆସିଛି । ଫଳରେ କିଟ୍ ଭାରତ ସରକାରଙ୍କ ବିଭିନ୍ନ ମାନ୍ୟତା ପାଇବା ସହ ବିଶ୍ୱସ୍ତରୀୟ ସମ୍ମାନଜନକ ମାନ୍ୟତା ପାଇଆସୁଥିଲା । ଶେଷରେ ‘ଇନଷ୍ଟିଚୁ୍ୟଟ ଅଫ ଏମିନେନସ’ ମାନ୍ୟତା ପାଇବା ପରେ କିଟ୍ ଏକ ସଫଳ ଅନୁଷ୍ଠାନର ସ୍ୱୀକୃତି ଲାଭ କରିଛି । ‘ଇନଷ୍ଟିଚୁ୍ୟଟ ଅଫ ଏମିନେନସ’ ମାନ୍ୟତା ପାଇବାରେ କିଟ୍ ହେଉଛି ଦେଶର ସର୍ବ କନିଷ୍ଠ ଅନୁଷ୍ଠାନ । ଭାରତରୁ ମୋଟ ୫ଟି ଘରୋଇ ଶିକ୍ଷାନୁଷ୍ଠାନ ଏହି ମର୍ଯ୍ୟାଦାଜନକ ମାନ୍ୟତା ପାଇଥିବା ବେଳେ ଓଡ଼ିଶାରୁ ଏକମାତ୍ର ଅନୁଷ୍ଠାନ କିଟ୍ ବିଶ୍ୱବିଦ୍ୟାଳୟ ଏହି ମାନ୍ୟତା ପାଇଛି । ମାତ୍ର ୫ ହଜାର ଟଙ୍କାରେ ଏକ ଭଡ଼ାଘରେ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନ ଦିନେ‘ଇନଷ୍ଟିଚୁ୍ୟଟ ଅଫ ଏମିନେନସ’ ଭଳି ବିଶ୍ୱସ୍ତରୀୟ ମାନ୍ୟତା ଓ ଅନ୍ୟ ସଫଳତା ପାଇବା ଠାକୁରଙ୍କ ଆଶୀର୍ବାଦ ବୋଲି ଶ୍ରୀ ସାମନ୍ତ କହିଛନ୍ତି । ଏହି ସଫଳତା କିଟ୍ ର ଛାତ୍ରଛାତ୍ରୀ, ଅଭିଭାବକ ଓ ଅଧ୍ୟାପକ ଅଧ୍ୟାପିକାଙ୍କ ପାଇଁ ଯେତିକି ଗୌରବର ବିଷୟ, ଏହା ଓଡ଼ିଶା ରାଜ୍ୟ ପାଇଁ ସେତିକି ଗୌରବର ବିଷୟ ହୋଇଛି ବୋଲି ଶ୍ରୀ ସାମନ୍ତ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଏବଂ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଦିଗରେ ପ୍ରୟାସ ସକାଶେ କିଟ୍ ବିଶ୍ୱବିଦ୍ୟାଳୟ ଆଜି ‘ଇନଷ୍ଟିଚୁ୍ୟଟ ଅଫ ଏମିନେନସ’ ରେ ସ୍ଥାନୀତ ହୋଇଥିବାରୁ ଶ୍ରୀ ସାମନ୍ତ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ୧୯୯୭ରୁ ୨୦୧୯ ମାତ୍ର ୨୨ବର୍ଷ ମଧ୍ୟରେ କିଟ୍ ଏହି ବିରଳ ସଫଳତା ପାଇବା ଦିଗରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଓ ସହଯୋଗ ପାଇଁ କିଟ୍ ପରିବାର ଶ୍ରୀ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ଅବସରରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କଙ୍କୁ ମଧ୍ୟ ଶ୍ରୀ ସାମନ୍ତ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି ଏବଂ କୁଳସଚିବ ପ୍ରଫେସର. ସସ୍ମିତାରାଣୀ ସାମନ୍ତ ପ୍ରମୁଖ ଏହା ଉପରେ ସୂଚନା ଦେଇଥିଲେ । ଓଡ଼ିଶା ସମାଚାର