Sunday , September 25 2022
Home / ଶିକ୍ଷା / ଶିକ୍ଷା ହେଉଛି ସମାଜ ବିକାଶର ଚାବିକାଠି

ଶିକ୍ଷା ହେଉଛି ସମାଜ ବିକାଶର ଚାବିକାଠି

ମିଳିତ ଭାବେ ପ୍ରୟାସ କଲେ ଶିକ୍ଷା ସମସ୍ୟା ସମାଧାନ ହୋଇପାରିବ : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର,୦୬/୦୯/୨୦୧୯(ଓଡ଼ିଶା ସମାଚାର)- ଶିକ୍ଷା ହେଉଛି ସମାଜ ବିକାଶର ଚାବିକାଠି ଓ ସମାଜର ଗର୍ବ ଗୌରବର ଅଭିବୃଦ୍ଧି ଶିକ୍ଷା ଉପରେ ନିର୍ଭର କରେ । ଶିକ୍ଷା ବ୍ୟବସ୍ଥା କି୍ରୟାନୁଶୀଳନ କରିବାରେ ଶିକ୍ଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସମ୍ପ୍ରତି ଶିକ୍ଷା ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଯାଇଛି । ମିଳିତ ଭାବେ ପ୍ରୟାସ କଲେ ଶିକ୍ଷା ସମସ୍ୟା ସମାଧାନ ହୋଇପାରିବ ବୋଲି ୟୁଟିଆ ଶିକ୍ଷକ ସଂଘର ରୌପ୍ୟ ଜୟନ୍ତୀ ବର୍ଷକୁ ଉଦ୍ଘାଟନ କରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ଭୁବନେଶ୍ୱରସ୍ଥିତ ଇଡକଲ ଅଡ଼ିଟୋରିୟମଠାରେ ସଂଘର ପ୍ରତିଷ୍ଠାତା ସଭାପତି ବିକ୍ରମ କେଶରୀ ବର୍ମାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ସମାରୋହରେ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟବକ୍ତା ଭାବରେ ଯୋଗ ଦେଇ କହିଲେ ଯେ, ଶିକ୍ଷାଗୁରୁ ନମସ୍ୟ । ଆଜି ଆମ୍ଭେ ଯିଏ ଯେଉଁଠାରେ ଅଛନ୍ତି ସେ ସବୁ ଶ୍ରେୟ ଗୁରୁଙ୍କର । ତେଣୁ ସେମାନଙ୍କର ସମସ୍ୟା ଅଗ୍ରାଧିକାର ଭିତିରେ ସରକାର ସମାଧାନ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ସଂଘର ମହାସଚିବ ପ୍ରଫେସର ଯୁଧିଷ୍ଠିର ଖଟୁଆ ରୌପ୍ୟଜୟନ୍ତୀ ବିବରଣୀ ପାଠ କରି ସଂଘର ସଫଳତା ଯଥା ପୂଣ୍ଣ ଅନୁଦାନପ୍ରାପ୍ତ ୩୦୧୨ ଉଚ୍ଚ ବିଦ୍ୟାଳୟଗୁଡ଼ିକୁ ସରକାରୀକରଣ, ପେନ୍ସନରେ ଟିଆଇ ପ୍ରଦାନ, ସରକାରୀ ହାରରେ ମହଙ୍ଗା ଭତା ପ୍ରଦାନ ପ୍ରଭୃତି ସମସ୍ୟା ସମାଧାନ ହୋଇପାରିଛି ବୋଲି କହିଥିଲେ । ସଂଘର ମୁଖପତ୍ର ‘ଶିକ୍ଷକ ବାର୍ତା’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ୪୦ଜଣ ଅଧ୍ୟାପକ, ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘର ମୁଖ୍ୟ ଦାବି ବଜେଟର ୩୦ଭାଗ ଅର୍ଥ ଶିକ୍ଷାରେ ବ୍ୟୟ କରିବା, ପୂର୍ଣ୍ଣ ଅନୁଦାନପ୍ରାପ୍ତ ସମସ୍ତ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ କଲେଜଗୁଡ଼ିକୁ ସରକାର ହାତକୁ ନେବା, ୬୬ଜଣ ସେକ୍ସନ ଶିକ୍ଷକଙ୍କୁ ବେତନ ପ୍ରଦାନ, ୨୦୧୯-୨୦ ଶିକ୍ଷାବର୍ଷରେ ବଂଚିତ ଅତିଥି ଅଧ୍ୟାପକଙ୍କୁ ପୁନଃ ନିଯୁକ୍ତି, ୨:୧ ବଦଳରେ ୧:୧ ଚାକିରୀ ଗଣନା, ଅବସର ବୟସସୀମା ୬୨କୁ ବୃଦ୍ଧି ଇତ୍ୟାଦି ଦାବିଗୁଡ଼ିକ କଲେଜ ସଂଘର ସମ୍ପାଦକ ଡଃ ବ୍ରଜକିଶୋର ନାୟକ, ବିଦ୍ୟାଳୟ ସଂଘର ସମ୍ପାଦକ ପ୍ରଣାମ ରାଉତରାୟ ଓ ସମ୍ପାଦକ ଲକ୍ଷ୍ମଣ କୁମାର ମହାନ୍ତି ଉପସ୍ଥାପନ କରିଥିଲେ । ପ୍ରାରମ୍ଭରେ ଦିବଂଗତ ଶିକ୍ଷକ ନେତାମାନଙ୍କ ଉଦ୍ଧେଶ୍ୟରେ ଏକମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ଏବଂ ‘ବନ୍ଦେ ଉକ୍ରଳ ଜନନୀ’ ସଙ୍ଗୀତ ଗାନ କରାଯାଇଥିଲା । କାର୍ଯ୍ୟକାରୀ ସଭାପତି ଡଃ ଉପେନ୍ଦ୍ର ସାହୁ, ସଂଗଠନ ସମ୍ପାଦକ ଶରତ ପାଇକରାୟ, ଗଙ୍ଗାଧର ସେନାପତି, ପବିତ୍ର ଦାସ, ଜବାହାରଲାଲ ସୁବୁଦ୍ଧି, ଲକ୍ଷ୍ମୀପ୍ରସାଦ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଡଃ ଅର୍ଜୁନ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.

Total site visitors: 256048