Monday , October 18 2021
Breaking News
Home / ବିଶେଷ / ଆପଣମାନେ ଖୁସି ତ! – ସୁବାସ କୁମାର ତାରଣିଆଁ

ଆପଣମାନେ ଖୁସି ତ! – ସୁବାସ କୁମାର ତାରଣିଆଁ

କୌଣସି ଏକ ସଫଳତା ପାଇବାକୁ ହେଲେ କଡ଼ା ସଂଘର୍ଷ କରିବାକୁ ପଡ଼ିଥାଏ । ମାତ୍ର କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନଙ୍କୁ ବିନା ପରିଶ୍ରମ ଓ ବିନା ସଂଘର୍ଷରେ ସଫଳତା ମିଳିଥାଏ ସାମାଜିକ ଗଣମାଧ୍ୟମ ଜରିଆରେ । ସାମାଜିକ ଗଣମାଧ୍ୟମ ସେମାନଙ୍କୁ ଅର୍ଥ, ଯଶ, ଖ୍ୟାତି ଦେଇନାହିଁ ବରଂ ବଦଳାଇ ଦେଇଛି ସେମାନଙ୍କ ପୂର୍ବ ପରିଚୟ । ସେହିପରି ସ୍ୱପ୍ନକୁ ସାକାର କରିବାକୁ ହେଲେ ଦୃଢ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ ଗଭୀର ଆତ୍ମବିଶ୍ୱାସ ଦରକାର । ବିନା ପରିଶ୍ରମରେ ବଡ଼ ସଫଳତା ମିଳିବା ହୁଏତ ଅବସ୍ତାବ ମନେ ହୋଇପାରେ, କିନ୍ତୁ ବିନା ପରିଶ୍ରମରେ ସଫଳତା ଅନେକଙ୍କର ଭାଗ୍ୟ ବଦଳାଇ ଦେଇଛି । ଯାହାର ସଦ୍ୟତମ ଉଦାହରଣ ହେଲା ଏଇ ନିକଟରେ ରାନାଘାଟ ରେଳ ଷ୍ଟେସନରେ ଗୀତ ଗାଇ ରାତାରାତି ଷ୍ଟାର ବନିଯାଇଥିବା ରାନୁ ମଣ୍ଡଳଙ୍କ କ୍ଷେତ୍ରରେ ।

