ଭୁବନେଶ୍ୱର,୦୭/୦୯/୨୦୧୯(ଓଡ଼ିଶା ସମାଚାର)- ଟେକ୍ ମହିନ୍ଦ୍ରା ଫାଉଣ୍ଡେସନ ଦ୍ୱାରା ପଲ୍ଲୀ ଉନ୍ନୟନ ସେବା ସମିତି, ନହରକଂଟା ଠାରେ ସମିତି ଦ୍ୱାରା ପରିଚାଳିତ ଆରାଇଜ ରମାଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ତଥା ସମିତିର ଅନ୍ତେବାସିନୀମାନଙ୍କୁ ସଚେତନ କରାଇବା ପାଇଁ ଦୁଇଦିନିଆ ‘ଲାଇଫ୍ ସ୍କିଲ୍ ପ୍ରଶିକ୍ଷଣ ଶିବିର’ ଆୟୋଜିତ ହୋଇଯାଇଛି । ଏଥିରେ ଖୋର୍ଦ୍ଧା ଜିଲ୍ଲାର ଡ଼ିଷ୍ଟ୍ରିକ୍ଟ ଚାଇଲ୍ଡ଼ ପ୍ରୋଟେକ୍ସନ ୟୁନିଟର କାଉନସେଲର ମନସ୍ୱିନୀ ମହାପାତ୍ର ଯୋଗଦେଇ ଶିଶୁକନ୍ୟାମାନଙ୍କୁ ସମାଜରେ ଆତ୍ମନିର୍ଭରଶୀଳ ହୋଇ ସୁନାଗରିକ ଭାବରେ ଜୀବନଧାରଣ କରିବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଆଜି ସମସ୍ତ ଅଭିଭାବକ ମାନଙ୍କୁ ଡ଼କାଯାଇ ସେମାନଙ୍କୁ ସଚେତନ କରାଇବା ପାଇଁ ‘ଶିଶୁ ଶ୍ରମିକ-ଶିଶୁ ଅଧିକାର-ଶିଶୁମାନଙ୍କ ଶିକ୍ଷାଗତ ଅଧିକାର ବିଷୟରେ ଆଲୋଚନା କରାଯାଇ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇଥିଲା । ଏଥିରେ ଚାଇଲ୍ଡ଼ ଲାଇନ୍ ଓ ରୁଚିକା ସାମାଜିକ ସେବା ଅନୁଷ୍ଠାନର ପ୍ରୋଜେକ୍ଟ ମ୍ୟାନେଜର ତଥା ସଂଯୋଜକ ଶ୍ରୀଯୁକ୍ତ ବେଣୁଧର ସେନାପତି (ସମାଜସେବୀ) ଯୋଗଦେଇ ଅଭିଭାବକ ତଥା ସମିତିର କର୍ମକର୍ତାମାନଙ୍କୁ ସଚେତନ କରାଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ୨୦୦ରୁ ଉଦ୍ଧ୍ୱର୍ ଛାତ୍ରୀ ଏବଂ ୩୦୦ରୁ ଉର୍ଦ୍ଧ ଅଭିଭାବକ ଉପସ୍ଥିତ ଥିଲେ । ଏହି ଦୁଇଦିନିଆ ପ୍ରଶିକ୍ଷଣ ଶିବିରକୁ ଅନୁଷ୍ଠାନର ସମ୍ପାଦିକା ସ୍ୱାତୀ ସୁଚିସ୍ମିତା ପାତ୍ର ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଭାପତି ଶ୍ରୀ ମନ୍ମଥ ଦଳେଇ, ଟେକ୍-ମହିନ୍ଦ୍ରା ଫାଉଣ୍ଡେସନର କ୍ଷତ୍ରୀୟ ସଂଯୋଜକ ଶ୍ରୀ ସୁଦୀପ ଚକ୍ରବର୍ତୀ, ଆଂଚଳିକ ଓଡ଼ିଶା ସଂଯୋଜକ ଶ୍ରୀ ରଶ୍ମୀରଞ୍ଜନ ମହାନ୍ତି, ଅନୁଷ୍ଠାନର କୋଷାଧ୍ୟକ୍ଷ ଶ୍ରୀ ଦୀପକ ମହାନ୍ତି ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମକର୍ତାବୃନ୍ଦ ଉପସ୍ଥିତ ରହିଥିଲେ । ଏହି ଦୁଇଦିନିଆ ପ୍ରଶିକ୍ଷଣ କର୍ମଶାଳା ସଫଳତାର ସହିତ ସମାପ୍ତ ହୋଇଥିଲା । ସେଥିପାଇଁ ସମସ୍ତଙ୍କୁ ଅନୁଷ୍ଠାନ ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । ଓଡ଼ିଶା ସମାଚାର