ପୁରା ନାମ ରାନୁ ମାରିଆ ମଣ୍ଡଳ । ସ୍ୱାମୀ ପରିତ୍ୟକ୍ତା ଏବଂ ଠିକଣା ଜଣା ନଥିବା ଏହି ମହିଳା ଜଣକ ଭୁଲି ସାରିଥିଲେ ନିଜର ଅତୀତକୁ । ତାଙ୍କର ଦୈନନ୍ଦିନ କାମ ଥିଲା ରାନାଘାଟ ରେଳ ଷେଷ୍ଟନରେ ଗୀତ ବୋଲି କିଛି ଅର୍ଥ ରୋଜଗାର କରି ନିଜର ଗୁଜୁରାଣ ମେଂଟାଇବା ।  ପ୍ରତିଦିନ ଗୀତ ଗାଉଥିବା ସମୟରେ ସେହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକମାନେ କେହି କେହି ଖୁସିରେ କିଛି ଟଙ୍କା ଦେଉଥିଲେ ଆଉ କେହି କେହି ତାଙ୍କ ଗୀତରେ ମୁଗ୍ଧ ହୋଇଯାଇ କିଛି ସମୟ ଅଟକି ଯାଉଥିଲେ । ହେଲେ ଅଚାନକ ଦିନେ ରାନୁ ଲତା ମେଙ୍ଗସକରଙ୍କ ‘ଇନ୍ ପ୍ୟାର୍କା ନଗମା ହେ’ ଗୀତଟି ଗାଉଥିବା ସମୟରେ ଅତିନ୍ଦ୍ର ଚକ୍ରବର୍ତୀ ନାମକ ଜଣେ ଇଞ୍ଜିନିୟରିଂ ଛାତ୍ର ଏହାକୁ ରେକର୍ଡ଼ିଂ କରି  ନିଜ ସୋସିଆଲ ମିଡ଼ିଆରେ ଅପ୍ଲୋଡ଼ କରିଦେଇଥିଲେ । ଠିକ୍ ତା’ପରେ ସୋସିଆଲ ମିଡ଼ିଆ ଦେଖାଇଥିଲା ଏହାର ଅସଲ କରାମତି । ଏହି ଭିଡ଼ିଓଟି ଖୁବ୍ କମ୍ ସମୟରେ ବିଜୁଳି ବେଗରେ ଭାଇରାଲ ହେବାକୁ ଲାଗିଲା । ଏହା ପରେ ସାରା ଦେଶର ସଙ୍ଗୀତପ୍ରେମୀଙ୍କ ମଧ୍ୟରେ ରାନୁଙ୍କୁ ନେଇ ସବୁଠି ଚାଲିଲା ଚର୍ଚ୍ଚା ଯାହା ସଙ୍ଗୀତ କ୍ଷେତ୍ରରେ ଯୁବ ପିଢୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି । ସଙ୍ଗୀତ ବିଦ୍ୟା ଶିକ୍ଷା କରିନଥିବା ଓ ବିନା ସଙ୍ଗୀତ ଗୁରୁରେ ରାନୁ ଏତେ ସୁନ୍ଦର ଗୀତ ଗାଉଥିଲେ ଯେ, ସତେ ଯେପରି ତାଙ୍କ କଣ୍ଠରେ ସରସ୍ୱତୀ ବିଜେ କରିଛନ୍ତି । ରାନୁଙ୍କ ଦକ୍ଷତା ଜଣାପଡ଼ିବା ପରେ ଏକ ଟିଭି ଚ୍ୟାନେଲ୍ ପକ୍ଷରୁ ସେମାନଙ୍କର ରିଅଲିଟି ଶୋ ସୁପର ସିଙ୍ଗରରେ ଅତିଥି ଭାବେ ଆମନ୍ତ୍ରଣ କରାଯାଇଥିଲା ରାନଙ୍କୁ । ଏହିଠାରେ ହିଁ ନିଜର ଅଭିଜ୍ଞତା ବଖାଣିଥିଲେ ରାନୁ । ଏହାପରେ ବଲିଉଡ଼୍ର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଧେଶକ ହିମେଶ ରେଶମିୟା ତାଙ୍କ ଆଗାମୀ ଚଳଚ୍ଚିତ୍ର ହ୍ୟାପି ହାର୍ଡି ଆଣ୍ଡ ହିର୍ ପାଇଁ ରାନୁ ଗାଇଥିଲେ ‘ତେରି ମେରି କାହାନୀ’ ଗୀତଟି ସାରା ଭାରତର ସଙ୍ଗୀତ ପ୍ରେମୀଙ୍କ ମନଙ୍କୁ ସ୍ତମ୍ଭୀଭୂତ କରିଦେଇଥିଲା ଏବଂ ଏହି ଗୀତ ରେକର୍ଡ଼ିଂକୁ ହିମେଶ ନିଜେ ତାଙ୍କ ସୋସିଆଲ ମିଡ଼ିଆ ଆକାଉରେ ସେୟାର କରିଥିଲେ । ବର୍ମାନ ଛୋଟ ଠାରୁ ଆରମ୍ଭ କରି ବଡ଼ଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସୋସିଆଲ ମିଡ଼ିଆରେ ସେଇ ଗୋଟିଏ ଗୀତ ତେରି ମେରି କାହାନୀ । ଦିନ ଥିଲା ରାନୁ ମଣ୍ଡଳ ରାନାଘାଟ ରେଳ ଷ୍ଟେସନରେ ଗୀତ ଗାଇ ଦୈନିକ ୩୦ ରୁ ୪୦ ଟଙ୍କା ରୋଜଗାର କରୁଥିଲେ । କିନ୍ତୁ ହିମେଶ ରେଶମିୟା ରାନୁଙ୍କୁ ତେରି ମେରି କାହାନୀ ଗୀତ ପାଇଁ ୭ ଲକ୍ଷ ଟଙ୍କା ଟଙ୍କା ଦେଇଥିବା ବେଳେ ସେ ମନା କରି ଦେଇଥିଲେ । ପରେ ବହୁ ବୁଝାଶୁଝା ପରେ ସେ ଏହି ଅର୍ଥ ଗ୍ରହଣ କରିଥିଲେ । ଏବେ ଶୁଣିବାକୁ ମିଳୁଛି ଯେ ସଲମନ ଖାନ ମଧ୍ୟ ରାନୁଙ୍କୁ ୫୫ଲକ୍ଷ ଟଙ୍କାର ଏକ ଘର ଉପହାର ଦେଇଛନ୍ତି । କେବଳ ଏହି ଗୀତ ପାଇଁ ରାନୁ ଆଜି ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରିଥିବା ବେଳେ ସୋସିଆଲ ମିଡ଼ିଆରେ ଏହି ଗୀତକୁ ଭାଇରାଲ କରିଥିବା ଅତିନ୍ଦ୍ର ଚକ୍ରବର୍ତୀ ସବୁ ସଫଳତାର ଶ୍ରେୟ ନେଇ ସେ ମଧ୍ୟ ବିଭିନ୍ନ ଖବର କାଗଜର ପୃଷ୍ଠା ମଣ୍ଡନ କଲେ ।

ସେହିପରି ଆଉ ଗୋଟିଏ ଉଦାହରଣ ହେଉଛି ଇସଲାମବାଦର ଯୁବକ ଅରସାଦ ଖାନ । ୧୮ ବର୍ଷୀୟ ଏହି ଯୁବକ କେବେ ବି ଭାବିନଥିଲେ ଯେ ତାଙ୍କ ଭାଗ୍ୟ ସବୁଦିନ ପାଇଁ ବଦଳିଯିବ ବୋଲି । ସେଦିନ ଥିଲା ରବିବାର । ସକାଳେ ନମାଜ ପଢିସାରି ଅରସାଦ ବାହରି ଯାଇଥିଲେ ସେହି ଚା ଦୋକାନକୁ ଯେଉଁଠି ସେ ନିଜେ ହିଁ କାମ କରୁଥିଲେ । ପାଠ ଶାଠ ବେଶି ପଢିନଥିବା ତଥା ପିଲାଟି ଦିନରୁ ଦାରିଦ୍ର୍ୟର କଷାଘାତରେ ବଢିଆସିଥିବା ଏହି ଯୁବକ ଜଣକ ଦୀର୍ଘ ୪ ବର୍ଷ ଧରି ସେହି ଚା ଦୋକାନରେ କାମ କରି ଆସୁଥିଲେ । ସେହି ଦିନ ହିଁ ତାଙ୍କ ଭାଗ୍ୟ ବଦଳିଯିବ ବୋଲି ସେ କଳ୍ପନା ସୁଦ୍ଧା କରିନଥିଲେ । ରାତି ପ୍ରାୟ ୮/୯ ଘଟିକା ହେବ । ବଜାରରୁ ଭିଡ଼ ଆସ୍ତେ ଆସ୍ତେ କମି ଆସୁଥିବା ବେଳେ ହଠାତ୍ ତାଙ୍କ ଉପରେ ଫୋକସ କରିଥିଲା କ୍ୟାମେରା । ସେ କିଛି ଜାଣିବା ପୂର୍ବରୁ ତାଙ୍କର ନୀଳ ଆଖି ଲିପିବଦ୍ଧ ହୋଇଯାଇଥିଲା ସେ କ୍ୟାମେରା ଭିତରେ । ସେହି ଗୋଟିଏ କ୍ଲିକ ହିଁ ଥିଲା ଯଥେଷ୍ଟ । ଅରସାଦ ଚାହିଁ ନଥିଲେ ତାଙ୍କ ଫଟୋ ଉଠାଇବାର କାରଣ । ଏହାର କିଛିଦିନ ପରେ ସେ ଭୁଲିଯାଇଥିଲେ ଏହି ଘଟଣାକୁ । ଠିକ୍ ଏହାର ମାସେ ଦେଢମାସ ପରେ ଫଟୋ ଉଠାଇଥିବା ଉକ୍ତ ଯୁବକ ଜଣକ ନିଜ ଇନ୍ଷ୍ଟାଗ୍ରାମ ଆକାଉରେ ପୋଷ୍ଟ କରିଥିଲେ ଅରସାଦଙ୍କ ସେହି ଫଟୋଟିକୁ । ଖୁବ୍ କମ୍ ସମୟ ମଧ୍ୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ଏହି ଫଟୋଟି । ସବୁ ଦିଗରୁ ପ୍ରଶଂସାର ଛୁଅ ଛୁଟିଥିଲା ଅରସାଦଙ୍କ ଷ୍ଟାଇଲସ୍ ଚେହେରା ଓ ନୀଳ ଆଖିକୁ ଏବଂ ସବୁଠି ଚର୍ଚ୍ଚା ଚାଲିଥିଲା ଏହି ଘଟଣାକୁ ନେଇ । ଏଥିରେ କ’ଣ ରହସ୍ୟ ଅଛି ବୋଲି ପ୍ରଶ୍ନ କରିଥିଲେ ଅରସାଦ । ଏହାପରେ ତାଙ୍କ ଚା ଦୋକାନ ଆଗରେ ଗହଳି ଲାଗି ରହୁଥିଲା ସବୁ ସମୟରେ ଏବଂ ଲୋକମାନେ ତାଙ୍କ ଫଟୋ ଉଠାଇବାକୁ ଚାହିଁବାରୁ ଅରସାଦ ବ୍ୟସ୍ତ ଓ ବିବ୍ରତ ହୋଇପଡ଼ିଥିଲେ ଓ ଭାବିଥିଲେ ତାଙ୍କର ଚାକିରୀ ଚାଲିଯିବ ନିଶ୍ଚିତ । କିନ୍ତୁ ତାଙ୍କର ସବୁ ଭାବନା ଭୁଲ୍ ପ୍ରମାଣିତ ହୋଇଥିଲା  ଏବଂ ତାଙ୍କ ପାଖକୁ ମଡ଼େଲିଂ କରିବାର ଅଫର ମିଳିବ ବୋଲି ସେ କେବେ ବି ଭାବିନଥିଲେ । ତଥାପି ତାଙ୍କୁ ବିଭିନ୍ନ ଏଜେନ୍ସି ମଡ଼େଲିଂ ପାଇଁ ଅଫର ଦେଉଥିଲେ । ଏଥିପାଇଁ ତାଙ୍କ ପରିବାର ପ୍ରଥମେ ରାଜି ହେଉନଥିଲେ କିନ୍ତୁ ବହୁ ବୁଝାଶୁଝା ପରେ ଶେଷରେ ଅରସାଦଙ୍କ ପିତାମାତା ରାଜି ହୋଇଥିଲେ ।  ତା’ପରେ ଅରସାଦ ଭାଗ୍ୟ ବଦଳି ଯାଇଥିଲା ଏବଂ ସେ ହୋଇଗଲେ ମଡ଼େଲିଂ ଦୁନିଆର ଜଣେ ସଫଳ ମଡ଼େଲର । ଏହି ଗୋଟିଏ ଫଟୋ ଯେ ତାଙ୍କ ଭାଗ୍ୟ ବଦଳାଇଦେବ ବୋଲି ସେ କିମ୍ବା ଫଟୋ ଉଠାଇଥିବା ଉକ୍ତ ବ୍ୟକ୍ତି ଜଣକ କେବେ ବି ଭାବିନଥିଲେ । ରାନୁ ମଣ୍ଡଳ ଓ ଅରସାଦଙ୍କ ଭିତରେ ଲୁଚି ରହିଥିବା ଲୁକ୍କାୟିତ ପ୍ରତିଭା ଯୋଗୁ ଆଜି ସେମାନଙ୍କ ଭାଗ୍ୟରେ ପରିବର୍ତନ ଘଟିଛି ଓ ସେମାନେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଯାହା ଯୁବ ସମାଜ ପାଇଁ କିଛି ଶିଖିବାର ପ୍ରେରଣା ଯୋଗାଇଛି ।

ସତରେ ଆଜିର ଦୁନିଆ ବଡ଼ ବିଚିତ୍ର । ସବୁବେଳେ ଲୋକମାନେ ମୁଖ୍ୟ ଘଟଣାକୁ ଭୁଲି ଯାଉଛନ୍ତି ଯାହାର ବଡ଼ ନମୂନା ହେଲା ରାନୁ ମଣ୍ଡଳ ଏବଂ ତାଙ୍କ ଗୀତ ଗାଇବା କ୍ଷେତ୍ରରେ । ରାନୁ ଯେଉଁ ଗୀତଟି ଗାଇ ତାଙ୍କର ଭାଗ୍ୟ ପରିବର୍ତନ ହୋଇଛି, ସେହି ଗୀତଟିକୁ ଗାଇଥିବା ଲତା ମେଙ୍ଗସକରଙ୍କୁ ସମସ୍ତେ ଝୁରୁଥିବା ବେଳେ ଏହି ଗୀତର ଲେଖକ ସନ୍ତୋଷ ଆନନ୍ଦଙ୍କୁ ସମେସ୍ତ ଭୁଲି ଯାଇଛନ୍ତିି ଯାହାଙ୍କ ନାମ ଆଜି କେଉଁଆଡ଼େ ହଜିଯାଇଛି । ବାର୍ଦ୍ଧକ୍ୟରେ ଉପନୀତ ହୋଇଥିବା ଏହି ଲେଖକ ଦାରିଦ୍ର୍ୟର କଷାଘାତରେ ଷଢି ଛୋଟ ମୋଟ ବେପାର କରି ନିଜର ଗୁୁଜୁରାଣ ମେଂଟାଉଛନ୍ତି ସତ କିନ୍ତୁ ତାଙ୍କ ଗୀତ ଗାଇ ରାନୁଙ୍କ ଭାଗ୍ୟ ବଦଳି ଯାଇଥିବାରୁ ସନ୍ତୋଷ ଆନନ୍ଦ ନିଜକୁ ଗର୍ବ ଅନୁଭବ କରିବା ସହିତ ଭବିଷ୍ୟତରେ ସେ ଆହୁରି ଭଲ ଗୀତ ଗାଇ ଆଗକୁ ବଢନ୍ତୁ ବୋଲି ରାନୁକୁ ଆଶୀର୍ବାଦ ଦେଇଛନ୍ତି । ସେହିପରି ଅରସାଦଙ୍କ କ୍ଷେତ୍ରରେ ମଧ୍ୟ ସେଇ ସମାନ ଘଟଣା । ଅରସାଦ ରାତାରାତି ଷ୍ଟାର ପାଲଟିଗଲେ ସତ, କିନ୍ତୁ ଯେଉଁ ଲୋକଜଣକ ତାଙ୍କ ଫଟୋ ଉଠାଇ ରାତାରାତି ଷ୍ଟାଟ ପାଲଟିଯିବାରେ ମୁଖ୍ୟଭୂମିକା ଗ୍ରହଣ କରିଥିଲେ ସେ ଆଜି ବି ଅଲୋଡ଼ା ।

ଠିକ୍ ଏହିପରି ଅନେକ କାହାଣୀ ଅଛି ଲେଖିବସିଲେ ସରିବନି ଯେଉଁଟାକି ଆମେ ସମସ୍ତେ ଅେଙ୍ଗ ନିଭେଇଛେ । ଯେମିତିକି ଆମ ଜେଜେ ଅଣଜେଜେ ଲଗାଇଥିବା ଗଛରୁ ଆମେ ଏବେ ମଧ୍ୟ ଫଳ ଖାଉଛୁ ଅଥଚ ଏହି ଗଛ ଲଗାଇଥିବା ଜେଜେ ଅଣଜେଜେ ନିଜ ମନ ଭିତରୁ ସମ୍ପୂର୍ଣ୍ଣ ଭୁଲିସାରିଛୁ । ସେହିପରି ଯେଉଁ ଶିକ୍ଷକଙ୍କ ନିକଟରୁ ଶିକ୍ଷାଦାନ କରି ଉଚ୍ଚ ପଦପଦବୀରେ ଅଧିଷ୍ଠିତ ରହି, ସମାଜରେ ପ୍ରତିଷ୍ଠା ଲାଭ କରି ବିଭିନ୍ନ ସଭା ସମିତିରେ ଅତିଥି ଭାବରେ ଯୋଗଦାନ କରି ବା ପୁରସ୍କାର ଗ୍ରହଣ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବ୍ୟକ୍ତି  ଆଜି ସେହି ଶିକ୍ଷକମାନଙ୍କ ଅବଦାନ ବିଷୟରେ ପଦୁଟିଏ ନକହି ସମ୍ପୂର୍ଣ୍ଣ ଭଲିଯାଇଛନ୍ତି । ଗୋଟେ ପଟେ ଯେଉଁ ଗୁରୁମାନଙ୍କ ଉଦ୍ୟମ ଯୋଗୁ ବା ଗୀତିକାରଙ୍କ ଗୀତ ଗାଇଁ ଆଜି ନିଜର ଭାଗ୍ୟ ପରିବର୍ତନ ହୋଇଛି ଓ ଉଚ୍ଚ ପଦପଦବୀ ଲାଭ କରିଛନ୍ତି, ସେହି ଗୁରୁମାନେ ଆଜି ଅବହେଳିତ ଓ ଯନ୍ତ୍ରଣାରେ ଜର୍ଜରିତ, ଅନ୍ୟପଟେ ଏହି ବ୍ୟକ୍ତିିମାନେ ନିଜେ ଅତିଥି ଭାବେ ଯୋଗ ଦେଇଥିବା ସଭା ସମିତିର ଫଟୋ ଓ ପୁରସ୍କାର ଗ୍ରହଣ କରୁଥିବାର ଫଟୋମାନ ନିଜର ସ୍ୱତନ୍ତ୍ର ପରିଚୟ ପାଇଁ ସୋସିଆଲ ମିଡ଼ିଆରେ ଭାଇରାଲ କରିବାରେ ଲାଗି ପଡ଼ିଛନ୍ତି । ଏଥର ଆପଣମାନେ ଖୁସି ତ!

କଂଟି, ବାହାରଣା, ବାଲିକୁଦା, ଜଗତସିଂହପୁର

About admin

Check Also

ବାଇକ୍ ଧକା ରୁ ରଘୁନାଥପୁର ଅଂଚଳରେ ଜଘନ୍ୟ ହତ୍ୟାକାଣ୍ଡ

ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟିପିଟି ହତ୍ୟା, ୪ ଗଲେ ଜେଲ – ଅନ୍ୟମାନେ ଫେରାର ରଘୁନାଥପୁର ୧୮/୧୦/୨୦୨୧(ଓଡ଼ିଶା ସମାଚାର)- ଯୁବକଙ୍କୁ …

Leave a Reply

Your email address will not be published. Required fields are marked *